ETV Bharat / state

ବେସରକାରୀ ସେୟାର କିଣିଛି ପାରଳାଖେମୁଣ୍ଡି ସମବାୟ ବ୍ୟାଙ୍କ, ୯୧ ଲକ୍ଷ ନେଲା କିଏ ?

author img

By

Published : Mar 31, 2023, 3:43 PM IST

corruption in parlakhemundi cooperative urban bank
corruption in parlakhemundi cooperative urban bank

ପାରଳାଖେମୁଣ୍ଡି ସହରାଞ୍ଚଳ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମନମାନୀ ଅଭିଯୋଗ । ଧରାପଡିବା ପରେ ଏତଲା ଦେଇ ଚୁପ ବସିଛନ୍ତି ସରକାରୀ ବାବୁ । ଏନେଇ ତଦନ୍ତ ଜାରିଥିବା କହିଛନ୍ତି SDPO । ଅଧିକ ପଢନ୍ତୁ

ବେସରକାରୀ ସେୟାର କିଣିଛି ପାରଳାଖେମୁଣ୍ଡି ସମବାୟ ବ୍ୟାଙ୍କ

ଗଜପତି: ସରକାରୀ ଚାକିରିର ଫାଇଦା । ମନମୁଖୀ କାର୍ଯ୍ୟ କରି ଧରାପଡିବା ପରେ ଏତଲା ଦେଇ ଦାୟିତ୍ବ ସାରି ଦେଇଛନ୍ତି ସରକାରୀ କର୍ମଚାରୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରାଞ୍ଚଳ ସମବାୟ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପ୍ରତ୍ୟେକ ବ୍ୟାଙ୍କ ନିଜର କାରବାରର ୮.୨୬ ପ୍ରତିଶତ ଟଙ୍କାର ସରକାରୀ ଅଂଶଧନ କିଣିବାକୁ ବାଧ୍ୟ ବୋଲି ନିୟମ ରହିଛି । ହେଲେ ସରକାରୀ ଅଂଶଧନ କିଣିବା ବଦଳରେ ଏକ ବେସରକାରୀ ଅଂଶଧନ କିଣିବାକୁ ୯୧ ଲକ୍ଷରୁ ଅଧିକ ଟଙ୍କା ଏକ ଅନାମଧ୍ୟେୟ କମ୍ପାନୀକୁ ଦେଇ ଦିଆଯାଇଛି । ଏହି ଘଟଣା ସଂପର୍କରେ ବ୍ୟାଙ୍କ ବୋର୍ଡ ବୈଠକରେ ଧରାପଡିବା ପରେ ଏବେ ଏହା ଚର୍ଚ୍ଚ।ର ବିଷୟ ହୋଇଛି । ଏହି ଘଟଣାକୁ ନେଇ ଥାନାରେ ଏତଲା ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା କଥା କହିଛନ୍ତି ପାରଳାଖେମୁଣ୍ଡି SDPO ।

ପାରଳାଖେମୁଣ୍ଡି ସହରାଞ୍ଚଳ ସମବାୟ ବ୍ୟାଙ୍କର ସମ୍ପାଦକ ନିଜ ଇଚ୍ଛାରେ ଏକ ବେସରକାରୀ କମ୍ପାନୀକୁ ୯୧ ଲକ୍ଷ ୩୩ ହଜାର ୫୩୧ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପୃକ୍ତ କମ୍ପାନୀ ଆଉ କୌଣସି ସେୟାର ଦେଇନଥିଲା । ଫଳରେ ଗତ ଜାନୁଆରୀ ମାସରେ ବ୍ୟାଙ୍କର ସମ୍ପାଦକ ଥାନାରେ ଏତଲା ଦେଇ ଚୁପ୍ ବସିଯାଇଛନ୍ତି । ଯାହାକୁ ଗତ ବୋର୍ଡ ବୈଠକରେ ନିର୍ଦ୍ଦଶେକମାନେ ଧରିବା ପରେ ଲୋକଲୋଚନକୁ ଆସିଛି । ବ୍ୟାଙ୍କର ଏତେ ଟଙ୍କା ଠକେଇ ହୋଇଥିଲେ ମଧ୍ୟ ସମ୍ପାଦକ ଆଜି ପର୍ଯ୍ୟନ୍ତ କାହିଁକି ଉପରିସ୍ଥ କର୍ମଚାରୀଙ୍କୁ ଜଣାଇ ନାହାନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ଡିସେମ୍ବର ମାସ ୧୯ତାରିଖରେ ହୋଇଥିବା ବୋର୍ଡ ବୈଠକରେ ଆକ୍ସିସ୍ ବ୍ୟାଙ୍କ ମାଧ୍ୟମରେ ସରକାରୀ ଅଂଶଧନ କିଣିବାକୁ ନିସ୍ପତ୍ତି ଗ୍ରହଣ କରାଯାଇଥିଲା । ହେଲେ ସରକାରୀ ଅଂଶଧନ କିଣିବା ବଦଳରେ କଲିକତାର ସାଇକୃପା ଇନଫ୍ରା ନାମକ ଏକ ସଂସ୍ଥା ନାମରେ ଏହି ଟଙ୍କା ଡିପୋଜିଟ୍ କରାଯାଇଥିଲା। ହେଲେ ଏହା ପରେ ଆଉ ସଂପୃକ୍ତ କମ୍ପାନୀ ଆଉ କୌଣସି ସେୟାର ଦେଇନଥିଲା। କିଛି ଦିନ ପର୍ଯ୍ୟନ୍ତ ସେୟାର ନପାଇବାରୁ ବ୍ୟାଙ୍କର ସମ୍ପାଦକ ପୋଲିସର ଦ୍ବାରସ୍ଥ ହୋଇ ଲିଖିତ ଏତଲା ଦେଇଥିଲେ । ଏହାପରେ ଜଣାପଡିଥିଲା ଯେ, ସମ୍ପୃକ୍ତ ସଂସ୍ଥା ଜାଲି କମ୍ପାନୀ । ତେବେ ଏହାକୁ ନେଇ ସମ୍ପାଦକ ଚୁପ୍ ରହିଥିବା ବେଳେ ଗତ ୨୪ତାରିଖରେ ହୋଇଥିବା ବୋର୍ଡ ବୈଠକରେ ବାର୍‌ ନିର୍ଦ୍ଦେଶକମାନେ ବ୍ୟାଙ୍କର ଏଭଳି ଜାଲିଆତିକୁ ଧରିଥିଲେ ।

ଏନେଇ ବ୍ୟାଙ୍କର ନିର୍ଦ୍ଦେଶକ ଅଭିମନ୍ୟୁ ପଣ୍ଡା କହିଛନ୍ତି, "ସମ୍ପାଦକ ନିଜ ମନଇଚ୍ଛା ଏହି ଟଙ୍କା କେଉ ଏକ ଜାଲି କମ୍ପାନୀକୁ ଦେଇଛନ୍ତି । ଲୋକଙ୍କ ଟଙ୍କାକୁ ହଡପ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର । ଏହାର ଉପଯୁକ୍ତ ତଦନ୍ତ କରାଗଲେ ପ୍ରକୃତ କଥା ବାହାରକୁ ଆସିବ ।" ତେବେ ଏନେଇ ସମବାୟ ସହକାରୀ ନିବନ୍ଧକ କହିଛନ୍ତି ଯେ, ବ୍ୟାଙ୍କ ତରଫରୁ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ ।


ରିଜର୍ଭ ବ୍ୟାଙ୍କର ନିୟମ ସମ୍ପର୍କରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ଅଂଶଧାନ କିଣିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହି ଅନୁସାରେ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରୁ ଟଙ୍କା ବାହାର କରାଯାଇ କଲିକତାର ସାଇକୃପା ଇନ୍‌ଫ୍ରା ନାମକ କମ୍ପାନୀ ଆକାଉଣ୍ଟକୁ ୯୧ଲକ୍ଷ ୩୩ହଜାର ୫୩୧ଟଙ୍କା ଡେପୋଜିଟ୍ କରାଯାଇଥିଲା । ହେଲେ ଦୀର୍ଘ ଦିନ ଯାଏଁ ସେୟାର ନମିଳିବାରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ୍ ଏହାର ତଦନ୍ତ କରୁଛି ବୋଲି ସମ୍ପାଦକ ଅଶୋକ କୁମାର ନାୟକ କହିଛନ୍ତି । ସେପଟେ ଏନେଇ ପାରଳାଖେମୁଣ୍ଡି SDPO ରାମକୃଷ୍ଣ ପତି କହିଛନ୍ତି, "ବ୍ୟାଙ୍କ୍‌ର ଟଙ୍କା ଠକେଇ ନେଇ ଗତ ଜାନୁଆରୀ ୮ତାରିଖରେ ସମ୍ପାଦକଙ୍କ ଲିଖିତ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ତେବେ ତଦନ୍ତ ପାଇଁ ପୁଲିସ୍ କୋଲକାତା ଯାଇଥିଲେ ମଧ୍ୟ ଦିଆଯାଇଥିବା ଠିକଣାରେ କୌଣସି କମ୍ପାନୀ ନଥିବାରୁ ପୋଲିସ୍ ନିରାଶ ହୋଇ ଫେରିଛି ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.