ETV Bharat / state

ଆସୁଛନ୍ତି ମା’, ଚାମର ହଲାଇ ଖିଲିଖିଲି ହସି ସ୍ବାଗତ କରୁଛି କାଶତଣ୍ଡୀ

author img

By ETV Bharat Odisha Team

Published : Oct 6, 2023, 7:17 PM IST

Updated : Oct 7, 2023, 4:19 PM IST

କାଶତଣ୍ଡୀ ପ୍ରକୃତିର ଏକ ଅନବଦ୍ୟ ଉପହାର
କାଶତଣ୍ଡୀ ପ୍ରକୃତିର ଏକ ଅନବଦ୍ୟ ଉପହାର

ଏହି ପରିବେଶକୁ ଆହୁରି ଅଧିକ ଆକର୍ଷଣୀୟ କରୁଛି ଧରାପୃଷ୍ଠକୁୁ ଶୁଭ୍ର ରଙ୍ଗରେ ରଙ୍ଗାୟିତ କରୁଥିବା କାଶତଣ୍ଡୀ । ଚାମର ହଲାଇ ମା’ ଦୁର୍ଗାଙ୍କୁ କରୁଛି ସ୍ବାଗତ ।

କାଶତଣ୍ଡୀ ପ୍ରକୃତିର ଏକ ଅନବଦ୍ୟ ଉପହାର

ଗଜପତି: ବିଲରେ, ବଣ ପାହାଡରେ, ରାସ୍ତା ପାର୍ଶ୍ବରେ ଲୋକଙ୍କୁ ନିଜ ଆଡିକୁ ଡାକେ ହାତ ଠାରି । ଖିଲି ଖିଲି ହସରେ ଧବଳ ରଙ୍ଗରେ ଲୋକଙ୍କ ମନକୁ ନିଏ ସେ କିଣି । ଧରଣୀରାଣୀକୁ ଧବଳ ଚାମରରେ ଢାଙ୍କି ଦିଏ ଯିଏ । ନାହିଁ କିଛି ତା'ର ବାସ, ହେଲେ ଶରତ ଆସିଲେ ଦୁନିଆ ଖୋଜେ ତା ହସ । ନାଁ ତାର କାଶତଣ୍ଡୀ । କାଶତଣ୍ଡୀ ପ୍ରକୃତିର ଏକ ଅନବଦ୍ୟ ଉପହାର । ବର୍ଷା ଋତୁର ଶୁଭ ବିଦାୟ ପରେ ଅର୍ଥାତ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ ।

କାଶତଣ୍ଡୀର ସୌନ୍ଦର୍ଯ୍ୟ: କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଭକ୍ତ କବି ମଧୁସୂଦନ ରାଓ ଲେଖିଛନ୍ତି । “ରୁଚିର ଶରଦ କାଳ ବିରାଜିଲା ଆସି । ହସିଲା ଧରଣୀରାଣୀ ଶୋଭା ପରକାଶି । ଗଛଲତା, ଫୁଲଫଳରେ ପରିପୃଷ୍ଟ ପରିବେଶ କାଶତଣ୍ଡୀର ସମ୍ଭାରରେ ରମ୍ୟ ରୋମାଞ୍ଚ ହୃଦବୋଧ ହୁଏ । ଯାହା କବି, ଭାବୁକ, ଦର୍ଶକ, ବୁଦ୍ଧିଜୀବୀ, ପଥଚାରୀଙ୍କ ମନ ପ୍ରାଣ ହୃଦୟକୁ ନିଜ ଖିଲିଖିଲି ହସରେ କିଣି ନିଏ । କାଶତଣ୍ଡୀ ଫୁଲ ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ । ଏହାକୁ ଦେଖି କବି, ଲେଖକ ଓ ପଥଚାରି ଭାବ ବିହ୍ବଳିତ ହୋଇଉଠନ୍ତି ।

ମା’ଙ୍କ ଆଗମନର ଦିଏ ସୂଚନା: ଧରାପୃଷ୍ଠକୁ ମା' ଦୁର୍ଗାଙ୍କର ଆଗମନ ପାଇଁ ସଜେଇ ହୋଇଛି ପ୍ରକୃତି ରାଣୀ । ସବୁଜ ବନାନୀ ଓ କାଶତଣ୍ଡୀ ଫୁଲରେ ହଲି ହଲି ମା'ଙ୍କୁ ସ୍ୱାଗତ ଜଣାଉଛି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଯାଇଛି କାଶତଣ୍ଡୀର ସୌନ୍ଦର୍ଯ୍ୟ । କାଶତଣ୍ଡୀର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଦୁର୍ଗତିନାଶିନୀ । ରେଖା ପଞ୍ଚମୀରେ ଓଡ଼ିଶାର ଘରେ ଘରେ କାଶତଣ୍ଡୀ ଫୁଲର ବେଣୀ ବନ୍ଧା ଯିବା ପରମ୍ପରା ପ୍ରମାଣ କରେ ଯେ ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ନିଦର୍ଶନ ।

ଏହା ମଧ୍ୟ ପଢନ୍ତୁ.. ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ପ୍ରକୃତି ରାଣୀ

ଶିକ୍ଷାବିତ୍ ଗୀତାଞ୍ଜଳୀ ଦାଶ କହିଛନ୍ତି, ‘‘କାଶତଣ୍ଡିର ବେଳାୟିତ ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ବାସ ରହିଛି । ନଈପଠା ଠାରୁ ଆରମ୍ଭ କରି ଶସ୍ୟ କ୍ଷେତ, ବିଲ, ବନ ପ୍ରାନ୍ତ ସର୍ବୋପରି ରାଜପଥର ଉଭୟ ପାର୍ଶ୍ବରେ ଚାମର ହଲାଇ ମା’ଙ୍କୁ ଶ୍ରଦ୍ଧାର ସହିତ ସ୍ୱାଗତ କରଥାଏ । ତେବେ କାଶତଣ୍ତୀ ବିଶେଷ କରି ପାରଳାଖେମୁଣ୍ଡି ସହର ଆଖପାଖ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳେ । ପାରଳାଖେମୁଣ୍ଡିରୁ ଗୁଣୁପୁର ରାସ୍ତାରେ ବଂଶଧାରା ନଦୀ ତଟରେ କାଶତଣ୍ଡୀର ସମ୍ଭାର ଧରାପୃଷ୍ଠକୁ ଧବଳ ଚାଦରରେ ଘୋଡାଇ ରଖି ଶୋଭା ବର୍ଦ୍ଧିତ କରୁଥିବା ପରି ମନେହୁଏ ।’’



ଇଟିଭି ଭାରତ, ଗଜପତି

Last Updated :Oct 7, 2023, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.