ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ପ୍ରକୃତି ରାଣୀ

author img

By

Published : Sep 24, 2022, 4:49 PM IST

Updated : Sep 25, 2022, 1:12 PM IST

kasatandi flowers in full bloom to welcome goddess durga

ନୀଳ ଆକାଶ ତଳେ ଖିଲି ଖିଲି ହସୁଛି କାଶତଣ୍ଡୀ । ଶରତ ଋତୁରେ ପ୍ରକୃତି ରାଣୀ ଧଳା ଚାଦର ପିନ୍ଧି ଜଗତ ଜନନୀଙ୍କ ଆବାହନର ବାର୍ତ୍ତା ଦେଉଛି । ଶସ୍ୟ ଶ୍ୟାମଳାରେ ଧରାକୁ ସଜ୍ଜିତ କରିଛି । ଶାରଦୀୟ ଋତୁର ସନ୍ଦେଶ ଦେଇ ବାଟ ସାରା ବିଞ୍ଚି ହେଲାଣି ଫୁଲେଇ କାଶତଣ୍ଡୀ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଧରାପୃଷ୍ଟକୁ ମା' ଦୁର୍ଗାଙ୍କର ଆଗମନ ପାଇଁ ସଜେଇ ହୋଇଛି ପ୍ରକୃତି ରାଣୀ । ସବୁଜ ବନାନୀ ଓ କାଶତଣ୍ଡୀ ଫୁଲରେ ହଲି ହଲି ମା'ଙ୍କୁ ସ୍ୱାଗତ ଜଣାଉଛି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଦେଇଛି କାଶତଣ୍ଡୀର ମହକ । କାଶ ତଣ୍ଡି ପ୍ରକୃତିର ଏକ ଅନବଦ୍ୟ ଉପହାର । ବର୍ଷା ଋତୁର ଶୁଭ ବିଦାୟ ପରେ ଅର୍ଥାତ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ । କାଶତଣ୍ଡୀ ଫୁଲ ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ । ରାସ୍ତାକଡ଼ ହେଉ ଅବା ଗାଁ ଗହିରୀ ଚାଷ କ୍ଷେତର ହିଡ, ନଇପଠା ସବୁଠି କାଶତଣ୍ଡୀର ବିଜୟ ବୈଜୟନ୍ତୀ ।

ଧରାବତରଣ କରିବେ ଜଗତ ଜନନୀ

ଋତୁ ଚକ୍ରର ପରିକ୍ରମାରେ ବଦଳିଥାଏ ପ୍ରକୃତିର ସୌନ୍ଦର୍ଯ୍ୟ । ସର୍ବଦା ସବୁଜ ରଙ୍ଗରେ ଚହଟୁଥିବା ଧରିତ୍ରୀ ଶରତ ଋତୁରେ ଧୋବ ଫର ଫର ଶାଢ଼ୀ ପିନ୍ଧି ସଜେଇ ହୁଏ । ସତେ ଯେପରି ମା' ଦଶଭୂଜାଙ୍କ ଧରାବତରଣକୁ ଆଗମନ କରୁଛି । ଖୋଲା ଆକାଶର ରାସ୍ତା କଡ଼ଠାରୁ ଆରମ୍ଭ କରି ନଦୀପଠା ଯାଏ ଧଳା ରଙ୍ଗର କାଶତଣ୍ଡି ଫୁଲର ପସରା ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ଧରଣୀର ଏହି ଅପୂର୍ବ ରୂପକୁ ଉପଭୋଗ କରିବା ପାଇଁ ରାସ୍ତାରେ ଯାଉଥିବା ବାଟୋଇ ଟିଏ ଘଡ଼ିଏ ଅଟକିଯାଏ । କବି ପ୍ରାଣରେ ଏହା ଭରିଦିଏ ନବ ଉନ୍ମାଦନା । ଏହାର ସୌନ୍ଦର୍ଯ୍ୟର ଆଭାରେ କ୍ଷଣକ ପାଇଁ ଦର୍ଶକ ଭୁଲିଯାଏ ସମସ୍ତ ପାର୍ଥିବ ଜାତନାକୁ । ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ । ଆଉ ତାକୁ ଦେଖିବା ମାତ୍ରେ ମନରେ ଖେଳିଯାଏ ଅପାର ପୁଲକ । କବି ଟିଏ ପାଇଁ ଏ କୁଆଡେ ପ୍ରେରଣାର ଉତ୍ସ । ଏହାର ରୂପ ଲାବଣ୍ୟରେ ବିମୋହିତ କବି କାଶତଣ୍ଡୀର କମରରେ ଗଢି ତୋଳେ କବିତାର କୋଣାର୍କ ।

ଏହା ମଧ୍ୟ ପଢ଼ନ୍ତୁ: ଦଶହରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ, ମେଢ଼ରେ ଲାଗିବ GPS

ପାର୍ବଣ ଋତୁର ସୂଚନା ସାଙ୍ଗକୁ ଜଗତ ଜନନୀ ମା' ଦୁର୍ଗାଙ୍କ ଆଗମନର ବାର୍ତ୍ତା ନେଇ ସାରା ଜଗତକୁ ଜଣାଇ ଦିଏ ଶାରଦୀୟ ସନ୍ଦେଶ । ପ୍ରଲମ୍ବିତ ବାହୁ ଆଉ ସବୁଜ ପତ୍ରର କଅଁଳ ପାପୁଲିରେ ନୈବେଦ୍ୟ ବାଢି ଅପେକ୍ଷା କରିଥାଏ ସେହି ଦେବୀ ବନ୍ଦନା ପାଇଁ । କାଶତଣ୍ଡୀର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଦୁର୍ଗତିନାଶିନୀ । ରେଖା ପଞ୍ଚମୀରେ ଓଡ଼ିଶାର ଘରେ ଘରେ କାଶ ତଣ୍ଡି ଫୁଲର ବେଣୀ ବନ୍ଧା ଯିବା ପରମ୍ପରା ପ୍ରମାଣ କରେ ଯେ ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ସ୍ବାକ୍ଷର ।

ଇଟିଭି ଭାରତ, ରାୟଗଡ଼ା

Last Updated :Sep 25, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.