ETV Bharat / state

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Jan 15, 2023, 9:17 PM IST

Man died for road accident
ଢେଙ୍କାନାଳରେ ସଡ଼କ ଦୁର୍ଘଟଣା

ଢେଙ୍କାନାଳ ସର୍ଭିସ ରୋଡରେ ଧକ୍କା ଦେଲା ଅଜଣା ଗାଡ଼ି । ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଅଧିକ ପଢ଼ନ୍ତୁ

ଢେଙ୍କାନାଳରେ ସଡ଼କ ଦୁର୍ଘଟଣା

ଢେଙ୍କାନାଳ : ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜାତୀୟ ରାଜପଥ ୫୩ ନମ୍ବରସ୍ଥିତ ମହିଳା ମହାବିଦ୍ୟାଳୟ ରାସ୍ତା ଓଭର ବ୍ରିଜ ତଳେ ଥିବା ସର୍ଭିସ ରୋଡରେ । ମୃତକ ଜଣକ ହେଲେ ଭୁବନ ଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର-୨ର ଦାମୋଦର ସାହୁ(୬୦) । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ।

ଦାମୋଦର ନିଜ ମଟରସାଇକେଲରେ କୋହ୍ଲସାହି ପଟୁ ଓଭରବ୍ରିଜ ତଳେ ଯାଉଥିଲେ । ସେହି ସମୟରେ କାମାକ୍ଷାନଗର ପଟୁ ଦ୍ରୁତ ଗତିରେ ଆସୁଥିବା ଏକଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦାମୋଦର ଛିଟିକି ଯାଇ ବହୁ ଦୂରରେ ପଡ଼ିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚିଥିଲେ । ଖବରପାଇ ଭୁବନ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦାମୋଦରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦାମୋଦରଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ପରିବାର ଲୋକେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ନମ୍ବର ଅବରୋଧ କରିଛନ୍ତି । ରାସ୍ତାରେ ଟାୟାର ଜାଳିବା ସହ ଗଛ ଓ କାଠ ପକାଇ ରାସ୍ତାରୋକ କରିଥିଲେ । ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । ଦାବି ପୂରଣ ନହେଲେ ଉଠିବେ ନାହିଁ ବୋଲି ଅଡି ବସିଥିଲେ ଗ୍ରାମବାସୀ। ଦାମୋଦର ବ୍ୟକ୍ତିଗତ କାମରେ ଘରୁ ବାହାରି କାମାକ୍ଷାନଗରକୁ ଯାଉଥିଲେ । ଶୀଘ୍ର ଆସି ଘରେ ପହଞ୍ଚିବେ ବୋଲି କହିଥିଲେ । ହେଲେ କିଏ ବା ଜାଣିଥିଲା ଯେ ଏଭଳି ଦୁର୍ଘଟଣା ଘଟିବ ।

ଏହାମଧ୍ୟ ପଢ଼ନ୍ତୁ.ବିଦେଶୀ ଖେଳାଳିଙ୍କ ପସନ୍ଦ ଡାଲମା ଓ ସନ୍ତୁଳା, ମନ ମୋହୁଛି ଓଡ଼ଆ ଆତିଥ୍ୟ

ଘରକୁ ଶୀଘ୍ର ଫେରିବେ ବୋଲି କହି ଆଉ ଫେରିଲେ ନାହିଁ ଦାମୋଦର । ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ବେସାହାରା ହୋଇପଡ଼ିଛି ପୁରା ପରିବାର । ନିସ୍ତବ୍ଧ ପାଲଟିଯାଇଛି ଗାଁ । ଏଣେ ଘରେ ପଡ଼ିଛି କାନ୍ଦବୋବାଳି । ଚେତା ହରାଇ ବସୁଛନ୍ତି ପରିବାର ଲୋକେ । ଏ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦାମୋଦରଙ୍କ ପରିବାରର ଲୋକେ । ତେଣୁ ଯେପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆନଯିବ ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ଗ୍ରାମବାସୀ । ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା । ଏଠାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ଅନେକ ସମୟରେ ଅକାଳରେ ଚାଲିଯାଉଛି ବହୁ ଜୀବନ । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.