ETV Bharat / state

ପୁଣି ଢେଙ୍କାନାଳରେ ଗର୍ଜିଲା ବନ୍ଧୁକ, ଅଳ୍ପକେ ବର୍ତ୍ତିଲେ ଯୁବକ

author img

By ETV Bharat Odisha Team

Published : Oct 10, 2023, 9:15 AM IST

firing in dhenkanal
firing in dhenkanal

ଢେଙ୍କାନାଳରେ ଗୁଳିମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ । ଅଧିକ ପଢନ୍ତୁ

firing in dhenkanal

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢେଙ୍କାନାଳରେ ଗର୍ଜିଲା ବନ୍ଧୁକ । ଗଣେଶ ପୂଜାରୁ ଲାଗି ରହିଥିବା ବିବାଦକୁ ନେଇ ସଦର ଥାନା ଅଞ୍ଚଳରେ ଫୁଟିଲା ଗୁଳି । ସୋମବାର ରାତିରେ ହରିପୁର ଗ୍ରାମରେ 4ଜଣ ଯୁବକ ଆସି ଜଣେ ଯୁବକଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁଳିକାଣ୍ଡ ପରେ 4 ଯୁବକ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବନ୍ଧୁକଟିକୁ ଛାଡି ପଳାଇଥିବା ଜଣାପଡିଛି । ଏନେଇ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିର ଦୁଇଟି ଖୋକା ଜବତ କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ହରିପୁର ଗ୍ରାମର ମୋହିନୀ ଶଙ୍କର ସାହୁ ଓ ଉକ୍ତ ଗ୍ରାମର ଶିବ ନାଏକ ନାମକ ଦୁଇ ଯୁବକଙ୍କ ମଧ୍ୟରେ ଗଣେଶ ପୂଜାରୁ ବିବାଦ ଲାଗି ରହିଥିଲା । ଯାହାକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ଗାଁରେ ଲକ୍ଷ୍ମୀ ପୂଜା ବୈଠକ ବସିଥିବା ବେଳେ ଶିବ ନାଏକ ଓ ତାର ସାଥି ଶଙ୍କର ନାଏକ, ପ୍ରଶାନ୍ତ ବେହେରା ଓ ଶଙ୍କର୍ଷଣ ବେହେରା ମୋହିନୀ ସହ ପାଟିତୁଣ୍ଡ କରିଥିଲେ । ପରେ ଶିବ ନାଏକ ଆଣିଥିବା ଏକ ବନ୍ଧୁକରୁ ମୋହିନୀ ଉପରକୁ ଗୁଳି ଚଳାଇବା ପରେ ଉଭୟ ଧସ୍ତାଧସ୍ତି ହୋଇଥିଲେ । ଫଳରେ ବନ୍ଧୁକରୁ ଦୁଇ ରାଉଣ୍ଡ ଉପରକୁ ଫାୟାର ହୋଇଥିବା ଯୋଗୁଁ ମୋହିନୀ ସାହୁ ବର୍ତ୍ତି ଯାଇଥିଲେ । ତେବେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଶିବ ନାଏକ ଓ ତାର ୩ଜଣ ସାଥି ପିସ୍ତଲ ଛାଡି ପଳାଇଥିଲେ । ଏହି ଘଟଣାକୁ ନେଇ ହରିପୁର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-ଗୁଳିମାଡ଼ରେ ଯୁବକ ମୃତ, ସମିତି ସଭ୍ୟ ହତ୍ୟା ମାମଲାର ଥିଲା ମୁଖ୍ୟ ଅଭିଯୁକ୍ତ

ଗତ ସେପ୍ଟେମ୍ବର 28 ତାରିଖରେ କାମାକ୍ଷାନଗରରେ ଗୁଳିମାଡ ହୋଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ଘର ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ । କାମାକ୍ଷାନଗର ଥାନା ମାଳବନ୍ଧ ରେଲଓ୍ବେ ବ୍ରିଜ ସଉରିଆ ଆମ୍ବତୋଟା ନିକଟରେ ନୀର ଓରଫ ନିରାକାର ସାହୁ ନାମକ ଯୁବକଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିବା ସହ ବେକରେ କ୍ଷତ ଚିହ୍ନ ରହିଥିଲା । ବାରୁଆଁ(କା) ସମିତିସଭ୍ୟ ଦୀପକ ମାହୁନ୍ତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରହିଥିଲା ନୀର । ସେପ୍ଟମ୍ବର 24 ତାରିଖ 2021 ମସିହାରେ ଗୁଳିମାଡରେ ବାରୁଆଁ(କା) ସମିତିସଭ୍ୟ ଦୀପକ ମାହୁନ୍ତଙ୍କର ଜୀବନ ଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.