ବିବାଦୀୟ ଜୋରନ୍ଦା ମହିମା ଗାଦି ତୃତୀୟ ବେଢା ଉଚ୍ଛେଦ, ମହିମା ସାଧୁ ଭାବବିହ୍ବଳ

author img

By

Published : Nov 22, 2022, 9:55 PM IST

ବିବାଦୀୟ ଜୋରନ୍ଦା ମହିମା ଗାଦି ତୃତୀୟ ବେଢା ଉଚ୍ଛେଦ, ମହିମା ସାଧୁ ଭାବବିହ୍ବଳ

ଉଚ୍ଛେଦ ହେଲା ଢେଙ୍କାନାଳ ବିବାଦୀୟ ଜୋରନ୍ଦା ମହିମା ଗାଦିର ତୃତୀୟ ବେଢା । ଏହି ସ୍ଥାନକୁ ନେଇ ଦୀର୍ଘ ୭୮ ବର୍ଷ ଧରି ଉଭୟ କୌପନୀ ଓ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ବିଶ୍ବପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଜୋରନ୍ଦା ମହିମା ଗାଦି ତୃତୀୟ ବେଢାକୁ ଉଚ୍ଛେଦ କରାଯାଇଛି । ଏହି ବେଢାରେ କୌପନୀଧାରୀ ମାହିମା ସାଧୁମାନେ ଧୁନୀ, ଅଖଣ୍ଡବତୀ ଆଦି ମନ୍ଦିର କରି ସାଧନା କରୁଥିଲେ । ଯାହାକୁ ନେଇ ଦୀର୍ଘ ୭୮ ବର୍ଷ ଧରି ଉଭୟ କୌପନୀ ଓ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।

ମହିମା ଗାଦିରେ ଚାପା ଉତ୍ତେଜନା

ଉଚ୍ଛେଦ ସମୟରେ ମହିମା ଗାଦିରେ ଚାପା ଉତ୍ତେଜନା ଦେଖାଦେଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଏସଡିପିଓଙ୍କ ସମେତ ବରିଷ୍ଠ ପୋଲିସ ପଦାଧିକାରୀ ଘଟଣାସ୍ଥଳରେ ଡେରା ପକାଇଛନ୍ତି । ଉଚ୍ଛେଦ କରାଯାଇଥିବା ମହିମା ଗାଦିସ୍ଥିତ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢାରେ ରହିଥିଲା କୌପନୀଧାରୀ ମହିମା ସାଧୁମାନଙ୍କ ଆଖଣ୍ଡବତୀ ମନ୍ଦିର, ଧୂନୀ ମନ୍ଦିର ଓ ଭେକ ମନ୍ଦିର । କୌପନୀଧାରୀ ମହିମା ସମାଜ ପକ୍ଷରୁ ଏହି ଜାଗାରେ ଦୀର୍ଘ ବର୍ଷ ଧରି କରାଯାଉଥିଲା ନୀତିକାନ୍ତି ।

୧୯୪୪ ମସିହାରୁ ଲାଗି ରହିଥିଲା ବିବାଦ

ମହିମା ଗାଦିର ମୋଟ ୭୬ ଏକର ଜାଗାରୁ ଏହି ମାହାଲମୂଳ ୯ ଗୁଣ୍ଠ ଜାଗାରେ ସ୍ବର୍ଗତ ଦୀନବନ୍ଧୁ ବାବାଙ୍କ ଅନ୍ତେ ୧୯୪୪ ମସିହାରୁ ଉଭୟ ବକଳ ଓ କୌପନୀଧାରୀ ସାଧୁଙ୍କ ଲାଗି ରହିଥିଲା ବିବାଦ । ଏପରିକି ଏହି ଜାଗାକୁ ନେଇ ଉଭୟ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳକୁ ନେଇ ଅନେକ ସମୟରେ ମହିମା ଗାଦି ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି । ତେବେ ଜୋରନ୍ଦା ଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଜନ ସମାଗମକୁ ନେଇ ତୃତୀୟ ବେଢାର ଏହି ମାହାଲମୂଳ ଜାଗା ଖାଲି କରିବା ଆବଶ୍ୟକତା ସମ୍ପର୍କରେ ବକଳଧାରୀ ମହିମା ସମାଜ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଫଳରେ ଗତ ୧୯୯୮ ମସିହାରେ ହାଇକୋର୍ଟଙ୍କ ପକ୍ଷରୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶକୁ ରଦ୍ଦ ପାଇଁ କୌପନିଧାରୀ ମହିମା ସାଧୁ ସୁପ୍ରିମକୋର୍ଟକୁ ଯାଇଥିଲେ । ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିବାରୁ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କରାଯାଇଛି ।

ଭାବବିହ୍ବଳ ହେଲେ କୌପନୀଧାରୀ ମହିମା ସାଧୁ

ଆଖି ଆଗରେ ମାଟିରେ ମିଶିଗଲା ଦୀର୍ଘ ୭୮ ବର୍ଷର ସାଧନାସ୍ଥଳୀ । ଜେସିବି ଲଗାଇ ଭାଙ୍ଗି ଦିଆଗଲା ମହିମା ସାଧୁଙ୍କର ଅଖଣ୍ଡବତୀ ମନ୍ଦିର, ଧୂନୀ ମନ୍ଦିର ଓ ଭେକ ମନ୍ଦିର । ଆଉ ଏଠାରୁ ବନ୍ଦ ହୋଇଗଲା ଦୀର୍ଘ ବର୍ଷର ନୀତିକାନ୍ତି । ଯାହାକୁ ନେଇ କାନ୍ଦି ପକାଇଲେ କୌପନୀଧାରୀ ମହିମା ସାଧୁ । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ କୌପନିଧାରୀ ମହିମା ସାଧୁମାନେ ନାଚାର ହୋଇପଡିଥିଲେ । ତେବେ "ପ୍ରଭୂ ବୁଝିବେ" ବୋଲି କହି ନିଜର ଦୁଃଖ ବ୍ୟକ୍ତ କରିଛନ୍ତି କୌପନିଧାରୀ ମହିମା ସାଧୁ । ସେପଟେ ଦୀର୍ଘ ବର୍ଷର ବିବାଦର ଅବସାନ ଘଟିଥିବା କହି ବକଳଧାରୀ ମହିମା ସାଧୁ ଆଶ୍ବସ୍ତ ହୋଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.