ETV Bharat / state

ଜାତୀୟ ରାଜପଥରେ ହାତୀପଲ; ଆତଙ୍କିତ ଢେଙ୍କାନାଳବାସୀ

author img

By ETV Bharat Odisha Team

Published : Dec 10, 2023, 7:28 AM IST

ଜାତୀୟ ରାଜପଥରେ ହାତୀପଲ, ଆତଙ୍କିତ ଅବସ୍ଥାରେ ଢେଙ୍କାନାଳବାସୀ
ଜାତୀୟ ରାଜପଥରେ ହାତୀପଲ, ଆତଙ୍କିତ ଅବସ୍ଥାରେ ଢେଙ୍କାନାଳବାସୀ

Elephant Terror In Dhenkanal: ହାତୀମାନଙ୍କ ଉପଦ୍ରବରେ ପୁଣି ଆତଙ୍କିତ ଢେଙ୍କାନାଳବାସୀ । ଜାତୀୟ ରାଜପଥ ୫୫କୁ ଅତିକ୍ରମ କଲେ ୨୨ଟିକିଆ ହାତୀପଲ । ଅଧିକ ପଢନ୍ତୁ

ଜାତୀୟ ରାଜପଥରେ ହାତୀପଲ, ଆତଙ୍କିତ ଅବସ୍ଥାରେ ଢେଙ୍କାନାଳବାସୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଛାଡୁ ନାହାନ୍ତି ବଣୁଆ ହାତୀପଲ । କେତେବେଳେ ଜାତୀୟ ରାଜପଥରେ ତ ଆଉ କେତେବେଳେ କେଉଁ ଗାଁ ମୁଣ୍ଡରେ । ହାତୀମାନଙ୍କ ଉପଦ୍ରବରେ ଢେଙ୍କାନାଳ ଜିଲ୍ଲାବାସୀଙ୍କ ନିଦ ହଜିଗଲାଣି । ସୂଚନା ଅନୁସାରେ ଷଡଙ୍ଗୀ ରେଞ୍ଜ ବାଇସିଙ୍ଗା ପଞ୍ଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀପଲଙ୍କୁ ଦେଖିବାକୁ ମିଳିଛି । ଏହି ୨୨ ଟିକିଆ ହାତୀପଲରେ ଛୋଟ, ବଡ ଓ ମାଆ ହାତୀମାନଙ୍କୁ ଏକକାଳୀନ ଏତେ ସଂଖ୍ୟାରେ ଦେଖି ଛାନିଆ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।

ଫସଲ ଅମଳ ସମୟ ହୋଇଥିବାରୁ ହାତୀପଲ ପଶି ସବୁ ନଷ୍ଟ ଭ୍ରଷ୍ଟ କରି ଦେବାର ଆଶଙ୍କା ରହିଛି । ସେଥିପାଇଁ ଚିନ୍ତାରେ ଅଛନ୍ତି ଚାଷୀ । ଏହି ହାତୀପଲ ଭୁବନ ପଟୁ ନଦୀ ପାର ହୋଇ ବଲ୍ଲଭ ଗାଁ ନିକଟକୁ ଚାଲି ଆସିଥିବା କହିଛନ୍ତି ରେଞ୍ଜର । ଶନିବାର ସକାଳୁ ହାତୀପଲ ଗାଁ ନିକଟସ୍ଥ ବିଲମାଳରେ ପଶିଥିବା ଦେଖିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ପରେ ଷଡଙ୍ଗୀ ରେଞ୍ଜ ପକ୍ଷରୁ ଏକ ଟିମ ସେଠାକୁ ଯାଇ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ... ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଗତ ୬ ତାରିଖ ଦିନ ହାତୀପଲ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଦେଖାଯାଇଥିଲା । ଏଥିପାଇଁ ଅଧଘଣ୍ଟା ଧରି ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ହଳଦିଆବାହାଳ ନିକଟରେ ସମ୍ପ୍ରସାରଣ କାମ ଅଧାପନ୍ତରିଆ ହୋଇ ପଡିରହିଛି । ସେଥିପାଇଁ ରାସ୍ତା ମଝିରେ ପ୍ରାୟ ଅଢେଇ ଫୁଟ ଉଚ୍ଚର କ୍ରସରଗୁଣ୍ଡ ଓ ମାଟି ଜମା ହୋଇରହିଛି । ଯାହାକି ହାତୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ରାସ୍ତା ଅତିକ୍ରମ କରିବା ପାଇଁ ହାତୀମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି ।

ହାତୀମାନେ ରାସ୍ତା ପାର ହେବା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡିମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ହାତୀମାନଙ୍କୁ ଜାତୀୟ ରାଜପଥ ଅତିକ୍ରମ କରିବାରେ ବାଧା ନ ସୃଷ୍ଟି କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ । ଏହାପରେ ଅଧଘଣ୍ଟା ପରେ ହାତୀମାନେ ଅତିକ୍ରମ କରିସାରିଲା ପରେ ରାସ୍ତାରେ ସାଧାରଣ ଯାତାୟାତ ସ୍ବାଭାବିକ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.