ETV Bharat / state

ଶୁଣିଲାନି ପ୍ରଶାସନ, ନାଳ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Jan 5, 2024, 10:43 AM IST

ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ
villagers built bridge

Villagers built bridge: ଯାତାୟତରେ ବାଧକ ସାଜିଥିଲା ବାଳିଆପିଟା ନାଳ । ପୋଲ ନିର୍ମାଣ ଦାବି ପରେ ବି ଶୁଣିଲାନୀ ପ୍ରଶାସନ । ନାଳ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ। ଅଧିକ ପଢନ୍ତୁ

villagers built bridge

ଦେବଗଡ: ଶୁଣିଲାନି ପ୍ରଶାସନ, ଶେଷରେ ନାଳ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେ ଗ୍ରାମବାସୀ । ବାଲି, ଗୋଡି, ମାଟି, ପଥର ଓ ହୋମ ପାଇପ ନାଳ ଉପରେ ପକାଇ ଅସ୍ଥାୟୀ ପୋଲସ ନିର୍ମାଣ କରିଛନ୍ତି ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ । ଗୋଟିଏ ପଟେ ପ୍ରତି ଗ୍ରାମରେ ପକ୍କା ରସ୍ତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏପଟେ କିନ୍ତୁ କଲଣ୍ଡା ପଞ୍ଚାୟତରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । କାଳିଆକଟା, ଚଡ଼କମରା, ଗୋବିନ୍ଦପୁର, ପଥରୁସାହି ଆଦି ଚାରୋଟି ଗ୍ରାମରେ ଯାତାୟତ ପାଇଁ ରାସ୍ତା ଖଣ୍ଡିଏ ନାହିଁ । ଫଳରେ ୪ଟି ଗାଁର ଲୋକେ ଦେବଗଡ଼କୁ ଯାତାୟତ କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବାଳିଆପିଟା ନାଳ । ନାଳ ଅତିକ୍ରମ କରି ପ୍ରତିଦିନ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ଦେବଗଡ଼ ସହରକୁ ଯାତାୟତ କରିଥାନ୍ତି ।

ବର୍ଷା ଋତୁ ଆସିଲେ ନାଳ ଦେଇ ଯାତାୟତ କରିବା ଅସମ୍ଭବ ହୋଇପଡ଼େ । ଫଳରେ ଗ୍ରାମବାସୀ ଦୀର୍ଘ 10 / 12 କିଲୋମିଟର ଦୂରତା ଅତିକ୍ରମ କରି ଦେବଗଡ଼ ସଦର ମହକୁମାରେ ପହଞ୍ଚିଥାନ୍ତି । ଏହି ନାଳ ଯୋଗୁଁ ଗ୍ରାମକୁ ଜରୁରୀ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରେ ନାହିଁ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ଚାରିଗୋଟି ଗ୍ରାମର ଲୋକେ ବାଳିଆପିଟା ନାଳରେ ପୋଲଟିଏ ନିର୍ମାଣ କରାଇବାକୁ ଆଜକୁ ଦୀର୍ଘ ଦଶବର୍ଷ ହେଲା ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି । ଏପରିକି ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରି କରି ଶେଷରେ ନିରାଶ ହୋଇଛନ୍ତି । ପରିତାପର ବିଷୟ ଯେ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ବୈମାତୃକ ମନୋଭାବ ଯୋଗୁଁ ଏପର୍ଯ୍ୟନ୍ତ ଏହି ନାଳ ଉପରେ ପୋଲଟିଏ ନିର୍ମାଣ ହୋଇ ପାରିଲା ନାହିଁ । ଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ଚାରିଖଣ୍ଡ ଗ୍ରାମର ପାଖାପାଖି 2 ହଜାରରୁ ଉର୍ଦ୍ଧ୍ବ ଲୋକ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମନମାନି କଲେ ଠିକାଦାର, ନିଜସ୍ବ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନ ଉପରୁ ସମ୍ପୂର୍ଣ୍ଣ ରୂପେ ଆସ୍ଥା ହରାଇବା ପରେ ଶେଷରେ ନିଜ ଉଦ୍ୟମରେ ନାଳ ଉପରେ ଅସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । କାଳିଆକଟା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରମଦାନ କରି ନାଳ ଉପରେ କିଛି ହୋମ୍ ପାଇପ ପକାଇ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟତ ବ୍ୟବସ୍ଥାକୁ ସୁଗମ କରିବାକୁ ଉଦ୍ୟମ କରିଛନ୍ତି । ବର୍ଷା ଋତୁକୁ ବାଦ ଦେଲେ ଅନ୍ୟ ଦିନରେ ଗାଁକୁ ଯାତାୟତ ସମ୍ଭବ ହୋଇପାରିବ ଏବଂ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିବ ବୋଲି ଗ୍ରାମବାସୀ ଆଶା ବ୍ୟକ୍ତ କରିଛନ୍ତି ।

ଗୋଟିଏ ପଟେ ସରକାର ପ୍ରତି ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ନିମନ୍ତେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇ ବିକଶିତ ଭାରତର ସ୍ୱପ୍ନ ଦେଖାଉଛନ୍ତି । ମାତ୍ର ଦେବଗଡ଼ ସଦର ମହକୁମାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏହି ୪ଟି ଗାଁର ଅବସ୍ଥା ଦେଖିଲେ ସରକାରଙ୍କ ଯୋଜନା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚି ପାରୁଛି ତାହା ସହଜରେ ଅନୁମେୟ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.