ETV Bharat / state

ହାଇକୋର୍ଟଙ୍କ ଆଦେଶକୁ ଅବମାନନା, ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ

author img

By ETV Bharat Odisha Team

Published : Nov 26, 2023, 9:56 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା ଅଭିଯୋଗରେ ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହି ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

show cause notice
କାରଣ ଦର୍ଶାଅ ନୋଟିସ

ଦେବଗଡ଼: ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରିବା ପଡିଲା ମହଙ୍ଗା । ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଉଚ୍ଚ ନ୍ୟାୟାଳୟ । ସୂଚନା ଅନୁଯାୟୀ , ଦେବଗଡ଼ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରି ଆସୁଥିବା ଭଗବାନ ଗଡନାୟକ ମାସିକ 5 ହଜାର ଟଙ୍କା ଦରମା ପାଉଥିଲେ । ସେହି ଦରମାରେ ସେ ପରିବାର ପ୍ରତିପୋଷଣ କରି ଆସୁଥିଲେ । ମାତ୍ର ବିଦ୍ୟାଳୟର କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଗତ ଜୁଲାଇ 2018 ମସିହାରୁ ଜୁନ 2022 ମସିହା ପର୍ଯ୍ୟନ୍ତ ତାଙ୍କର ଦରମା ବନ୍ଦ କରି ଦେଇଥିଲେ ।

ଏ ସମ୍ପର୍କରେ ଭଗବାନ ବାରମ୍ବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ଥିବା ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଶେଷରେ ନ୍ୟାୟ ନପାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହାର ଶୁଣାଣି କରି ବକେୟା ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜୁଲାଇ 2022ଠାରୁ ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏରିୟର ପ୍ରତି ମାସ 15ଶହ ଟଙ୍କା ଲେଖାଏଁ ୩ ମାସ ମଧ୍ୟରେ ପ୍ରଦାନ କରିବାକୁ ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଦେବଗଡ଼ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ରେବେକା ବିଲୁଙ୍ଗଙ୍କୁ ଆଦେଶ ଦେଇଥିଲେ ।

ମାତ୍ର ନିର୍ଦ୍ଧାରିତ ସମୟ ବିତିଯିବା ପରେ ସୁଦ୍ଧା ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି ଲାଇବ୍ରେରୀ ଆଟେଣ୍ଡେଣ୍ଟଙ୍କୁ ତାଙ୍କ ପ୍ରାପ୍ୟ ଦରମା ଦିଆଗଲା ନାହିଁ । ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ହାଇକୋର୍ଟଙ୍କ ଆଦେଶକୁ ବେଖାତିର କରି କୌଣସି ପଦକ୍ଷେପ ନନେଇ ଚୁପ ରହିଲେ । ଏ ସଂକ୍ରାନ୍ତରେ ଆବେଦନକାରୀ ପୁଣିଥରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗରେ ଗତ 20 ତାରିଖ ଦିନ ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ରେବେକା ବିଲୁଙ୍ଗଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଏହା ମଧ୍ୟ ପଢନ୍ତୁ...Curb Proxy Sarpanch Menace: ମହିଳା ସରପଞ୍ଚଙ୍କ କାର୍ଯ୍ୟ ତୁଲାଉଛନ୍ତି ସ୍ବାମୀ, ରିପୋର୍ଟ ତଲବ କଲେ ହାଇକୋର୍ଟ

ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ରେବେକା ଆସନ୍ତା 5 ତାରିଖ ଦିନ ହାଇକୋର୍ଟରେ ଉପସ୍ଥିତ ରହି କୋର୍ଟ ଆଦେଶକୁ ନମାନିବା ପଛର କାରଣ କ'ଣ ରହିଛି ତାହା ଦର୍ଶାଇବା ପାଇଁ ଏହି ନୋଟିସରେ ଉଲ୍ଲେଖ ରହିଛି । ସେପରି ନକଲେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.