ETV Bharat / state

Curb Proxy Sarpanch Menace: ମହିଳା ସରପଞ୍ଚଙ୍କ କାର୍ଯ୍ୟ ତୁଲାଉଛନ୍ତି ସ୍ବାମୀ, ରିପୋର୍ଟ ତଲବ କଲେ ହାଇକୋର୍ଟ

author img

By ETV Bharat Odisha Team

Published : Nov 9, 2023, 5:13 PM IST

ମହିଳା ସରପଞ୍ଚଙ୍କ ସ୍ବାମୀ ସରପଞ୍ଚ ଭାବରେ କାର୍ଯ୍ୟ କରୁଛନ୍ତି । ଏଭଳି ଏକ ମାମଲାର ଶୁଣାଣି କରି ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Curb Proxy Sarpanch menaceat
Curb Proxy Sarpanch menace

Curb Proxy Sarpanch menace

କଟକ: ହାଇକୋର୍ଟରେ କା’ ସରପଞ୍ଚ (ମହିଳା ସରପଞ୍ଚଙ୍କ ସ୍ଥାନରେ ତାଙ୍କ ସ୍ବାମୀ କାର୍ଯ୍ୟ କରିବା) ମାମଲା । ମହିଳା ସରପଞ୍ଚଙ୍କ ସ୍ବାମୀ ସରପଞ୍ଚ ଭାବରେ କାର୍ଯ୍ୟ କରୁଛନ୍ତି ! ଏଭଳି ଅଭିଯୋଗ ହାଇକୋର୍ଟରେ ପହଞ୍ଚି ଥିବା ବେଳେ ଏହି ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି କରି ଏ ପ୍ରସଙ୍ଗରେ କଡ଼ା ଟିପ୍ପଣି ରଖିଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ପ୍ରସଙ୍ଗରେ କହିଛନ୍ତି ଯେ, ଏହି କାରଣରୁ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣରେ ବାଧକ ସାଜିଛି । କା’ ସରପଞ୍ଚ ବା ସରପଞ୍ଚ ଭାବେ ଜିତିଥିବା ମହିଳାଙ୍କ ସ୍ବାମୀମାନେ ମହିଳାଙ୍କ ପାଇଁ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାର ଉଦ୍ଦେଶ୍ୟକୁ ପ୍ରତିହତ କରୁଛନ୍ତି ।

ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗର ଯଥାର୍ଥତା ରକ୍ଷା କରିବା ପଞ୍ଚାୟିତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଦାୟିତ୍ବ ଅଟେ । ବିଶେଷ ଭାବେ ମହିଳାମାନେ ସରପଞ୍ଚ ଥିବା ସ୍ଥାନରେ ପଞ୍ଚାୟତର ପରିଚାଳନା ପ୍ରକ୍ସି ସରପଞ୍ଚ କରୁଥିବା ବେଳେ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି । ତେବେ ଏନେଇ ପଞ୍ଚାୟତିରାଜ ବିଭାଗ ସଚିବଙ୍କ ନିକଟରୁ ଜବାବ ତଲବ କରିଛନ୍ତି କୋର୍ଟ । ଏଭଳି ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ସଂପୃକ୍ତ ବିଭାଗ ତରଫରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମହିଳା ସରପଞ୍ଚଙ୍କୁ ଉପଯୁକ୍ତ କ୍ଷମତା ବିକାଶ ତାଲିମ ପ୍ରଦାନ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ହେଉଥିବା ଅଭିଯୋଗର ସମାଧାନ ପାଇଁ ଜିଲ୍ଲାସ୍ତରରେ କଣ ବ୍ୟବସ୍ଥା ରହିଛି, ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ହାଇକୋର୍ଟ ପଞ୍ଚାୟତିରାଜ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ପ୍ରଥମ ଯୁକ୍ତି ଉପସ୍ଥାପନା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଏହା ବି ପଢନ୍ତୁ: Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଆବେଦନକାରୀ ମନୋଜ କୁମାର ମଙ୍ଗରାଜଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥି ସହିତ ଆବେଦନକାରୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପର ପଞ୍ଚାୟତରେ ଗାଁ ସାଥୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ଦିଆଯିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଡିସେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଆବେଦନକାରୀ କୋର୍ଟଙ୍କୁ କଣ ପାର୍ଥନା କରିଥିଲେ ?

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପର ପଞ୍ଚାୟତରେ ଆବେଦନକାରୀ ଗାଁ ସାଥୀ ଭାବେ କାର୍ଯ୍ୟ କରୁଥିବା ବେଳେ ମହିଳା ସରପଞ୍ଚଙ୍କ ସ୍ବାମୀଙ୍କ ନିର୍ଦ୍ଦେଶ ନ ମାନିବାରୁ ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ତୁରେଇଛଡ଼ା ଗ୍ରାମରେ ହୋଇଥିବା ମନରେଗା‌ କାର୍ଯ୍ୟରେ ୩୦ଜଣ ଜବ୍‌କାର୍ଡଧାରୀ କୌଣସି କାର୍ଯ୍ୟ କରି ନଥିବା ବେଳେ, ସମସ୍ତେ ଉପସ୍ଥିତ ଥିଲେ ବୋଲି ଦର୍ଶାଇବାକୁ ସରପଞ୍ଚଙ୍କ ସ୍ବାମୀ ଆବେଦନକାରୀଙ୍କୁ କହିଥିଲେ । କିନ୍ତୁ ସଂପୃକ୍ତ ଜବ୍‌କାର୍ଡଧାରୀ ମନରେଗା କାମରେ ଅନୁପସ୍ଥିତ ଥିଲେ । ତେଣୁ ସରପଞ୍ଚଙ୍କ ସ୍ବାମୀଙ୍କ ବେଆଇନ ଅନୁରୋଧ ଆବେଦନକାରୀ ରକ୍ଷା କରି ପାରି ନଥିଲେ ।

ଏହାପରେ ସରପଞ୍ଚଙ୍କ ସ୍ବାମୀ ପ୍ରତିଶୋଧ ପରାୟଣ ହୋଇ ଆବେଦନକାରୀଙ୍କୁ ଗାଁ ସାଥୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ଅନୁମତି ଦେଇ ନଥିଲେ । ଏହି ପ୍ରସଙ୍ଗ ନେଇ ଆବେଦନକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା । ୨୦୧୭ରୁ ଗାଁ ସାଥୀ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କୁ ଏହି ପଦରେ ସ୍ଥାୟୀ ଭାବେ ନିଯୁକ୍ତି ଦେବାକୁ ଅନୁମୋଦନ କରାଯାଇଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କ ଆକ୍ରୋଶ କାରଣରୁ ସେ ସମସ୍ୟାରେ ପଡ଼ିଥିଲେ । ଯାହାକୁ ନେଇ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏଥିସହ ଆବେଦନରେ ଦର୍ଶାଇଥିଲେ ଯେ ଚପରିଆ ସରପଞ୍ଚଙ୍କ ସ୍ବାମୀ , ସରପଞ୍ଚ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର କୌଣସି କ୍ଷମତା ନଥିବା ବେଳେ ସେ ନିଜକୁ ସରପଞ୍ଚ ପତି ଭାବେ ସମସ୍ତ କାର୍ଯ୍ୟ କରୁଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କୋର୍ଟଙ୍କୁ ପାର୍ଥନା କରିଥିଲେ ଆବେଦନକାରୀ । ତେବେ କୋର୍ଟ ଏହି ମାମଲାକୁ ଗୁରୁତ୍ବର ନେବା ସହ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.