ETV Bharat / state

ଭୂତକୋଠୀ ପାଲଟିଛି ବିହନ ପ୍ରୋସେସିଂ ୟୁନିଟ: ଖତ ଖାଉଛି ଯନ୍ତ୍ରପାତି, ହନ୍ତସନ୍ତ ଚାଷୀ

author img

By ETV Bharat Odisha Team

Published : Nov 6, 2023, 7:01 AM IST

farmers problem in deogarh
ପରିତ୍ୟକ୍ତ ଅବସ୍ଥାରେ ସିଡ୍ସ ପ୍ରୋସେସିଂ ୟୁନିଟ

୩ ବର୍ଷ ଧରି ଜିଲ୍ଲା କୃଷି କାର୍ଯ୍ୟାଳୟରେ ପରିତ୍ୟକ୍ତ ଭାବେ ପଡିଛି ଧାନ ବିହନ ପ୍ରୋସେସିଂ ୟୁନିଟ । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଚାଷୀ । ଅଧିକ ପଢନ୍ତୁ

ପରିତ୍ୟକ୍ତ ଅବସ୍ଥାରେ ସିଡ୍ସ ପ୍ରୋସେସିଂ ୟୁନିଟ

ଦେବଗଡ଼: ଭୂତକୋଠୀ ପାଲଟିଛି ବିହନ ପ୍ରୋସେସିଂ ୟୁନିଟ । ଦୀର୍ଘ ୩ ବର୍ଷ ଧରି ଜିଲ୍ଲା କୃଷି କାର୍ଯ୍ୟାଳୟରେ ପରିତ୍ୟକ୍ତ ଭାବେ ପଡିଛି ଧାନ ବିହନ ପ୍ରୋସେସିଂ ୟୁନିଟ୍‌ । ବିଭିନ୍ନ ଆଳ ଦେଖାଇ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଥିବାବେଳେ, ଏଠାରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ବ୍ୟବହାର ନହୋଇ ଖତ ଖାଉଛି । ଫଳରେ ଏହା ଉପରେ ନିର୍ଭରଶୀଳ ଜିଲ୍ଲାର ଚାଷୀକୂଳ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ର ପ୍ରାୟ 80 ପ୍ରତିଶତ ଜନସାଧାରଣ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାଆନ୍ତି । ପ୍ରତିବର୍ଷ ଜିଲ୍ଲାରେ 32ରୁ 40 ହଜାର ହେକ୍ଟର ପରିମିତ କମିରେ ଧାନଚାଷ କରାଯାଇଥାଏ । ଜିଲ୍ଲାର ଚାଷୀ ମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଇ ଦେବା ଲକ୍ଷ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ବିହନ ନିଗମ ପକ୍ଷରୁ ଏକ ଧାନ ବିହନ ପ୍ରୋସେସିଂ ୟୁନିଟ ସ୍ଥାପନ ହୋଇଥିଲା । ଚାଷୀମାନେ ଏଠାକୁ ଉନ୍ନତ ମାନର ବିହନ ଆଣି ପହଞ୍ଚାଉଥିଲେ । ଏଠାରେ ଚାଷୀମାନଙ୍କ ବିହନର ମାନ ପରୀକ୍ଷଣ କରାଯିବା ପରେ ସିଡ୍ସ କର୍ପୋରେସନକୁ ପଠାଯାଇ ସେମାନଙ୍କୁ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ କରାଯାଉଥିଲା ।


କିନ୍ତୁ କର୍ମଚାରୀଙ୍କ ଅଭାବ ଆଳ ଦେଖାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ୟୁନିଟକୁ ୩ ବର୍ଷ ହେଲା ବନ୍ଦ କରି ଦେଇଛନ୍ତି । ଫଳରେ ଏଠାରେ ଲାଗିଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ବ୍ୟବହାର ନହୋଇ ଖତ ଖାଉଛି । ଜିଲ୍ଲା କୃଷକ ସଂଘ ସମ୍ପାଦକ ଯଯାତି କିଶୋର ବିଶ୍ୱାଳ କହିଛନ୍ତି, "ଚାଷୀମାନେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାଠାରେ ଥିବା ୟୁନିଟକୁ ନିଜ ଶସ୍ୟ ନେଇ ଯାଉଛନ୍ତି । ଦେବଗଡ଼ରୁ କୁଚିଣ୍ଡାର ଦୂରତା 53 କିଲୋମିଟର ହୋଇଥିବାବେଳେ ଚାଷୀମାନେ ଏଥିରେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ଏଥିସହିତ ସେମାନେ ନିଜ ଶସ୍ୟର ଉଚିତ ମୂଲ୍ୟ ନିର୍ଦ୍ଧାରିତ ସମୟରେ ପାଇବାରୁ ବି ବଞ୍ଚିତ ହେଉଛନ୍ତି ।"

ଏହା ବି ପଢନ୍ତୁ...ଚାଷୀ ସମସ୍ୟା ଉଠାଇଲା ବିଜେପି, କୃଷି ଯନ୍ତ୍ରପାତି ଓ ଧାନ କିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ଧାନ ବିହନ ପ୍ରୋସେସିଂ ୟୁନିଟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଦାବି କରାଯାଉଛି । ମାତ୍ର ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.