ETV Bharat / state

କୁକୁର କାମୁଡ଼ାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟଣାରେ ୧୦ ଲକ୍ଷ କ୍ଷତିପୂରଣ

author img

By ETV Bharat Odisha Team

Published : Dec 13, 2023, 1:14 PM IST

କୁକୁର କାମୁଡ଼ାରେ ମୃତ୍ୟୁ ଘଟଣାରେ ୧୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ
କୁକୁର କାମୁଡ଼ାରେ ମୃତ୍ୟୁ ଘଟଣାରେ ୧୦ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

10 Lakh Compensation On Dog Bite Death Case: କୁକୁର କାମୁଡ଼ାରେ ୪ ବର୍ଷର ଶିଶୁ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ରାୟ । ମୃତ ଶିଶୁର ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢ଼ନ୍ତୁ

କଟକ: କୁକୁର କାମୁଡ଼ାରେ ମୃତ୍ୟୁ ପାଇଁ ୧୦ ଲକ୍ଷ କ୍ଷତିପୂରଣ । ମୃତକଙ୍କ ପରିବାରୁ କ୍ଷତିପୂରଣ ରାଶି ଦେବାକୁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୨୦୧୬ରେ ପୁରୀରେ ବୁଲା କୁକୁର କାମୁଡାରେ ଜଣେ ୪ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନିରେ ବୁଲା କୁକୁର କାମୁଡ଼ାରେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା । ଉପଯୁକ୍ତ କ୍ଷତିପୂରଣ ପ୍ରାର୍ଥନା କରି ପରିବାର ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି ସମୟରେ ପୀଡ଼ିତ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଓ ରେଡ୍‌ କ୍ରସ୍‌ରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା । କୁକୁର କାମୁଡ଼ା ଜନିତ କ୍ଷତି ପାଇଁ ପୌର ଆଇନରେ କୌଣସି କ୍ଷତିପୂରଣ ବ୍ୟବସ୍ଥା ନାହିଁ ବୋଲି ପୁରୀ ପୌରପାଳିକା ତରଫରୁ ଦର୍ଶାଯାଇଥିଲା । ଯଦି ଅଧିକ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ବିଚାରକୁ ନିଆଯାଏ ତେବେ ସୁପ୍ରିମକୋର୍ଟଙ୍କ ସରଳା ବର୍ମା ରାୟ ଅନୁସାରେ ଗୁଣକ ପଦ୍ଧତି (ମଲ୍ଟିପ୍ଲାୟର ମେଥଡ୍‌) ଆଧାରରେ ଶିଶୁକୁ ଚାରି ବର୍ଷ ହୋଇଥିବାରୁ ୬୦ ହଜାର ଟଙ୍କା କ୍ଷତିପୂରଣ ମିଳିବା କଥା ବୋଲି ପୁରୀ ପୌରପାଳିକା ପକ୍ଷରୁ ଦର୍ଶାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: SCBରେ କେବେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବ ଜଣାଅ: ହାଇକୋର୍ଟ

ଅନ୍ୟପଟେ ୪ ବର୍ଷର ଶିଶୁର ମୃତ୍ୟୁ ପାଇଁ ପୀଡ଼ିତ ପରିବାରର ଅପୂରଣୀୟ ‌କ୍ଷତି ହୋଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ । ସମାନ ଧରଣର ମାମଲାରେ କର୍ଣ୍ଣାଟକ ଓ ଦେଶର ଅନ୍ୟ ହାଇକୋର୍ଟ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାୟ ଦେଇଛନ୍ତି । ଏ ସଂପର୍କିତ ରାୟର କପି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦାଖଲ କରାଯିବା ସହିତ ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ନିବେଦନ କରାଯାଇଥିଲା । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସମ୍ପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ପ୍ରସଙ୍ଗରେ ରାୟ ପ୍ରଦାନ କରିଛନ୍ତି କୋର୍ଟ । ମୃତ ଶିଶୁର ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ଅଦାଲତ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ।

କ'ଣ ଥିଲା ପୁରା ଘଟଣା:

୨୦୧୬, ଡିସେମ୍ବର ୧ରେ ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନିରେ ଏକ ଚାରି ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ମାରିଥିଲା । ମୃତ ଶିଶୁର ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ବୁଲା କୁକୁର ଉତ୍ପାତ ରୋକିବାକୁ ପଦକ୍ଷେପ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ନେଇ ୨୦୧୬ରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିଲା । କୁକୁର କାମୁଡ଼ାରେ ପ୍ରାଣ ହରାଇଥିବା ଶିଶୁର ବାପା ହୃଦାନନ୍ଦ ରାଉତ ଓ ମାଆ କାଜଲ ରାଉତଙ୍କୁ ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ୨୦୨୩, ମାର୍ଚ୍ଚ ୯ରେ ହାଇକୋର୍ଟ ଅନୁମତି ବି ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.