ETV Bharat / state

SCBରେ କେବେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବ ଜଣାଅ: ହାଇକୋର୍ଟ

author img

By ETV Bharat Odisha Team

Published : Dec 13, 2023, 7:22 AM IST

Etv Bharat
Etv Bharat

SCB Fire Safety Case: କଟକ ବଡ଼ ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହାଇକୋର୍ଟ । କେବେ ସୁଦ୍ଧା ଏସସିବିରେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବ ସେନେଇ ଅବଗତ କରିବାକୁ ଦେଲେ ନିର୍ଦ୍ଦେଶ ଅଧିକ ପଢନ୍ତୁ

କଟକ: କଟକ ବଡ଼ ମେଡିକାଲରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି କୋର୍ଟ ଅସନ୍ତୋଷ ଜାହିର କରିବା ସହ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେନେଇ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଏସ୍‌ସିବି ଅଧୀକ୍ଷକଙ୍କ ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା ତାହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ବର୍ଷରୁ ଅଧିକ ସମୟ ‌ଲାଗିବ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିବା ସହ ନିର୍ଦ୍ଦିଷ୍ଟ କେବେ ଏହି ନିରାପତ୍ତା ବ୍ୟବସ୍ଥା ଏସସିବିରେ ଉପଲବ୍ଧ ହେବ ସେନେଇ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଅବଗତ କରିବାକୁ ହାଇକୋର୍ଟ ଅଗଷ୍ଟ ୧୪ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ରାଜ୍ୟ ସରକାର ଓ ଏସ୍‌ସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ହୋଇଥିଲା । କେତେ ତାରିଖ ସୁଦ୍ଧା ଏସ୍‌ସିବିରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବଗତ କରିବାକୁ କୁହାଯାଇଥିଲା । ଯଥାଶୀଘ୍ର ଅଗ୍ନି ନିରାପତ୍ତା ପାଇଁ ଉପଯୁକ୍ତ ଡିଜାଇନ୍‌ ପ୍ରସ୍ତୁତ କରାଯିବ ବୋଲି ହାଇକୋର୍ଟ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ବେଆଇନ ବାଲି ଉଠାଣ ମାମଲା, ପୂର୍ବତନ କଟକ ଜିଲ୍ଲାପାଳଙ୍କୁ କୋର୍ଟଙ୍କ ଭତ୍ସନା

ସେପ୍ଟେମ୍ବର ୧୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଅଗଷ୍ଟ ୧୪ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପ୍ଟେମ୍ବର ୧୧ରେ ରାଜ୍ୟ ସରକାର ‌ଦାଖଲ କରିଥିବା ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥି ସହିତ ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସସିବି ମେଡିକାଲ କଲେଜରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହାପରେ ନଭେମ୍ବର ୧୭ରେ ଏନେଇ ଅତିରିକ୍ତ ସତ୍ୟପାଠ ହାଇକୋର୍ଟରେ ଏସ୍‌ସିବି ଅଧୀକ୍ଷକ ଦାଖଲ କରିଥିଲେ ।

୨୦୧୩ରେ ଏସ୍‌ସିବି ମେଡିକାଲ କଲେଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅଧୀକ୍ଷକଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା । ସେତେବେଳେ ଏଥିପାଇଁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଇ ଆବେଦନକାରୀ ୨୦୧୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ଏସ୍‌ସିବିର ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.