ETV Bharat / state

ଶୁଣିଲାନି ଶିକ୍ଷା ବିଭାଗ, ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Sep 7, 2022, 10:55 PM IST

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାରମ୍ବାର ଅଭିଯୋଗ ସତ୍ତ୍ବେ ଶିକ୍ଷକ ନିଯୁକ୍ତି ନହେବାରୁ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଥିବା ରେଙ୍ଗାତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଦେବଗଡ: ଚକାଚକ ବିଦ୍ୟାଳୟ ସହ ଅଛନ୍ତି ଛାତ୍ରଛାତ୍ରୀ ହେଲେ ନାହାନ୍ତି ଶିକ୍ଷକ। ବିନା ଶିକ୍ଷକରେ ଦୀର୍ଘ ଛଅ ବର୍ଷ ହେଲା ଚାଲିଛି ବିଦ୍ୟାଳୟ। ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରି ବିଫଳ ହେବାପରେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଧାରଣାରେ ବସି ରହିଛନ୍ତି । ଏଭଳି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଏମିତି ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଥିବା ରେଙ୍ଗାତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ।

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ରେଙ୍ଗାତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 109 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷାଦାନ ପାଇଁ 5 ଜଣ ଶିକ୍ଷକ ରହିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଅଷ୍ଟମ ରୁ ଦଶମ ଶ୍ରେଣୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ନାହାନ୍ତି ଜଣେ ହେଲେ ବି ଶିକ୍ଷକ । ଫଳରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷକ ଅଭାବରୁ ପାଠ ପଢ଼ାରୁ ବଞ୍ଚିତ ହୋଇ ଆସୁଛନ୍ତି । ବର୍ଷେ ନୁହଁ କି ଦୁଇବର୍ଷ ଦୀର୍ଘ ଛଅବର୍ଷ ହେଲା ଏଠାରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଶିକ୍ଷକ ଅଭାବରୁ ଏଠାରେ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ବସିଥିବା ନେଇ କହିଛନ୍ତି ଛାତ୍ରଛାତ୍ରୀ। ତେବେ ଏନେଇ ଅଭିଭାବକ ଓ ଗ୍ରାମବାସୀ ଦୀର୍ଘ ଛଅ ବର୍ଷ ହେଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଖାମଖିଆଲି ମନୋଭାବ ତଥା ଦାୟିତ୍ବହୀନତା କାରଣରୁ ହାଇସ୍କୁଲ ରେ ଛଅବର୍ଷ ହେଲା ଜଣେ ହେଲେବି ଶିକ୍ଷକ ନିଯୁକ୍ତି ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲ ତାଲା ପକାଇଲେ ଛାତ୍ରଛାତ୍ରୀ

ଏହାର ପ୍ରତିବାଦରେ ଓ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ( ବୁଧବାର ) ସକାଳୁ ମହାସିନ୍ଧୁ ଗ୍ରାମବାସୀ , ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ରେଙ୍ଗାତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ସ୍କୁଲ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ହାଇସ୍କୁଲରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଓ ଅଭିଭାବକ ପ୍ରକାଶ କରିଛନ୍ତି । ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ସରକାର 5T ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ହେଲେ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ଏଠାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାକୁ ବସିଲାଣି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.