ETV Bharat / state

ପର୍ଯ୍ୟଟକଙ୍କୁ ବିମୋହିତ କରିବ ଯୋଗୀହୁଳି ପାହଡ; ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ପ୍ରଶାସନିକ ମଞ୍ଜୁରୀ

author img

By ETV Bharat Odisha Team

Published : Oct 13, 2023, 8:23 AM IST

Updated : Oct 15, 2023, 1:05 PM IST

ପର୍ଯ୍ୟଟକଙ୍କୁ ବିମୋହିତ କରିବ ଯୋଗୀହୁଳି ପାହଡ
ପର୍ଯ୍ୟଟକଙ୍କୁ ବିମୋହିତ କରିବ ଯୋଗୀହୁଳି ପାହଡ

ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ ତାଲିକାରେ ଯୋଡ଼ି ହେଲା ଯୋଗୀହୁଳି ପାହଡ଼ । ଏହି ମନୋରମ ସ୍ଥଳୀର ବିକାଶ ପାଇଁ ମିଳିଲା ପ୍ରଶାସନିକ ମଞ୍ଜୁରୀ । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କୁ ବିମୋହିତ କରିବ ଯୋଗୀହୁଳି ପାହଡ

ଦେବଗଡ଼: ଲୋକଙ୍କ ଦାବି ଶୁଣିଲେ ସରକାର । ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ ତାଲିକାରେ ଯୋଡି ହେଲା ରିଆମାଳ ବ୍ଲକ ମହକୁମାରେ ଥିବା ପ୍ରାଚୀନ ମଠ ଯୋଗୀହୁଳି ପାହାଡ଼ । ଏହି ଉଚ୍ଚତମ ଗିରିଶୃଙ୍ଗରେ ସ୍ଥିତ ଦେବସ୍ଥଳୀ ଓ ପ୍ରାଚୀନ ମଠର ପୁନରୁଦ୍ଧାର କରି ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି । ଏଥିପାଇଁ ରାଜ୍ୟ ସରକାର 60 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଦେବଗଡ଼ ଜିଲ୍ଲା । ସବୁଜ ବଣ ପାହାଡ଼ ପରିବେଷ୍ଟିତ ଏହି ଜିଲ୍ଲାରେ ରହିଛି ଏକାଧିକ ଐତିହ ସମ୍ପନ୍ନ ମଠ ମନ୍ଦିର, ଜଳପ୍ରପାତ, ଜଳଭଣ୍ଡାର ଓ ପ୍ରାଚୀନ ଗୁମ୍ଫା । ସେଥିମଧ୍ୟରୁ ରିଆମାଳ ବ୍ଲକ ମହକୁମାରେ ଥିବା ଯୋଗୀହୁଳି ପାହାଡ଼ ଅନ୍ୟତମ । ରିଆମାଳ ଗାଁ ମଧ୍ୟସ୍ଥଳୀ 53 ନାମ୍ବର ରାଜପଥ କଡରେ ଅବସ୍ଥିତ ପ୍ରାୟ 300 ଫୁଟ ଉଚ୍ଚ ବିଶିଷ୍ଟ ଏହି ଯୋଗୀହୁଳି ପାହାଡ଼ । ଧଳା ପଥର ଚଟାଣରେ ସୃଷ୍ଟି ହୋଇଥିବା ଏହି ପାହାଡ଼ ଗାଁର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ଏହାର ଏକ ରହସ୍ୟମୟ କିମ୍ବଦନ୍ତୀ ମଧ୍ୟ ରହିଛି ।

ପ୍ରାଚୀନ କାଳରେ ଯୋଗୀହୁଳି ପାହାଡ଼ ଶୀର୍ଷରେ ଥିବା ଏକ ପ୍ରସ୍ତର ଗୁମ୍ଫାରେ ଋଷି ମୁନି ଓ ତପସ୍ୱୀମାନେ ସାଧନା କରି ଆସୁଥିଲେ । ମାତ୍ର ସେମାନେ ସିଦ୍ଧିପ୍ରାପ୍ତ ହେବାପରେ ଅନ୍ୟତ୍ର ଚାଲି ଯିବାରୁ 1958 ମସିହାଠାରୁ ଏଠାରେ ବାବା ପ୍ରେମାନନ୍ଦଙ୍କ ଦ୍ଵାରା ଏକ ମଠ ପରିଚାଳିତ ହୋଇଆସୁଛି । ବର୍ତ୍ତମାନ ମଠରେ ପ୍ରାୟ 20 ଜଣ ସାଧୁ ସନ୍ୟାସୀ ଅବସ୍ଥାନ କରୁଛନ୍ତି । ମଠରେ ମାଆ ଦୁର୍ଗା ଓ କାଳୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଯୋଗୀ ମୁନି ଋଷିଙ୍କ ଆସ୍ଥାନ ହୋଇଥିବାରୁ ଏହି ପାହାଡ଼କୁ ଯୋଗୀହୁଳି ନାଁରେ ନାମିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବର୍ଷାରେ ଭୁଶୁଡିଲା ଶ୍ରେଣୀଗୃହ, ବାରଣ୍ଡାରେ ଗଢ଼ା ଚାଲିଛି ଭବିଷ୍ୟତ

ପ୍ରତିବର୍ଷ ଏହି ମଠରେ ମକର ସଂକ୍ରାନ୍ତି ପର୍ବ ମହାଆଡମ୍ବରରେ ପାଳିତ ହୋଇଥାଏ । ଏହି ପର୍ବରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ପାହାଡ଼ ଶୀର୍ଷକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ଯୋଗୀହୁଳି ପାହାଡ଼ ଶୀର୍ଷର ପ୍ରାକୃତିକ ପରିବେଶ ଓ ମନୋରମ ଦୃଶ୍ୟ ଦେଖିବା ପାଇଁ ଅଧିକାଂଶ ସମୟରେ ଏଠାକୁ ଦର୍ଶକ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ପର୍ଯ୍ୟଟକଙ୍କ ଯାତାୟତ ସୁବିଧା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କିଛି ବର୍ଷ ପୂର୍ବରୁ ପାହାଡ଼ ଶୀର୍ଷକୁ ଏକ ପାହାଚ ନିର୍ମାଣ କରାଯାଇଥିଲା । ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମନୋରମ ସ୍ଥଳୀ ବିଶେଷ ଭାବେ ଲୋକଲୋଚନକୁ ଆସିପାରି ନାହିଁ ।


ଯୋଗୀହୁଳି ମଠର ବିକାଶ ଓ ପୁନରୁଦ୍ଧାର ପାଇଁ ଆଜକୁ ଦୀର୍ଘ ବର୍ଷ ହେବ ଅଞ୍ଚଳବାସୀ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ଆଶ୍ୱାସନାର ବିଷୟ ଯେ, ବିଳମ୍ବରେ ହେଲେ ସୁଦ୍ଧା ଦେବଗଡ ଜିଲ୍ଲାର ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିଛି । କିଛି ଦିନ ତଳେ ଫାଇବ-ଟି ସଚିବ ଭି. କେ. ପାଣ୍ଡିଆନ ଦେବଗଡ଼ ଗସ୍ତରେ ଆସିଥିବା ବେଳେ ରିଆମାଳ ବିକାଶ ମଞ୍ଚ ତରଫରୁ ଏ ସଂକ୍ରାନ୍ତରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସଚିବ ଏହି ପର୍ଯ୍ୟଟନ ସ୍ଥଳୀର ଗୁରୁତ୍ୱ ଉପଲବ୍ଧି କରି ଏହାକୁ ରାଜ୍ୟର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସହମତି ପ୍ରକାଶ କରିଥିଲେ ।

ଏହାପରେ ଯୋଗୀହୁଳିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନିକ ମଞ୍ଜୁରୀ ମିଳିବା ସହ 60 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ମିଳିଛି । ଏହି ଅର୍ଥ ବିନିଯୋଗ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଯୋଗୀହୁଳି ପାହାଡ଼ର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଫଳରେ ଯୋଗୀହୁଳି ପାହାଡ଼ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ସହିତ ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକର୍ଷିତ କରିବା ନେଇ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି ।

ଇଟିଭି ଭାରତ, ଦେବଗଡ଼

Last Updated :Oct 15, 2023, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.