ETV Bharat / state

ଭୂମିହୀନଙ୍କ ନାଁରେ ଋଣ ଉଠାଇ ଟଙ୍କା ଖାଇଗଲେ ସେକ୍ରେଟେରୀ ! ଥାନାରେ ମାମଲା

author img

By

Published : Sep 13, 2022, 9:11 PM IST

ଦେବଗଡ଼ ଜିଲ୍ଲା ସେବା ସମବାୟ ସମିତି ସେକ୍ରେଟାରୀଙ୍କ ବିରୋଧରେ ପୁଣି ଏକ ସାଙ୍ଘାତିକ ଅଭିଯୋଗ । ଭୂମିହୀନଙ୍କ ନାଁରେ ଋଣ ଉଠାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଭୂମିହୀନଙ୍କ ନାଁରେ ଋଣ ଉଠାଇ ଟଙ୍କା ଖାଇଗଲେ ସେକ୍ରେଟେରୀ ! ଥାନାରେ ମାମଲା
ଭୂମିହୀନଙ୍କ ନାଁରେ ଋଣ ଉଠାଇ ଟଙ୍କା ଖାଇଗଲେ ସେକ୍ରେଟେରୀ ! ଥାନାରେ ମାମଲା

ଦେବଗଡ଼: ଜିଲ୍ଲା ଗାଙ୍ଗନଣ ସେବା ସମବାୟ ସମିତି ( ସୋସାଇଟି ) ରେ ଦୁର୍ନୀତି ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡିଛନ୍ତି ସେବା ସମବାୟ ସେକ୍ରେଟେରୀ ଗୌତମ ଦେହୁରୀ । ପୂର୍ବରୁ ଏକ ମାମଲାରେ ଫସିଥିବା ବେଳେ ଏବେ ଭୂମିହୀନ ପ୍ରଜାଙ୍କ ନାମରେ କୃଷି ଋଣ ଉଠାଇ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇ ଦେବଗଡ଼ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଛି ।

ଗତ କିଛିମାସ ପୂର୍ବରୁ ଜଣେ ମୃତ ହିତାଧିକାରୀଙ୍କ ନାମରେ କୃଷିଋଣ ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗରେ ୧୦ ମାସ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଦେହୁରୀଙ୍କ ନାମରେ ଆସିଛି ପୁଣି ଏକ ସାଙ୍ଘାତିକ ଜାଲିଆତି ଅଭିଯୋଗ । ଏଥର ଜଣେ ଭୂମିହୀନ ପ୍ରଜାଙ୍କ ନାମରେ ଜାଲ ଖତିଆନ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା କୃଷିଋଣ ଆତ୍ମସାତ କରିଥିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଛି । ଏହି ଅଭିଯୋଗ କରିଛନ୍ତି ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଜଣେ ୭୦ ବର୍ଷୀୟ ଭୂମିହୀନ ପ୍ରଜା ରମେଶ ବୁଡ଼ା ।

ଭୂମିହୀନଙ୍କ ନାଁରେ ଋଣ ଉଠାଇ ଟଙ୍କା ଖାଇଗଲେ ସେକ୍ରେଟେରୀ ! ଥାନାରେ ମାମଲା

ସୂଚନା ଅନୁଯାୟୀ, ଛେପଲିପାଲି ଗ୍ରାମର ରମେଶ ବୁଡ଼ା ନାମକ ଜଣେ ଭୂମିହୀନ ପ୍ରଜାଙ୍କୁ ରେକର୍ଡ ଧାରୀ ଦର୍ଶାଇ ଓ ତାଙ୍କ ନାମରେ ଏକ ଜାଲ ଖତିଆନ ପ୍ରସ୍ତୁତ ହୋଇଥିଲା । ଏହାପରେ ଅନ୍ୟ ଲୋକର ଟିପ ଚିହ୍ନ ନେଇ ଏକ କୃଷିଋଣ ଉଠାଇ ସେକ୍ରେଟେରୀ ଦେହୁରୀ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଘଟଣା କିଛିଦିନ ପୂର୍ବରୁ ଲୋକଲୋଚନକୁ ଆସିଥିଲା । ସେବା ସମବାୟ ସମିତି ରେଜିଷ୍ଟର ଅନୁଯାୟୀ ଗତ ୨୦୧୦ ମସିହା ଠାରୁ ୨୦୧୫-୧୬ ମସିହା ପର୍ଯ୍ୟନ୍ତ ରମେଶଙ୍କ ନାମରେ ଏକ କୃଷି ଋଣ ଉଠାଯାଇଥିବା ଉଲ୍ଲେଖ ରହିଛି ।

ଏହା ବି ପଢନ୍ତୁ- ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଦୁର୍ନୀତି, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଗତ ୨୦୧୫-୧୬ ମସିହାରେ ସରକାରଙ୍କ ଫସଲବୀମା ଯୋଜନାରେ ମରୁଡି ସହାୟତା ଟଙ୍କା ଉଠାଯାଇଥିବ ମଧ୍ୟ ଦର୍ଶାଯାଇଛି । ସେକ୍ରେଟେରୀ ଦେହୁରୀ ଜାଲିଆତି କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଜାଣିବା ପରେ ରମେଶ ବୁଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟ ଯାଇ ଦେହୁରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ । ମାତ୍ର ଦେହୁରୀ କୌଣସି ସନ୍ତୋଷ ଜନକ ଉତ୍ତର ନଦେବାରୁ ଅଭିଯୋଗକାରୀ ଏ ସଂକ୍ରାନ୍ତରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ପକ୍ଷରୁ ସେକ୍ରେଟେରୀ ଦେହୁରୀଙ୍କ ନାମରେ ଏକ ଠକେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଗୋଟିଏ ପରେ ଗୋଟିଏ ଜାଲିଆତି ଓ ଅର୍ଥ ଆତ୍ମସାତ ମାମଲାରେ ଛନ୍ଦିହୋଇ ପଡିଥିବା ସେକ୍ରେଟେରୀ ଦେହୁରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.