ETV Bharat / state

ପୋଲିସ ହାତରେ ହ୍ୟାଣ୍ଡକପ, ପ୍ରତାରଣା ଅଭିଯୋଗରେ ବନ୍ଧା ହେଲେ କନେଷ୍ଟବଳ

author img

By ETV Bharat Odisha Team

Published : Sep 1, 2023, 5:05 PM IST

ଖାକିରେ କଳଙ୍କ
ଖାକିରେ କଳଙ୍କ

ମହିଳାଙ୍କୁ ମିଛ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପଡିଲା ମହଙ୍ଗା। ପୋଲିସ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଖାକିରେ କଳଙ୍କ

କଟକ: ରକ୍ଷକ ସାଜିଲା ଭକ୍ଷକ, ପୁଣି ଖାକି ପୋଷାକରେ ଲାଗିଲା କଳଙ୍କ। ପୋଲିସ ହାତରେ ପଡିଲା ହ୍ୟାଣ୍ଡକପ । ମହିଳାଙ୍କୁ ମିଛ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପଡିଲା ମହଙ୍ଗା। ଜୈନିକ ମହିଳା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ପରେ ଉକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକରେ।

ସୂଚନା ଅନୁସାରେ, ଅଭିଯୁକ୍ତ ପୋଲିସ ଜଣଙ୍କ ହେଉଛନ୍ତି କମିଶନରେଟ ପୋଲିସର ରିଜର୍ଭ ଅଫିସରେ କାର୍ଯ୍ୟରତ କନେଷ୍ଟବଳ ହରେକୃଷ୍ଣ ଜେନ। ତେବେ ଦୀର୍ଘ ବର୍ଷ ଧରି କଟକ ତୁଳସୀପୁର ଅଞ୍ଚଳର ଏକ ମହିଳାଙ୍କ ସହ ସମ୍ପର୍କ ରଖି ଆସୁଥିଲେ ହରେକୃଷ୍ଣ । ମହିଳାଙ୍କ ଘରକୁ ରୀତିମତ ଯିବା ଆସିବା କରନ୍ତି ଉକ୍ତ ରିଜର୍ଭ କନେଷ୍ଟବଳ। ଏପରିକି ମିଥ୍ୟ ପ୍ରତିଶୃତି ବଳରେ ଅନେକ ମିଛ ସ୍ୱପ୍ନ ଦେଖାଇ ମହିଳାଙ୍କୁ ପ୍ରେମ ସମ୍ପର୍କରେ ବାନ୍ଧି ରଖିଥିଲେ ଅଭିଯୁକ୍ତ । ଏହାସହ ବର୍ଷ ବର୍ଷ ଧରି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ଏହା ମଧ୍ୟ ପଢନ୍ତୁ....ଖାକିରେ କଳଙ୍କ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ପୋଲିସ କନେଷ୍ଟବଳ

ତେବେ କନେଷ୍ଟବଳ ଜଣଙ୍କ ମିଥ୍ୟା ପ୍ରତିଶୃତି ହେଇଥିବା ଜାଣିବା ପରେ ପୂର୍ବରୁ ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ମହିଳାଙ୍କୁ କନେଷ୍ଟବଳଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କୁହାଯିବା ସହ ମାମଲାକୁ ରଫାଦଫା କରାଯାଇଥିଲା। ତେବେ ଏହି ମାମଲାର ବହୁ ଦିନ ପରେ ମହିଳାଙ୍କୁ କୌଣସି ସହାୟତା ନମିଳିବାରୁ ସ୍ତାନୀୟ ମହିଳା ଥାନାରେ ଏନେଇ ପୁଣିଥରେ ଏତଲା ଦେଇଥିଲେ ମହିଳା । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ହରେକୃଷ୍ଣଙ୍କୁ ନିଜ ବାସ ଭବନରୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ପରେ ଉଭୟ ମହିଳା ଓ ହରେକୃଷ୍ଣଙ୍କ ଡାକ୍ତରୀ ମାଇନା କରଯାଇଛି । ଏହାସହ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ ।

ତେବେ ଏପରି ସ୍ଥଳେ ଯଦି ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀ ଗିରଫ ହେଉଛି ତେବେ ପ୍ରାଥମିକ ସ୍ତରରେ ନିଲମ୍ବନର ନିୟମ ରହିଛି । ଏହାସହ ଆଇନଗତ ଦିଗ ଯାହା ରହିବ ସେହି ଅନୁସାରେ ପୋଲିସ ତାହାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଏହି ଦିଗରେ ପୋଲିସ କନେଷ୍ଟବଳକୁ ପଚରାଉଚରା କରାଯିବା ସହ ଅଧିକ ତଦନ୍ତ ବାକି ରହିଥିବା ସ୍ପଷ୍ଟ କରିଛନ୍ତି କଟକ ଡିସିପି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.