ETV Bharat / state

ଗଣେଶ ପୂଜାରେ ଦୁଲୁକୁଛି ସିଲଭର ସିଟି, ମନ ମୋହୁଛି ଭଳିକି ଭଳି ତୋରଣ

author img

By ETV Bharat Odisha Team

Published : Sep 24, 2023, 8:08 AM IST

କଟକରେ ମନ ମୋହୁଛି ଭଳିକି ଭଳି ତୋରଣ
କଟକରେ ମନ ମୋହୁଛି ଭଳିକି ଭଳି ତୋରଣ

ଦଶହରା ଭଳି କଟକରେ ଏବେ ଗଣେଶ ପୂଜା ମଧ୍ୟ ଜାକଜମକରେ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ହୋଇଥିବା ଆକର୍ଷଣୀୟ ତୋରଣ ସମସ୍ତଙ୍କ ମନ ମୋହୁଛି। ଅଧିକ ପଢନ୍ତୁ

କଟକରେ ମନ ମୋହୁଛି ଭଳିକି ଭଳି ତୋରଣ

କଟକ: ଦଶହରା ଭଳି କଟକରେ ଏବେ ଗଣେଶ ପୂଜା ମଧ୍ୟ ଜାକଜମକରେ ହେବାରେ ଲାଗିଛି । ବିଶେଷ କରି ନୂଆପଡ଼ାର ଗଣେଶ ପୂଜା ପାଲଟିଛି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ । ସୁସଜ୍ଜିତ ଗଗନଚୁମ୍ବି ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା, ଅଳଙ୍କାରରେ ସଜେଇ ହୋଇଥିବା ବିଘ୍ନରାଜଙ୍କ ମୂର୍ତ୍ତି ସାଙ୍ଗକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନରେ ଉଠୁଛିପଡୁଛି ପୂଜା ବଜାର । ବିଭିନ୍ନ ସ୍ଥାନରେ ସୁନ୍ଦରସୁନ୍ଦର ଆଲୋକମାଳା ଆଉ ମନକୁ ମୁଗ୍ଧ କରିଦେବା ଭଳି ଆକର୍ଷଣୀୟ ତୋରଣ ଦେଖିବାକୁ ମିଳିଛି । କଟକ ସହରରେ ପାଖାପାଖି 12ଶହରୁ ଊର୍ଦ୍ଧ୍ୱ ଛୋଟବଡ଼ ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ନୂଆପଡ଼ା, ପ୍ରେସ କଲୋନୀ, ଲେବର କଲୋନୀ ଅଞ୍ଚଳରେ ଆୟୋଜନ କରାଯାଉଥିବା ଗଣେଶ ପୂଜା ବେଶ ଆକର୍ଷଣୀୟ ହୋଇଛି ।

ଏହି ଅଞ୍ଚଳରେ 40ରୁ ଊର୍ଦ୍ଧ୍ୱ ପୂଜା ପେଣ୍ଡାଲରେ ପ୍ରଭୁ ଗଣେଶ ପୂଜା ପାଉଥିବାବେଳେ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ଦିବ୍ୟଜ୍ୟୋତି କ୍ଲବ ପକ୍ଷରୁ ଭୁବନେଶ୍ୱର ରାମ ମନ୍ଦିର, ଜୟ ଜଗନ୍ନାଥ କ୍ଲବ ପକ୍ଷରୁ ରାଣୀହାଟ କ୍ଲକ୍ ଟାୱାର, ଅବତାର କ୍ଲବ ପକ୍ଷରୁ ହାଇଦ୍ରାବାଦ ଚାଓମହଲ ପ୍ୟାଲେସ, ଜୁନିୟର ଷ୍ଟାର କ୍ଲବରେ କୈଳାସ ପର୍ବତ, କିନିଆଲ କ୍ଲବର 31 ଫୁଟର ଗଣେଶ, ମା ମଙ୍ଗଳା କ୍ଳବର ସ୍ଥାୟୀ ପୂଜା ମଣ୍ଡପ, ରୟାଲ କ୍ଲବରେ କୋଲକାତା ହାୱଡା ଷ୍ଟେସନ, ପ୍ରେସ କଲୋନୀ କ୍ଲବରେ ଘଟଗାଁ ତାରିଣୀଙ୍କ ଗେଟ୍‌, ଡ୍ରିମ୍ସ କ୍ଲବରେ କମିଶନରେଟ ପୋଲିସ ଅଫିସ ଗେଟ୍, ଇଣ୍ଡିପେଣ୍ଡେଣ୍ଟ୍‌ କ୍ଲବରେ କାଳୀ ମନ୍ଦିର ଢାଞ୍ଚାରେ ତିଆରି ତୋରଣ ବେଶ ଆକର୍ଷଣୀୟ ହୋଇଛି ।

ଏହା ବି ପଢନ୍ତୁ...ରେଶମ ସହରରେ ଗଜାନନଙ୍କୁ ମେଲାଣି, ଅସ୍ଥାୟୀ ପୋଖରୀରେ କରାଯାଉଛି ବିସର୍ଜନ

ଖାଲି ସେତିକି ନୁହେଁ, ଏହା ମଧ୍ୟରେ ଲକ୍ଷେଶ୍ବର କ୍ଳବର ଚନ୍ଦ୍ରଯାନ-3 ତୋରଣ ମଧ୍ୟ ପାଲଟିଛି ଅନ୍ୟତମ ମୁଖ୍ୟ ଆକର୍ଷଣ । ଏଭଳି ଆୟୋଜନ ପାଇଁ ପୂଜା କମିଟି ଗୁଡିକ ପ୍ରାୟ 2 ଲକ୍ଷ ଟଙ୍କାରୁ ଆରମ୍ଭ କରି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିବା କହିଛନ୍ତି । "ଗଜାନନଙ୍କ ପୂଜା ସହ ବୁଲିବାକୁ ଆସୁଥିବା ଲୋକଙ୍କ ମନ ଖୁସି କରିବା ପାଇଁ ଏହି ସୁନ୍ଦର ଆୟୋଜନ କରାଯାଇଛି" କହିଛନ୍ତି ଆୟୋଜକ । ତେବେ କଟକ ସହରରେ ବିଘ୍ନ ବିନାଶକଙ୍କ ପୂଜା ଆୟୋଜନ ଖାଲି କଟକ ନୁହେଁ ବରଂ ଆଖପାଖ ଜିଲ୍ଲା ଓ ସହରମାନଙ୍କରୁ ଅନେକ ଲୋକଙ୍କୁ ଆକର୍ଷିତ କରୁଛି । ବହୁ ଲୋକ କଟକ ବୁଲିବା ପାଇଁ ଆସି ପ୍ରଭୁ ଗଣେଶଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.