ETV Bharat / state

SCB ଅଗ୍ନି ନିରାପତ୍ତା ମାମଲା, ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 11, 2024, 10:11 PM IST

SCB Medical Fire arrangements: କଟକ ବଡ ମେଡିକାଲ ଏସସିବିରେ ଅଗ୍ନି ନିରାପତ୍ତା ମାମଲା । ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

Orissa High Court
Orissa High Court

କଟକ: ବଡ଼ ମେଡିକାଲ ଏସସିବିରେ ଅଗ୍ନି ନିରାପତ୍ତା ମାମଲା । ସାନି ସତ୍ୟପାଠ ଦାଖଲ କରିବାକୁ କୋର୍ଟ ଆଜି (ଗୁରୁବାର) ନିର୍ଦ୍ଦେଶ ଦେଇଛନ୍ତି । ୯ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ସମୟ ଲାଗିବ ଏବଂ ଯୁଦ୍ଧ କାଳୀନ ଭାବରେ ଏହି କାର୍ଯ୍ୟ ୬ ମାସ ଲାଗିବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ କୋର୍ଟ ଏହି ସତ୍ୟପାଠକୁ ଗ୍ରହଣ କରି ନଥିଲେ । ଏନେଇ ସାନି ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଗତ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ଏସସିବି ଅଧୀକ୍ଷକଙ୍କ ପକ୍ଷରୁ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଛି । ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ଏହି ପ୍ରସଙ୍ଗକୁ ନେଇ ଆରଆଣ୍ଡବି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା । ଆର ଆଣ୍ଡ ବି ପକ୍ଷରୁ ମିଳିଥିବା ସୂଚନାରୁ ଏସସିବିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ୯ ମାସ ସମୟ ଆବଶ୍ୟକ । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଥିବା କର୍ତ୍ତୃପକ୍ଷ ଏସସିବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ ବୋଲି ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- SCBରେ ଅଗ୍ନି ନିରାପତ୍ତା ଵ୍ୟଵସ୍ଥା ପାଇଁ ଲାଗିବ 9 ମାସ, ସତ୍ୟପାଠରେ ଉଲ୍ଲେଖ

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନା ଥାଉ କି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେ ନେଇ ଅବଗତ କରିବାକୁ ହାଇକୋର୍ଟ ଅଗଷ୍ଟ ୧୪ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ରାଜ୍ୟ ସରକାର ଓ ଏସସିବି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସେପ୍ଟେମ୍ବର ୧୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଅଗଷ୍ଟ ୧୪ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପ୍ଟେମ୍ବର ୧୧ରେ ରାଜ୍ୟ ସରକାର ‌ଦାଖଲ କରିଥିବା ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏସସିବି ମେଡିକାଲ କଲେଜରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ । ଏହାପରେ ନଭେମ୍ବର ୧୭ରେ ଏନେଇ ଅତିରିକ୍ତ ସତ୍ୟପାଠ ହାଇକୋର୍ଟରେ ଏସସିବି ଅଧୀକ୍ଷକ ଦାଖଲ କରିଥିଲେ ।

ଏହା ବି ପଢନ୍ତୁ- SCBରେ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ହାଇକୋର୍ଟ ନିର୍ଦ୍ଦେଶ; ୩ରେ ପରବର୍ତ୍ତୀ ଶୁଣାଣି

୨୦୧୩ରେ ଏସସିବି ମେଡିକାଲ କଲେଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅଧୀକ୍ଷକଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା । ସେତେବେଳେ ଏଥିପାଇଁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଇ ଆବେଦନକାରୀ ୨୦୧୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ଏସସିବିର ସବୁ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.