ETV Bharat / state

SCBରେ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ହାଇକୋର୍ଟ ନିର୍ଦ୍ଦେଶ; ୩ରେ ପରବର୍ତ୍ତୀ ଶୁଣାଣି

author img

By ETV Bharat Odisha Team

Published : Dec 15, 2023, 8:41 AM IST

SCB Fire Safety Case: SCBରେ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜାନୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ । ଅଧିକ ପଢନ୍ତୁ

SCB Fire Safety Case
ହାଇକୋର୍ଟରେ ଏସସିବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ମାମଲା

କଟକ: ହାଇକୋର୍ଟରେ କଟକ ବଡ଼ ମେଡିକାଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଶୁଣାଣି ହୋଇଛି । ଗୁରୁବାର ଏହି ମାମଲାରେ SCB ଅଧିକ୍ଷକଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । SCBରେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଅତିକମରେ ଗୋଟିଏ ବର୍ଷ ଲାଗିବ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା । ଏନେଇ କୋର୍ଟ ତୀବ୍ର ଅସନ୍ତୋଷ ଜାହିର କରିବା ସହ ତୁରନ୍ତ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ହୋଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।


ଏହି ସମ୍ପର୍କିତ ମାମଲାର ପୂର୍ବ ଶୁଣାଣିରେ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବ ସେନେଇ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଏସ୍‌ସିବି ଅଧୀକ୍ଷକଙ୍କ ପକ୍ଷରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା ତାହାକୁ ନେଇ ପୂର୍ବରୁ ମଧ୍ୟ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ ସଂପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ବର୍ଷରୁ ଅଧିକ ସମୟ ‌ଲାଗିବ । ଯାହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିବା ସହ ନିର୍ଦ୍ଦିଷ୍ଟ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏସ୍‌ସିବିରେ ଉପଲବ୍ଧ ହେବ ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: SCBରେ କେବେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବ ଜଣାଅ: ହାଇକୋର୍ଟ

ସୂଚନା ଥାଉକି, ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେନେଇ ଅବଗତ କରିବାକୁ ହାଇକୋର୍ଟ ଅଗଷ୍ଟ ୧୪ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ରାଜ୍ୟ ସରକାର ଓ ଏସ୍‌ସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେତେ ତାରିଖ ସୁଦ୍ଧା ଏସ୍‌ସିବିରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବଗତ କରିବାକୁ କହିଥିଲେ ହାଇକୋର୍ଟ । ଯଥାଶୀଘ୍ର ଅଗ୍ନି ନିରାପତ୍ତା ପାଇଁ ଉପଯୁକ୍ତ ଡିଜାଇନ୍‌ ପ୍ରସ୍ତୁତ କରାଯିବ ବୋଲି କହିବା ସହ ସେପ୍ଟେମ୍ବର ୧୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଅଗଷ୍ଟ ୧୪ ତାରିଖ ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସେପ୍ଟେମ୍ବର ୧୧ରେ ରାଜ୍ୟ ସରକାର ‌ଦାଖଲ କରିଥିବା ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ସିବି ମେଡିକାଲ କଲେଜରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ । ଏହାପରେ ନଭେମ୍ବର ୧୭ରେ ଏସସିବି ଅଧୀକ୍ଷକ ଏନେଇ ଅତିରିକ୍ତ ସତ୍ୟପାଠ ହାଇକୋର୍ଟରେ ଦାଖଲ କରିଥିଲେ ।

୨୦୧୩ରେ ଏସ୍‌ସିବି ମେଡିକାଲ କଲେଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅଧୀକ୍ଷକଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା । ସେତେବେଳେ ଏଥିପାଇଁ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଇ ଆବେଦନକାରୀ ୨୦୧୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ଏସ୍‌ସିବିର ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.