ETV Bharat / state

କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା: ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଲା OCA

author img

By

Published : Jan 13, 2023, 6:43 PM IST

Updated : Jan 13, 2023, 8:02 PM IST

ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣାରେ ଓସିଏ ସିଇଓ ସୁବ୍ରତ ବେହେରାଙ୍କ ପ୍ରତିକ୍ରିୟା
ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣାରେ ଓସିଏ ସିଇଓ ସୁବ୍ରତ ବେହେରାଙ୍କ ପ୍ରତିକ୍ରିୟା

ଜଙ୍ଗଲ ମଧ୍ୟରୁ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ଚୟନ ପ୍ରକିୟାରେ ଅନିୟମିତତା ଅଭିଯୋଗ ଆଣି ଝିଅର ମୃତ୍ୟୁ ପାଇଁ ଓସିଏକୁ ଦାୟି କଲେ ପରିବାର । ସେପଟେ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟ କଲେ ଓସିଏ ସିଇଓ ସୁବ୍ରତ ବେହେରା । ଅଧିକ ପଢ଼ନ୍ତୁ

ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣାରେ ଓସିଏ ସିଇଓ ସୁବ୍ରତ ବେହେରାଙ୍କ ପ୍ରତିକ୍ରିୟା

କଟକ: OCA ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଲା ଓଡିଶା କ୍ରିକେଟ ସଂଘ । ଚୟନ ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗକୁ ଖଣ୍ଡନ କରିଛି OCA । ରାଜଶ୍ରୀଙ୍କ ପରିବାରବର୍ଗଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ OCA ସିଇଓ ସୁବ୍ରତ ବେହେରା । ବର୍ତ୍ତମାନର ପ୍ରଦର୍ଶନ ଓ ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ । ଚୟନ ପ୍ରକିୟାରେ କୌଣସି ତ୍ରୁଟି ନଥିବା କହିଲେ ସୁବ୍ରତ ବେହେରା ।

ମହିଳା କ୍ରିକେଟରଙ୍କ ମୃତ୍ୟୁ ନେଇ OCA CEO ସୁବ୍ରତ ବେହେରା କହିଛନ୍ତି, "ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ଆମେ ମର୍ମାହତ । ଆମେ OCAର ଜଣେ ପଞ୍ଜିକୃତ ଖେଳାଳୀଙ୍କୁ ହରାଇଲୁ । ଖେଳରେ ହାର ଜିତ ଥାଏ । କୌଣସି ଖେଳାଳୀ ଏପରି ଚରମ ପଦକ୍ଷେପ ନନେବାକୁ ଅନୁରୋଧ । ଚୟନ ପ୍ରକିୟାରେ କୌଣସି ତ୍ରୁଟି ନାହିଁ । ବର୍ତ୍ତମାନର ପ୍ରଦର୍ଶନ ଓ ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଏ । ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୬ ଜଣଙ୍କ ଭିତରେ ସେ ନଥିଲେ । ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ୍‌ ଚୟନ କରାଯାଇଥିଲା ।"

ସୂଚନାଅନୁସାରେ, ଗତ ୧୧ ତାରିଖରୁ ନିଖୋଜ ଥିଲେ କ୍ରିକେଟର ରାଜଶ୍ରୀ ସ୍ବାଇଁ । ଜାନୁଆରୀ ୧୧ ତାରିଖରେ ବଜ୍ରକବାଟୀରେ ପଡିଥିବା କ୍ୟାମ୍ପରୁ ଘରକୁ ଯାଉଛନ୍ତି କହି ଫେରିନଥିଲେ ରାଜଶ୍ରୀ । ଓଡ଼ିଶା ଦଳରେ ସ୍ଥାନ ପାଇ ନଥିଲେ ରାଜଶ୍ରୀ । ଦଳରେ ସ୍ଥାନ ପାଇନଥିବା ନେଇ ରାଜଶ୍ରୀ ନିରାଶ ଥିବା ଅନୁମାନ କରାଯାଉଥିଲା । ୨ ଦିନ ହେବ ତାଙ୍କ ଫୋନ ସୁଇଚ୍‌ ଅଫ୍ ରହିଥିଲା । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନଥିଲା । ମଙ୍ଗଳାବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ୍‌ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏତଲା ଆଧାରରେ ଗୋଟିଏ ଟିମ୍‌ ଆଠଗଡ଼ ଯାଇ ଛାନଭିନ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ବହୁ ଖୋଜାଖୋଜି ପରେ କଟକ ଖୁଣ୍ଟୁଣି ଗୁରୁଡିଝାରିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କ ଗାଡି ଓ ହେଲମେଟ ମିଳିଥିଲା । ସେଠାରୁ ୨୦୦ ମିଟର ଦୂରରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଦୁଇ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୁହଁରେ ମଧ୍ୟ କ୍ଷତ ଚିହ୍ନ ରହିଛି । ଶରୀରରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି । କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସମୟରେ ରାଜଶ୍ରୀଙ୍କ ମୃତ୍ୟକୁ ନେଇ ସସପେନ୍ସ ଜାରି ରହିଛି । ଗୋଟିଏ ପଟେ ଝିଅର ମୃତ୍ୟୁ ପାଇଁ ପରିବାର ଓସିଏକୁ ଦାୟୀ କରୁଥିବାବେଳେ ଅନ୍ୟପଟେ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟ କରିଛି ଓଡିଶା କ୍ରିକେଟ ସଂଘ ।

ଇଟିଭି ଭାରତ, କଟକ

Last Updated :Jan 13, 2023, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.