ETV Bharat / state

ସରକାରୀ ସ୍କୁଲର ବିକଳ ଚିତ୍ର, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ

author img

By ETV Bharat Odisha Team

Published : Oct 7, 2023, 12:11 PM IST

Updated : Oct 7, 2023, 2:03 PM IST

ସରକାରୀ ସ୍କୁଲର ବିକଳ ଚିତ୍ର
ସରକାରୀ ସ୍କୁଲର ବିକଳ ଚିତ୍ର

ନିଆଳି ବ୍ଲକ ପହଙ୍ଗା ସରକାରୀ ବିଦ୍ୟାଳୟରେ ବିକଳ ଚିତ୍ର । ଶିକ୍ଷକ ଅଭାବରୁ ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଅଧିକ ପଢନ୍ତୁ

ସରକାରୀ ସ୍କୁଲର ବିକଳ ଚିତ୍ର

ନିଆଳି: ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର । ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ । ପିଲା ସଂଖ୍ୟା 400ରୁ ଅଧିକ ଥିବାବେଳେ ପାଠ ପଢାଉଛନ୍ତି ହାତଗଣତି ଶିକ୍ଷକ । ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବରୁ ଅନ୍ଧାରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ତଥା ରାଜଧାନୀ ଠାରୁ ମାତ୍ର ୫୦ କିମି ଦୂର ନିଆଳି ବ୍ଲକର ପହଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରୁ ।

ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତି ପାଇଁ ୫-ଟି ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ମାର୍ଟ କ୍ଲାସରୁମ୍‌ ସହିତ ସବୁଜ ରଙ୍ଗରେ ବିଦ୍ୟାଳୟଗୁଡିକ ଚକ୍‌ଚକ୍ କରାଯାଉଛି । କମ୍ପ୍ୟୁଟରଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ଆଦି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବା କଥା କୁହାଯାଇଛି । ହେଲେ ଯେଉଁଠି ସରକାର ନିଜର ଶିକ୍ଷା ବ୍ୟବସ୍ଥା ପାଇଁ ଡିଣ୍ଡିମ ପିଟୁଛନ୍ତି ସେଠାରେ ବାସ୍ତବରେ ଚିତ୍ର କିଛି ଅଲଗା ।

୧୯୬୦ ମସିହାରେ ପହଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କ ସଂଖ୍ୟା ୧୮୦ । ତେବେ ଏନେଇ ବିଦ୍ୟାଳୟରେ ମୋଟ ୧୭ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୯ ଜଣ । ପ୍ରଧାନ ଶିକ୍ଷକ ପଦବୀ ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ପଦବୀ ଖାଲି ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା, 134 ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପିଅନ, କିରାଣୀ, କମ୍ପ୍ୟୁଟର ଶିକ୍ଷକ ଠାରୁ ଆରମ୍ଭ କରି ଲାଇବ୍ରେରୀ ପର୍ଯ୍ୟନ୍ତ ପଦବୀ ଖାଲି ପଡ଼ିଛି ପହଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ । ଏଥିପାଇଁ ରାଜ୍ୟ ସରକାର କିମ୍ବା ଶିକ୍ଷା ବିଭାଗର କୌଣସି ନିଘା ନାହିଁ । ସେହିପରି ପ୍ରାଥମିକ ବିଦ୍ୟାଳୟ ଅର୍ଥାତ୍ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀର ୨୪୬ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ୧୦ ଜଣ କର୍ମଚାରୀ ଆବଶ୍ୟକ ଥିବା ସ୍ଥଳେ ଅଛନ୍ତି ୬ ଜଣ କର୍ମଚାରୀ । ଚାରି ଶିକ୍ଷକ ପଦବୀ ପଡ଼ିଛି ଖାଲି । କିନ୍ତୁ ଏସବୁ ଘଟଣା ସମ୍ପର୍କରେ କାମଚଳା ହେଉଥିବା କହିଛନ୍ତି ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ । ସେପଟେ ଶିକ୍ଷକ ଅଭାବ ଯୋଗୁଁ ଖୁସି ନାହାନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ତେଣୁ ଯଥାଶୀଘ୍ର ପହଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ଓ ପ୍ରାଇମେରୀ ସ୍କୁଲରେ ଖାଲି ପଡିଥିବା ପଦବୀକୁ ପୂରଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

Last Updated :Oct 7, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.