ETV Bharat / state

ଓସିଏର ବଦନାମ ଅଧ୍ୟାୟ ବୟସ ଜାଲିଆତି, ଉଭୟ ଖେଳାଳି ଓ ଓସିଏକୁ ଦାୟୀ କଲେ ପୂର୍ବତନ ଖେଳାଳି

author img

By ETV Bharat Odisha Team

Published : Jan 6, 2024, 7:16 AM IST

Former Player slams OCA
ଓସିଏର ବଦନାମ ଅଧ୍ୟାୟ ବୟସ ଜାଲିଆତି

Former Player slams OCA: ଓଡ଼ିଶାର ବାମହାତୀ ସ୍ପିନର ସୁମିତ ଶର୍ମାଙ୍କୁ ବିସିସିଆଇ ବୟସ ଜାଲିଆତି ମାମଲାରେ 2 ବର୍ଷ ବ୍ୟାନ୍ କରିବା ପରେ ବଢ଼ିଛି ଓସିଏ ଅଡ଼ୁଆ । ଉଭୟ ଖେଳାଳି ଏବଂ ଓସିଏକୁ ଦାୟୀ କଲେ ପୂର୍ବତନ ଖେଳାଳି । ଅଧିକ ପଢ଼ନ୍ତୁ

ଓସିଏର ବଦନାମ ଅଧ୍ୟାୟ ବୟସ ଜାଲିଆତି

କଟକ: ଓସିଏରେ ପୁଣି ଲାଗିଲା କଳଙ୍କର ଦାଗ । ଦୀର୍ଘ ସମୟ ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ୍‌ ସଂଘକୁ ୟୁ-ଟର୍ଣ୍ଣ ମାରିଛି ବୟସ ଜାଲିଆତିର ବ୍ଲାକ୍‌ ସ୍ପଟ୍‌ । ତାହା ପୁଣି ରଣଜୀ ସିଜିନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ । ବାମହାତୀ ସ୍ପିନର ସୁମିତ ଶର୍ମାଙ୍କୁ 2 ବର୍ଷ ବ୍ୟାନ୍‌ କରିଛି ବିସିସିଆଇ । ଗୋଟିଏ ପଟେ ଓସିଏ ଦୋଷ ନେବାକୁ ଅମଙ୍ଗ ଥିଲାବେଳେ ଅନ୍ୟପଟେ ପୂର୍ବତନ ଓସିଏ ଖେଳାଳି ମାରିଛନ୍ତି ତେରେଚ୍ଛା ବାଣ । ଯାହାକୁ ନେଇ ଏବେ ଓଡ଼ିଶା କ୍ରିକେଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ଦୀର୍ଘ ସମୟର ବ୍ୟବଧାନ ପରେ ଓସିଏକୁ ପୁଣି ଲାଗିଛି ଶକ୍ତ ଝଟ୍‌କା । ବିସିସିଆଇର ସବୁଠୁ ଗୁରୁତ୍ବପୂର୍ଣ୍ଣ ଘରୋଇ ସିଜିନ୍‌ ରଣଜୀ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା କ୍ରିକେଟର ସୁମିତ ଶର୍ମାଙ୍କୁ ଜାଲ ବୟସ ପ୍ରମାଣପତ୍ର ଆଧାରରେ 2 ବର୍ଷ ବ୍ୟାନ କରିଛି ବିସିସିଆଇ । ଯାହାକୁ ନେଇ ଓଡ଼ିଶା କ୍ରିକେଟ ଏକ ପ୍ରକାର ବଦନାମ ହୋଇଛି । ପୂର୍ବରୁ ଅନେକ ଓଡ଼ିଆ ଖେଳାଳି ଏହି ଫେକ୍‌ ଜନ୍ମ ପ୍ରମାଣପତ୍ରର ଗୋଲକଧନ୍ଦାରେ ପଡିଥିଲାବେଳେ ବର୍ତ୍ତମାନ ସୁମିତ ଶର୍ମାଙ୍କ ବ୍ୟାନ ନିର୍ଦ୍ଦେଶ ଓସିଏର କାର୍ଯ୍ୟକାରିତାକୁ ନେଇ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ତେବେ ରଣଜୀ ସିଜିନ ଭଳି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଓସିଏକୁ ଏପରି ଝଟ୍‌କା ଲାଗିବା ଓଡ଼ିଶା କ୍ରିକେଟ ପାଇଁ ଏକ ଲଜ୍ଜାଜନକ ଘଟଣା । 2015-16 ମସିହାରେ ଜୁନିୟର ବର୍ଗରେ ଯେଉଁ ଜନ୍ମ ପ୍ରମାଣପତ୍ର ସେ ଦାଖଲ କରିଥିଲେ, ତାହା ବର୍ତ୍ତମାନ ମେଳ ଖାଉନଥିବା ହେତୁ ବିସିସିଆଇ ନେଇଛି ଏପରି କାର୍ଯ୍ୟାନୁଷ୍ଠାନ । ତେବେ ଏହି ଦିଗରେ ଓସିଏ ସିଇଓ ସମସ୍ତ ଦୋଷ ଖେଳାଳିଙ୍କ ଉପରେ ଲଦିଥିଲା ବେଳେ ଆଗାମୀ ଦିନରେ ଏହି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେ ଦିଗରେ ଓସିଏ ପକ୍ଷରୁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଅଭିଯାନ ପୂର୍ବରୁ ଓସିଏକୁ ଝଟକା, ବୟସ ଜାଲିଆତି ପାଇଁ ସୁମିତଙ୍କୁ 2ବର୍ଷ ବ୍ୟାନ କଲା BCCI

ଚଳିତ ରଣଜୀ ସିଜିନ ପାଇଁ ଗତ ସପ୍ତାହରେ ଟିମ ଘୋଷଣା କରିଥିଲା ଓଡ଼ିଶା କ୍ରିକେଟ ଆସୋସିଏସନ୍‌ । ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଟିମରେ ପ୍ରଥମ ଥର ଲାଗି ସାମିଲ ହୋଇଥିଲେ ସୁମିତ ଶର୍ମା । ସେ ଜଣେ ଦକ୍ଷ ବାମହାତୀ ସ୍ପିନର ହୋଇଥିବାରୁ ତାଙ୍କ ଉପରେ ଭରସା କରି ତାଙ୍କୁ ଟିମରେ ସାମିଲ କରିଥିଲା ଓସିଏ । କିନ୍ତୁ ବୟସ ଜାଲିଆତି ମାମଲାରେ ଫସିବା ପରେ ଏହା ତାଙ୍କ କ୍ୟାରିୟରକୁ ଗୁରୁତର ଭାବେ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପଟେ ଓସିଏର ପୂର୍ବତନ ଖେଳାଳି ପବନ ଅଗ୍ରୱାଲ କହିଛନ୍ତି, "ଓସିଏରେ ବୟସ ଜାଲିଆତି ଘଟଣା କିଛି ନୂଆ ନୁହେଁ । ସୁମିତଙ୍କ ପୂର୍ବରୁ ଏକାଧିକ ଖେଳାଳି ବୟସ ଜାଲିଆତି ମାମଲାରେ ଫସିଛନ୍ତି । ତେବେ ବୟସ ଜାଲିଆତି ରୋକିବା ପାଇଁ ଦୁଇ ବର୍ଷ ତଳେ ଓସିଏ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲା । କିନ୍ତୁ ସୁମିତ ଶର୍ମା ବୟସ ଜାଲିଆତି ମାମଲାରେ ଫସିବା ପରେ ଓସିଏର ସେହି ସ୍ବତନ୍ତ୍ର ବ୍ୟବସ୍ଥାର ଫସର ଫାଟିଯାଇଛି । ଯଦି ଏହି ଘଟଣା ଘଟିଛି, ଏଥିରେ ଯେଉଁ ମାତ୍ରାରେ ଖେଳାଳି ଦାୟୀ ସେହି ଅନୁସାରେ ଓସିଏ ମଧ୍ୟ ଦାୟୀ । ଯଦି ଆଗାମୀ ଦିନରେ ଏହି ଫେକ୍‌ ଜନ୍ମ ପ୍ରମାଣପତ୍ର ଦିଗରେ ଓସିଏ ସାବଧାନ ନହୁଏ, ତେବେ ଓଡିଶା କ୍ରିକେଟ ସଂଘ ଜାତୀୟ ସ୍ତରରେ ବଦମାନ ନେବା ସାର ।"

ଘରେ ପାଦ ନ ଦେଉଣୁ ଚାଳ ବାଜିଲା ପରି ଘଟଣାରେ ଏବେ ଛନ୍ଦି ହୋଇଛନ୍ତି ଓଡ଼ିଆ କ୍ରିକେଟର ସୁମିତ ଶର୍ମା । ରଣଜୀରେ ଭଲ ପ୍ରଦର୍ଶନ କରିବା ଆଶା ଏବେ ସ୍ବପ୍ନ ଭଳି ପ୍ରତୀତ ହେବା ସ୍ବାଭାବିକ । ତେବେ ଆଗାମୀ ଦିନରେ ଓସିଏ ଏହି ଘଟଣାକୁ ସମ୍ପୂର୍ଣ୍ଣ ରୋକ ଲଗାଇବା ନିହାତି ଆବଶ୍ୟକ, ନଚେତ ଓଡ଼ିଶା କ୍ରିକେଟରଙ୍କ ଭବିଷ୍ୟତ ହୋଇଯିବ ଅନ୍ଧକାର ମୁହାଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.