ETV Bharat / state

ଜଳସେଚନ କରିବାକୁ ନାହିଁ ପାଣି, କଣ୍ଟାପଡାରେ ଚାଷୀ ବିକ୍ଷୋଭ

author img

By ETV Bharat Odisha Team

Published : Oct 27, 2023, 5:36 PM IST

ପାଣି ଅଭାବରୁ ଚାଷୀ ମୁଣ୍ଡରେ ଚଡ଼କ
ପାଣି ଅଭାବରୁ ଚାଷୀ ମୁଣ୍ଡରେ ଚଡ଼କ

ପାଣି ଅଭାବରେ ଚିନ୍ତାରେ ଚାଷୀ । ମୌସୁମୀ ବର୍ଷା ଅପସରି ଯାଇଛି । ବିଲରେ ଧାନଗଛରେ ଫୁଲବି ଧରିନି । କେନାଲ ପାଣି ଅଭାବରୁ ଧାନ ଜମି ଫାଟିବାକୁ ବସିଥିବା ବେଳେ ଏନେଇ ଚାଷୀମାନେ ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ

ପାଣି ଅଭାବରୁ ଚାଷୀ ମୁଣ୍ଡରେ ଚଡ଼କ

ନିଆଳି: ପାଣି ଅଭାବରେ ଚିନ୍ତାରେ ଚାଷୀ । ମୌସୁମୀ ବର୍ଷା ଅପସରି ଯାଇଛି । ବର୍ଷା ହେବା କୌଣସି ସମ୍ଭାବନା ଆଉ ନାହିଁ କହିଲେ ଚଳେ । ବିଲରେ ଧାନଗଛରେ ଫୁଲବି ଧରିନି । କେନାଲ ପାଣି ଅଭାବରୁ ଧାନ ଜମି ଫାଟିବାକୁ ବସିଥିବା ବେଳେ ଧାନ ଗଛ ଏବେ ମରିବାକୁ ବସିଲାଣି । ଯାହାକୁ ନେଇ ଚିନ୍ତାରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଞ୍ଚଳର ଚାଷୀ । ଏନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ପ୍ରତିବାଦ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆଜି ବହୁ ଚାଷୀ ମଲା ଧାନ ଗଛ ଧରି ପ୍ରଥମେ କଣ୍ଟାପଡ଼ା ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ବିଡିଓ ନଥିବାରୁ ଅତିରିକ୍ତ ବିଡ଼ିଓଙ୍କ ସହିତ ଆଲୋଚନା କରିବା ସହିତ କେନାଲରେ ପାଣି ଆସୁନଥିବା ଯୋଗୁଁ ଧାନ ଗଛ ମରି ଯାଉଥିବା କହିଥିଲେ । ପରେ କଣ୍ଟାପଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ମଲା ଧାନ ଗଛ ଧରି ପ୍ରତିବାଦ କରିଥିଲେ । ତେବେ ତହସିଲଦାର ଅନୁପସ୍ଥିତ ଥିବାରୁ ଚାଷୀମାନେ ଅତିରିକ୍ତ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ। ଦୁଇଦିନ ମଧ୍ୟରେ କେନାଲରେ ପାଣି ଆସିବ ବୋଲି ଅତିରିକ୍ତ ତହସିଲଦାର ଚାଷୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ସେପଟେ ପ୍ରତିଶୃତି ପରେ ଚାଷୀମାନେ ପ୍ରତିବାଦରୁ ନିବୃତ୍ତ ରହିଛନ୍ତି । ଏହାସହ ଦୁଇ ଦିନ ମଧ୍ୟରେ ଯଦି କେନାଲରେ ପାଣି ନଆସେ ତେବେ ଆସନ୍ତା ସୋମବାର ଦିନ କଣ୍ଟାପଡ଼ା ମୌଜାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଦାଉ ସାଜିଲା ମାଟିଆଗୁଣ୍ଡି ପୋକ; ଆଖି ଆଗରେ ଉଜୁଡୁଛି ସୁନାର ଫସଲ, ଋଣ ସୁଝିବା ଚିନ୍ତାରେ ଚାଷୀ

ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତାପ ନଗରୀ ଜଳ ସମ୍ପଦ ଉପଖଣ୍ଡ କାକଟପୁର ବ୍ରାଞ୍ଚର ମେନ କେନାଲ ଦେଇ ସବ କେନାଲ ମଇଧରପଡା-କଣ୍ଟାପଡ଼ା କେନାଲ ପାଣିରେ ନିର୍ଭର କରି କଣ୍ଟାପଡ଼ା, ବାଇରୋଇ, ପ୍ରଧାନ ସାହି, ଶାଶୁଆ, ଅଲାରପୁର ଗାଁ ସମେତ ୩ ଶହ ଏକର ଜମିର ଧାନ ଫସଲ ହୋଇଥାଏ । ଚଳିତ ବର୍ଷ କେନାଲରେ ପାଣି ଆସୁନଥିବା ଯୋଗୁଁ ଧାନ ଗଛ ଏବେ ମରିବାକୁ ବସିଲାଣି । ବାଧ୍ୟ ହୋଇ ସ୍ଥାନୀୟ ଚାଷୀମାନେ ମଲା ଧାନଗଛ ଧରି କଣ୍ଟାପଡ଼ା ବ୍ଲକ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ।

ତେବେ ଚାଷୀଙ୍କ କହିବା କଥା ଯେ, କେନାଲ ପାଣି ପାଇଁ ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି । କେନାଲ ସଫେଇ ଏବଂ ମରାମତି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ କେନାଲରେ ପାଣି ଆସୁନଥିବା ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହେବାକୁ ବସିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କିମ୍ବା ବ୍ଲକ ଓ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.