ETV Bharat / state

ଦାଉ ସାଜିଲା ମାଟିଆଗୁଣ୍ଡି ପୋକ; ଆଖି ଆଗରେ ଉଜୁଡୁଛି ସୁନାର ଫସଲ, ଋଣ ସୁଝିବା ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Oct 10, 2023, 8:05 AM IST

ମାଟିଆଗୁଣ୍ଡି ପୋକ ଦାଉରେ ଉଜୁଡି ଯିବାକୁ ବସିଛି ଧାନଚାଷ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇଥିବା ଚାଷୀଙ୍କ ପାଇଁ ଏବେ ମାଟିଆଗୁଣ୍ଡି ପୋକ ଚିନ୍ତା । ଏକର ଏକର ଧାନ ଗଛରେ ପୋକ ଚରିଯିବା ପରେ ଏବେ ଚିନ୍ତାରେ ନବରଙ୍ଗପୁର ଜିଲ୍ଲାର ଚାଷୀ । ଅଧିକ ପଢନ୍ତୁ

ଦାଉ ସାଜିଲା ମାଟିଆଗୁଣ୍ଡି ପୋକ
ଦାଉ ସାଜିଲା ମାଟିଆଗୁଣ୍ଡି ପୋକ

ଦାଉ ସାଜିଲା ମାଟିଆଗୁଣ୍ଡି ପୋକ

ନବରଙ୍ଗପୁର: ଚାଷୀ ମୁଣ୍ଡରେ ଚଡକ । କ୍ଷେତ ସାରା ସାଲୁବାଲୁ ପୋକ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇଥିବା ଚାଷୀଙ୍କ ପାଇଁ ଏବେ ମାଟିଆଗୁଣ୍ଡି ପୋକ ଚିନ୍ତା । ଗତବର୍ଷ ଭଲ ଧାନ ହୋଇଥିବା ଯୋଗୁଁ କରଜ କରି ଟଙ୍କା ଆଣିଥିଲେ ଚାଷୀ । କିନ୍ତୁ ଅମଳ ସମୟରେ ଦାଉ ସାଧିଲା ରୋଗପୋକ । ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ଋଣ ପରିଶୋଧ ଚିନ୍ତାରେ ନବରଙ୍ଗପୁର ଜିଲ୍ଲାର ଚାଷୀ । ବର୍ଷକ ପରିଶ୍ରମର ସୁନାର ଫସଲ ଉଜୁଡି ଯାଇଛି । ଏଥିପାଇଁ ଚାଷୀ ଏବେ ହତାଶ ଆଉ ନିରାଶ ହୋଇପଡିଛି ।

ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । ଜିଲ୍ଲାର ରାଇଘର ଓ ନନ୍ଦାହାଣ୍ଡି ବ୍ଳକର କିଛି ଗାଁରେ ଦେଖାଦେଇଛି ପୋକ ସମସ୍ୟା । ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏବେ ରୋଗ ପୋକଙ୍କ ପ୍ରାଦୁର୍ଭାବ ଫଳରେ ଚିନ୍ତାରେ ଚାଷୀ । ରୋଗ ପୋକକୁ କାମ ଦେଉନି କୀଟନାଶକ । ଯାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଧାନ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ କୃଷି କର୍ମଚାରୀଙ୍କ ଦେଖା ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ।

ଏନେଇ ନବରଙ୍ଗପୁର ଜିଲ୍ଲାର ଜଣେ ଚାଷୀ କହିଛନ୍ତି, "ଚଳିତ ବର୍ଷ ଭଲ ଚାଷ ହେବ ବୋଲି ଭାବିଥିଲି । କିନ୍ତୁ ଚକଡା ପୋକ ଦାଉ ସାଧିଲା । ବହୁତ ଫସଲ ନଷ୍ଟ ହୋଇଯିବ । ଋଣ କରି ପଇସା ଜମିରେ ଲଗାଇଥିଲି । କିନ୍ତୁ ଏବେ ଚିନ୍ତା ଲାଗୁଛି କିଭଳି ଋଣ ପରିଶୋଧ କରିବି । ୨୦ ଏକର ଧାନ ଫସଲରୁ ପ୍ରାୟ ୧୫ ଏକର ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଛି । ଏକର ପିଛା ୧ ହଜାର ଟଙ୍କା ଖର୍ଚ୍ଚ କରି କୀଟନାଶକ ଆଣି ମଧ୍ୟ ସିଞ୍ଚନ କରିଛି ତଥାପି ପୋକର ପ୍ରାଦୁର୍ଭାବ କମୁନି । ସରକାର ଯଦି କିଛି ସାହାଯ୍ୟ କରନ୍ତେ ତାହେଲେ ଆମେ ଉପକୃତ ହେବୁ ।"

ତେବେ ଚାଷୀଙ୍କ ଧାନ ଫସଲରେ ପୋକ ଲାଗି ନଷ୍ଟ ହେବାକୁ ବସିଥିବା ବେଳେ କୃଷି କର୍ମଚାରୀଙ୍କ ଦେଖା ମିଳୁ ନଥିବାରୁ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ମିଳୁନି । ତେଣୁ ଚାଷୀ କୃଷି ବିଭାଗ ଉପରେ ଭରସା ତୁଟାଇ ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ସ୍ପ୍ରେ ଆଣି ସିଞ୍ଚନ କରୁଥିବା କହିଛନ୍ତି । ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରୁଆ କାମ ବିଳମ୍ବ ହୋଇଥିଲା । ଏବେ ଫସଲ ସମୟରେ ମାଟିଆଗୁଣ୍ଡି ପୋକ ଲାଗି ଚାଷୀ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି ।

ଏହା ମଧ୍ୟ ପଢନ୍ତୁ- ଟାଣ ଖରା ପରେ ଦାଉ ସାଧିଲା ଅସରାଏ ବର୍ଷା, ଚିନ୍ତାରେ ଧାନ ଚାଷୀ

ତେଣୁ ଏନେଇ ସରକାର ତରଫରୁ ରିହାତି ଦରରେ କୀଟନାଶକ ଔଷଧ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ । ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି.ଭେଙ୍କଟ ରେଡ୍ଡିଙ୍କୁ ଯୋଗାଯୋଗ କରିବାରୁ କୃଷି କର୍ମଚାରୀଙ୍କ ଗାଁରେ ପାଦ ନ ପଡିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ନିୟମିତ କର୍ମଚାରୀ ବୁଲୁଥିବା ସେ କହିଛନ୍ତି । ଏହି ଘଟଣାକୁ ନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ କିନ୍ତୁ କୃଷି କର୍ମଚାରୀଙ୍କୁ ପଠାଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.