ETV Bharat / state

ଓଡ଼ିଶା କ୍ରିକେଟ ପ୍ରଶିକ୍ଷକ ହେଲେ ଦିନେଶ-ରୁମେଲି

author img

By

Published : Apr 18, 2023, 8:09 AM IST

ଓସିଏର ବଡ ଘୋଣଣା । ଓଡିଶା କ୍ରିକେଟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର । ଅଧିକ ପଢନ୍ତୁ

Odisha cricket new coach
ଓଡିଶା କ୍ରିକେଟ ପ୍ରଶିକ୍ଷକ ହେଲେ ଦିନେଶ-ରୁମେଲି

କଟକ: ଓଡିଶା କ୍ରିକେଟକୁ ନୂଆ କୋଚ ମିଳିଛନ୍ତି । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ଓଡିଶା ଦଳର ମୁଖ୍ୟ କୋଚ ଦାୟିତ୍ବ ପ୍ରଦାନ କରିଛି ଓଡିଶା କ୍ରିକେଟ ଆସୋସିଏସନ । ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବେ ଦିନେଶ ମୋଙ୍ଗିଆ ଓ ମହିଳା ସିନିୟର ଦଳର ମୁଖ୍ୟ କୋଚ ଭାବେ ରୁମେଲି ଧରଙ୍କୁ ନିଯୁକ୍ତି ମିଳିଛି । ନୂଆ କୋଚଙ୍କ ଗୁରୁମନ୍ତ୍ରରେ ମଇଦାନକୁ ଓହ୍ଲାଇବେ ଓଡିଶା ଟିମ୍‌ । ବିଶେଷ କରି ଆସନ୍ତାବର୍ଷ ବିସିସିଆଇ ଘରୋଇ ସିଜନରେ ଦିନେଶ ମୋଙ୍ଗିଆଙ୍କ ଗୁରୁମନ୍ତ୍ରୀରେ ପଡିଆକୁ ଓହ୍ଲାଇବ ଓଡିଶା କ୍ରିକେଟ ଟିମ । ଓଡିଶା କ୍ରିକେଟ ପ୍ରଶିକ୍ଷକ ଭାବେ ଦିନେଶ ଓ ରୁମେଲିଙ୍କ ନିଯୁକ୍ତ କରାଯାଇଥିବା ନେଇ ପ୍ରେସ ବିବୃତ୍ତି ଜାରି କରି ସୂଚନା ଦେଇଛି ଓଡିଶା କ୍ରିକେଟ ସଂଘ । ଉଭୟଙ୍କ କାର୍ଯ୍ୟକାଳ 1 ବର୍ଷ ପାଇଁ ସ୍ଥିର ହୋଇଛି ।

ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିଅରରେ ଦିନେଶ 6 ବର୍ଷରେ 57ଟି ଏକଦିବସୀୟ ଏବଂ ଗୋଟିଏ ଟି-20 ମ୍ୟାଚ ଖେଳିଛନ୍ତି । ବିସିସିଆଇ ଘରୋଇ କ୍ରିକେଟରେ 121ଟି ପ୍ରଥମଶ୍ରେଣୀ ଓ 198ଟି ଲିଷ୍ଟ-ଏ ଫର୍ମାଟ ମ୍ୟାଚରେ ତାଙ୍କର ଅଭିଜ୍ଞତା ରହିଛି । ପୂର୍ବରୁ ଦିନେଶ ଅରୁଣାଚଳ ପ୍ରଦେଶର କୋଚ ଦାୟିତ୍ବରେ ଥିଲେ । ଜାତୀୟ ରେକର୍ଡ ଦେଖାଯାଏ ତେବେ ଦିନିକିଆରେ ଭାରତ ପାଇଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି ଦିନେଶ । ତାଙ୍କର ଓଡିଶା ଟିମକୁ ଆସିବା କେତେ ଫଳପ୍ରଦ ହେବ ତାକୁ ହିଁ ଅପେକ୍ଷା । ବିଗତ ଦିନରେ ଓସିଏକୁ ଅନେକ ଜାତୀୟ ଦଳର ଖେଳାଳି କୋଚ ହିସାବରେ ଆସିଛନ୍ତି ହେଲେ ଦଳ ସଫଳ ହୋଇନାହିଁ । ମୋଙ୍ଗିଆଙ୍କ ଆଗମନ ସଫଳ ହେବ ବୋଲି ଆଶା ରଖିଛି ଓସିଏ ।

ଏହା ବି ପଢନ୍ତୁ...ଘରୋଇ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶି ବୃଦ୍ଧି କଲା BCCI, ଜାଣନ୍ତୁ କାହାକୁ ମିଳିବ କେତେ ?

ମହିଳା ସିନିୟର ଦଳର ମୁଖ୍ୟ କୋଚ ନିଯୁକ୍ତ ହୋଇଥିବା 39 ବର୍ଷୀୟ ରୁମେଲି ଧର ଜାତୀୟ ଦଳ ପକ୍ଷରୁ ଟେଷ୍ଟ, ଦିନିକିଆ ଓ ଟି-20 ମ୍ୟାଚ ଖେଳିଛନ୍ତି । ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପରିଚିତ ରୁମେଲି । ଭାରତ ପକ୍ଷରୁ ସେ 4ଟି ଟେଷ୍ଟ. 78ଟି ଦିନିକିଆ ଓ 18ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର ଗତବର୍ଷ କ୍ରିକେଟରୁ ଅବସର ନେଇଥିଲେ । 2003 ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ରୁମେଲି ।

ଏହା ବି ପଢନ୍ତୁ...ତେଜୁଛି କୋହଲି-ଗାଙ୍ଗୁଲି ବିବାଦ, ଇନ୍‌ଷ୍ଟାଗ୍ରାମରେ ଦାଦାଙ୍କୁ ଅନ୍‌ଫଲୋ କଲେ ବିରାଟ

ଏହା ବ୍ୟତୀତ ଉଭୟ ମହିଳା ଓ ପୁରୁଷ ଚୟନ କମିଟି ଘୋଷଣା ମଧ୍ୟ କରିଛି ଓସିଏ । ପୁରୁଷ ସିନିୟର ଦଳ ଚୟନ କମିଟିରେ ଅଧ୍ୟକ୍ଷ ପଦରେ ରହିଛନ୍ତି ଅମୀୟ ରାଏ । ସେହିପରି ସଦସ୍ୟ ପଦରେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ବାଳ ରହିଛନ୍ତି । ଜୁନିୟର ପୁରୁଷ ଵର୍ଗରେ ପ୍ରଭଞ୍ଜନ ମଲ୍ଲିକ ଅଧକ୍ଷ ରହିଥିଲା ବେଳେ ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁ ସଦସ୍ୟ ପଦ ପାଇଛନ୍ତି । ସେହିପରି ମହିଳା ବର୍ଗରେ ରଶ୍ମିତା ମହାପାତ୍ର ଅଧକ୍ଷ୍ୟା ପଦ ପାଇଥିଲା ବେଳେ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରି ବେହେରା, ସୁଧାଂଶୁ ବାଳାଙ୍କୁ ସଦସ୍ୟ ପଦରେ ନିଯୁକ୍ତି ଦେଇଛି ଓଡିଶା କ୍ରିକେଟ ସଂଘ ।

ତୃଣମୂଳ ସ୍ତରରେ କ୍ରିକେଟର ଆହୁରି ବିକାଶ ସହ ଭିଜନ 2024 ସ୍ବପ୍ନ ସାକାର ହେବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ । ତେବେ ଦିନେଶ ମୋଙ୍ଗିଆ ଓ ରୁମେଲି ଧର କେବେ ଓସିଏରେ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିବେ ସେ ନେଇ କୌଣସି ସୂଚନା ମିଳି ପାରିନାହିଁ ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.