ETV Bharat / sports

ତେଜୁଛି କୋହଲି-ଗାଙ୍ଗୁଲି ବିବାଦ, ଇନ୍‌ଷ୍ଟାଗ୍ରାମରେ ଦାଦାଙ୍କୁ ଅନ୍‌ଫଲୋ କଲେ ବିରାଟ

author img

By

Published : Apr 17, 2023, 9:05 PM IST

ତେଜିବାରେ ଲାଗିଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ଚର୍ଚ୍ଚା । ଦିଲ୍ଲୀ- ବାଙ୍ଗାଲୋର ମୁକାବିଲା ପରେ ଉଭୟ ଉଭୟଙ୍କୁ ଅଣଦେଖା କରିବା ଭିଡିଓ ଭାଇରାଲ ହେବାପରେ ଏବେ ଇନ୍‌ଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନ୍‌ଫଲୋ କରିଛନ୍ତି କୋହଲି । ଅଧିକ ପଢ଼ନ୍ତୁ

ଇନ୍‌ଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନ୍‌ଫଲୋ କଲେ କୋହଲି
ଇନ୍‌ଷ୍ଟାଗ୍ରାମରେ ଗାଙ୍ଗୁଲିଙ୍କୁ ଅନ୍‌ଫଲୋ କଲେ କୋହଲି

ହାଇଦ୍ରାବାଦ: ଦିନକୁ ଦିନ ତେଜିବାରେ ଲାଗିଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ଚର୍ଚ୍ଚା । କୁହାଯାଉଛି ଯେ, ବିରାଟ କୋହଲି ଏବେ ଇନ୍‌ଷ୍ଟାଗ୍ରାମରେ ସୌରଭ ଗାଙ୍ଗୁଲିଙ୍କୁ ଅନ୍‌ଫଲୋ କରିଦେଇଛନ୍ତି । ଏହା ପୂର୍ବରୁ ଜାରି ରହିଥିବା ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ମ୍ୟାଚ୍‌ ବେଳେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ବାରି ହୋଇଥିଲା । ମ୍ୟାଚ୍‌ ପରେ ଉଭୟ ଦଳର ସମସ୍ତ ଖେଳାଳି ଓ ଅନ୍ୟ ସଦସ୍ୟ ହାତ ମିଳାଇବା ସମୟରେ ମଧ୍ୟ ସେମାନେ ପରସ୍ପରକୁ ଅଣଦେଖା କରି ଚାଲିଯାଇଥିଲେ ।

ଶନିବାର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍‌ରେ ଦିଲ୍ଲୀକୁ ୨୩ ରନରେ ମାତ ଦେଇଥିଲା ବାଙ୍ଗାଲୋର । ଏହି ମ୍ୟାଚ୍‌ ପରେ ଉଭୟ ଦଳର ସମସ୍ତ ଖେଳାଳି ଓ କୋଚିଂ ଷ୍ଟାଫ ହାତ ମିଳାଇଥିଲେ । କିନ୍ତୁ ଯେତେବେଳେ ବିରାଟ କୋହଲି ଓ ସୌରଭ ଗାଙ୍ଗୁଲି ମୁହାଁମୁହିଁ ହୋଇଥିଲେ, ସେତେବେଳେ ଉଭୟ ପରସ୍ପରକୁ ଅଣଦେଖା କରି ଚାଲିଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଥମି ନଥିବା ଚର୍ଚ୍ଚା ଜୋର ଧରିଥିଲା ।

ପ୍ରକାଶ ଥାଉ କି, ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଥିବା ସମୟରେ ବିରାଟ କୋହଲି ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ଏହାପରେ ୨୦୨୧ରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ । ସେ କହିଥିଲେ ଯେ ଚୟନ କମିଟି ଓ ତାଙ୍କ ମଧ୍ୟରେ ଦିନିକିଆ ଅଧିନାୟକ ପଦରେ ପରିବର୍ତ୍ତନ ନେଇ କୌଣସି ଚର୍ଚ୍ଚା ହୋଇନଥିଲା । ସେହିଭଳି ଟେଷ୍ଟ ସିରିଜ ପାଇଁ ଚୟନ ବୈଠକର କିଛି ସମୟ ପୂର୍ବରୁ ହିଁ ତାଙ୍କୁ ଅବଗତ କରାଯାଇଥିଲା ଯେ, ସେ ଏହି ସିରିଜରେ ଅଧିନାୟକ ରହିବେ ନାହିଁ ବୋଲି ଚୟନକର୍ତ୍ତା ମାନେ ନିଷ୍ପତ୍ତି ନେଇଛନ୍ତି । ଯଦିଓ ଗାଙ୍ଗୁଲି ଏଭଳି ନିଷ୍ପତ୍ତି କୋହଲିଙ୍କ ସହ ଆଲୋଚନା କରି ନିଆଯାଇଥିବା ସ୍ପଷ୍ଟ କରିଥିଲେ, କିନ୍ତୁ ଗାଙ୍ଗୁଲିଙ୍କ ଏହି ମତକୁ ଖଣ୍ଡନ କରିଥିଲେ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.