ETV Bharat / state

ଧବଳେଶ୍ବର ପୀଠରେ ଉତ୍ତେଜନା; ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ବାବାଙ୍କୁ ଦର୍ଶନ କଲେ ଭକ୍ତ

author img

By ETV Bharat Odisha Team

Published : Nov 25, 2023, 9:12 AM IST

Updated : Nov 25, 2023, 9:52 AM IST

Dhabaleswar Temple
Dhabaleswar Temple

ଧବଳେଶ୍ୱର ପୀଠରେ ଅସ୍ୱାଭାବିକ ସ୍ଥିତି । ମନ୍ଦିରର ଦ୍ୱାର ଭାଙ୍ଗି ଧବଳେଶ୍ୱରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଯୋଗୁଁ ସୃଷ୍ଟି ହୋଇଛି ଏପରି ପରିସ୍ଥିତି । ଅଧିକ ପଢନ୍ତୁ

Dhabaleswar Temple

କଟକ: ବଡଓଷାରେ ବାବା ଧବଳେଶ୍ବରଙ୍କ ପୀଠରେ ଉତ୍ତେଜନା । ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ଧବଳେଶ୍ୱରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ଗତକାଲି ଦର୍ଶନରୁ ବଞ୍ଚିତ ଥିବାରୁ ଆଜି(ଶନିବାର) ଶ୍ରଦ୍ଧାଳୁମାନେ ମନ୍ଦିର ଦ୍ବାର ଭାଙ୍ଗି ଦର୍ଶନ କରିଛନ୍ତି । ପବିତ୍ର ପଞ୍ଚୁକ ଅବସରରେ ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । ହେଲେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ମନ୍ଦିର ଦ୍ୱାର ବନ୍ଦ କରିଥିଲେ ପୂଜକ ଗୋଷ୍ଠୀ । ଯାହାଫଳରେ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ଆଜି ମନ୍ଦିର ଦ୍ବାର ଭାଙ୍ଗି ବାବାଙ୍କୁ ଦର୍ଶନ କରିଛନ୍ତି । ଯେଉଁଥିପାଇଁ ଉତ୍ତେଜନା ପ୍ରକାଶ ପାଇବା ସହିତ ଧବଳେଶ୍ୱର ପୀଠରେ ଅସ୍ୱାଭାବିକ ସ୍ଥିତି ଲାଗି ରହିଛି ।

ଧବଳେଶ୍ଵରଙ୍କ ପୀଠରେ ବ୍ୟାରିକେଡ ଓ ଗାଡି ଷ୍ଟାଣ୍ଡ ନିଲାମକୁ ନେଇ ଶୁକ୍ରବାର ପୂଜକ ସମିତି ମନ୍ଦିର ଆଗରେ ଧାରଣା ଦେଇଥିଲେ । ସକାଳ ୧୦ଟା ଠାରୁ ପୂଜକମାନେ ଧାରଣା ଦେବା ଯୋଗୁଁ ଭକ୍ତମାନେ ଦର୍ଶନ କରିନପାରି ଲମ୍ବା ଧାଡିରେ ଠିଆ ହୋଇ ରହିଥିଲେ । କିଛି ସମୟ ପରେ ବ୍ୟାରିକେଡ ଖୋଲି ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ବାହାରକୁ ଛାଡିଥିଲେ । ଫଳରେ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଠିଆ ହୋଇ ଦର୍ଶନ କରିନପାରି ଅସନ୍ତୁଷ୍ଟ ହୋଇ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଧବଳେଶ୍ବର ପୀଠରେ ପଞ୍ଚୁକ ବ୍ରତ, ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ମହାଦେବ

ପଞ୍ଚୁକର ଦ୍ବିତୀୟ ଦିନରେ ରାତି ୩ ଟାରୁ ମନ୍ଦିରରେ ସମସ୍ତ ନୀତିକନ୍ତି କରାଯାଇ ପ୍ରଭୁ ଧବଳେଶ୍ଵରଙ୍କୁ ସାଧାରଣ ଦର୍ଶନ ନିମନ୍ତେ ଦ୍ବାର ଫିଟା ଯାଇଥିଲା । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଦର୍ଶନ ମଧ୍ୟ କରୁଥିଲେ । ଶ୍ରଦ୍ଧାଳୁ ଧାଡିରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ କଂକ୍ରିଟ୍ ବ୍ରିଜ ଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇ ଶ୍ରଦ୍ଧାଳୁଙ୍କୁ ଛଡାଯାଉଥିଲା । କିନ୍ତୁ ଏହି ବ୍ୟାରିକେଡ଼କୁ ନେଇ ପୂଜକ ସମିତି ଅସନ୍ତୁଷ୍ଟ ହୋଇଥିଲେ । ଫଳରେ ପ୍ରଶାସନ ଏବଂ ପୂଜକ ସମିତି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଠଗଡ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ଉପସ୍ଥିତ ରହି ପୂଜକମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ଓ ପୂଜକ ସମିତି ଜିଦରେ ଅଟଳ ଯୋଗୁଁ ପୂଜକମାନେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ କରିବାରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଆଜି ସକାଳୁ ଭକ୍ତ ଅଥୟ ହୋଇ ଦ୍ୱାର ଭାଙ୍ଗି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated :Nov 25, 2023, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.