ETV Bharat / state

ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ! ଟିମ ଗଠନ କରୁଛି ମହିଳା ଥାନା ପୋଲିସ

author img

By ETV Bharat Odisha Team

Published : Aug 31, 2023, 5:20 PM IST

Etv Bharat
Etv Bharat

ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଏ ନେଇ ମହିଳା ଥାନା ପୋଲିସ ଟିମ ଗଠନ କରିବ ବୋଲି କହିଛନ୍ତି ACP ଅମିତାଭ ମହାପାତ୍ର । ଅଧିକ ପଢନ୍ତୁ

କଟକ: ଗିରଫ ହେବେ ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ସୌରିନଙ୍କୁ ଠାବ କରିବା ପାଇଁ ଟିମ ଗଠନ ହେବ । କଟକ ମହିଳା ଥାନା ପୋଲିସ ସୌରିନଙ୍କୁ ଗିରଫ କରିବା ପାଇଁ ଟିମ ଗଠନ କରିବ ବୋଲି ACP ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିବ ପୋଲିସ । ତେବେ ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିବା ପରେ ସୌରିନଙ୍କ ପାଇଁ ବଢିଛି ଅଡ଼ୁଆ ।

ସୌରିନଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏହି ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସୌରିନଙ୍କୁ ଗିରଫ କରାଯିବ ନାହିଁ ବୋଲି କୋର୍ଟ କହିଥିଲେ । ତେବେ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଦେଇଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ ସୌରିନଙ୍କ ଉପସ୍ଥିତିରେ ମାମଲାର ତଦନ୍ତ କରାଯିବା ଆବଶ୍ୟକ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- କଣ୍ଠଶିଳ୍ପୀ ସୌରୀନଙ୍କ ଆଗୁଆ ଜାମିନ ମାମଲା, ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌରିନ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ମାମଲାର କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ମଧ୍ୟ କୋର୍ଟରେ କେସ ଡାଏରୀ ଦାଖଲ କରିଥିଲା । ଏହି ମାମଲାରେ ଥାନାରେ ହାଜର ହେଵା ସମୟରେ ସୌରିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମ୍ପୃକ୍ତ ଅଭିଯୋଗକାରୀ ଯୁବତୀଙ୍କୁ ଚିହ୍ନି ନଥିବା କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ସୌରିନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା ।

ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି । ସୌରିନଙ୍କ ୧୬୧ ଧାରାରେ ଵୟାନ ରେକର୍ଡ କରିଛି ପୋଲିସ । ସୌରିନ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । କଟକ ମହିଳା ଥାନାରେ ଯୁବତୀ ଜଣକ ପହଞ୍ଚି ଅଭିଯୋଗ କରିଥିଲେ । ଶାରିରୀକ ନିର୍ଯାତନା ଦେବା ସହ ସୌରିନ ତାଙ୍କଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଯୁବତୀ ।

ଅଭିଯୋଗ କରିଥିବା ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ସୂଚନା ଅନୁଯାୟୀ ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ଗୀତ ଗାଇବାର ନିଶା ରଖିଥିଲେ । ଯୁବତୀ ଜଣକ ସୌରିନଙ୍କର ଫ୍ୟାନ ଅଟନ୍ତି । ଏକ ଷ୍ଟେଜରେ ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ କୁଆଡେ ସମ୍ପର୍କ ସ୍ଥାପନ ହୋଇଥିଲା । ଉଭୟଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ସୌରିନ ବିବାହ କରିବାକୁ କହି ଯୁବତୀଙ୍କଠାରୁ ୯ ଲକ୍ଷଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସମସ୍ତ କାରବାର ପ୍ରମାଣ ସହ ଥାନାରେ ଦାଖଲ କରିଛନ୍ତି ପୀଡ଼ିତା । ଯୁବତୀ ଜଣକ କଟକ ଜଗତପୁର ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ମାତ୍ର ଜଗତପୁର ଥାନା ପୋଲିସ ମହିଳା ଥାନାରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲା । ଏବେ ଏହି ମାମଲାରେ ସୌରିନ ଗିରଫ ହୋଇପାରନ୍ତି ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.