ETV Bharat / state

ଚାଲିଛି ମାଟ୍ରିକ ପରୀକ୍ଷା, ପରୀକ୍ଷା କେନ୍ଦ୍ର ବୁଲିଲେ କଟକ ଜିଲ୍ଲାପାଳ

author img

By

Published : Mar 13, 2023, 1:00 PM IST

cuttack collector visits exam center
cuttack collector visits exam center

ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା । ଆଜି ଥିଲା ଇଂରାଜୀ ପରୀକ୍ଷା । କଟକରେ ଶାନ୍ତି ଖୃଙ୍ଖଳାରେ ପରୀକ୍ଷା ଚାଲିଛି । ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

ପରୀକ୍ଷା କେନ୍ଦ୍ର ବୁଲିଲେ କଟକ ଜିଲ୍ଲାପାଳ

କଟକ: ମାତୃଭାଷା ପରେ ଆଜି ଥିଲା ଇଂରାଜୀ ପରୀକ୍ଷା । ପରୀକ୍ଷାର ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କଟକରେ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ଇଂରାଜୀ ପରୀକ୍ଷା । ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପରିଚାଳନାକୁ ନେଇ କୌଣସି ଅଭିଯୋଗ ଆସିନାହିଁ । ଆଜି ଦ୍ବିତୀୟ ଦିନ ପରୀକ୍ଷା ଇଂରାଜୀ ବିଷୟ ଥିବାରୁ କପି ରୋକିବାକୁ ବିଭିନ୍ନ ସ୍ଥାନରେ ସ୍କ୍ବାର୍ଡ ଚେକିଂ କରିଥିଲେ। ଏହି ଅବସରରେ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟିନୀ ପରୀକ୍ଷା କେନ୍ଦ୍ର ବୁଲିଥିଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ପରୀକ୍ଷା କେନ୍ଦ୍ର ଗସ୍ତ କରି ପରୀକ୍ଷାର ସ୍ଥିତି ଯାଞ୍ଚ କରିଥିଲେ।

ବିନା ଚାପରେ ପରୀକ୍ଷା ଦେବାକୁ ପରାମର୍ଶ: କଟକ ଜିଲ୍ଲାର ୨୮ ହଜାର ୮୫୪ ଜଣ ପରୀକ୍ଷାର୍ଥୀ,୧୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ତେବେ ପରୀକ୍ଷା ସମୟରେ ବିନା ଚାପରେ ପରୀକ୍ଷା ଦେବାକୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି କଟକ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଆଜି ଇଂରାଜୀ ପରୀକ୍ଷା ବେଶ ଭଲ ହୋଇଥିବା ପରୀକ୍ଷା ପରେ ପରୀକ୍ଷାର୍ଥୀ ମାନେ କହିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଉତ୍ତର ସାରିଥିବା ପରୀକ୍ଷାର୍ଥୀ ମାନେ କହିଛନ୍ତି ।

ଚଳିତ ମାସ ୧୭ ତାରିଖରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିବା ବେଳେ, ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ମାଓ ଅଧୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବୋର୍ଡ଼ ସଭାପତି ରାମାଶିଷ ହାଜେରା ସୂଚନା ଦେଇଛନ୍ତି । କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।

ତେବେ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକ ୧୦ କିମି ଭିତରେ କରାଯାଇଛି ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ,ପେନ୍,ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଛି। ସେହିଭଳି ମଧ୍ୟମା ପରୀକ୍ଷା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି। ଏବଂ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେଉଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ ନହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ। କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଯେପରି ପହଞ୍ଚିବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପୋଲିସର କଡା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିଥିଲେ।

ସେହିପରି କପି ରୋକିବା ପାଇଁ ମଧ୍ୟ ସ୍କ୍ବାର୍ଡ ବ୍ୟବସ୍ଥାକୁ କଡାକଡି କରାଯାଇଛି। କପି ରୋକିବାକୁ ସମୁଦାୟ ୭୪ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବେଳେ ସେଥି ମଧ୍ୟରୁ ବୋର୍ଡ଼ ପକ୍ଷରୁ ୩୬ ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବୋର୍ଡ଼ ସଭାପତି ରାମଶିଷ ହାଜେରା ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.