ETV Bharat / state

ଚାଉଳ ଡିଲରଙ୍କ ଘର କାନ୍ଥରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ; ରାଗିଗଲେ ବିଜେପି କର୍ମୀ

author img

By ETV Bharat Odisha Team

Published : Jan 15, 2024, 2:34 PM IST

ଡିଲରଙ୍କ ଘର କାନ୍ଥରେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ
ଡିଲରଙ୍କ ଘର କାନ୍ଥରେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ

Niali photo politics : ଡିଲରଙ୍କ କାନ୍ଥରେ ନବୀନଙ୍କ ଫଟୋ ଦେଖି ବିଗିଡ଼ି ଗଲେ ବିଜେପି ସମର୍ଥକ। କହିଲେ, କେନ୍ଦ୍ର ଦେଉଛି ମାଗଣା ଚାଉଳ, ମୋଦିଙ୍କ ଫଟୋ ବଦଳରେ ନବୀନଙ୍କ ଫଟୋ ରହିବ କାହିଁକି ? ଅଧିକ ପଢନ୍ତୁ

ଡିଲରଙ୍କ ଘର କାନ୍ଥରେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ; ରାଗିଗଲେ ବିଜେପି ସମର୍ଥକ

ନିଆଳି: ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି । ଏହି କ୍ରମରେ ନିଆଳିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ରାଜନୀତି ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ସାହାନାଜପୁର ଗାଁରେ ଜଣେ ଡିଲରଙ୍କ ଘର କାନ୍ଥରେ କାହା ଫୋଟୋ ରହିବ ସେନେଇ ରାଜନୀତି ଜୋର ଧରିଛି । ଡିଲର ଦେବେନ୍ଦ୍ର ଦାଶଙ୍କ ଖାଉଟି ପାଇଁ ଉଦ୍ଦିଷ୍ଟ କାନ୍ଥରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋଟୋ ଲଗାଯାଇଥିବା ବେଳେ ବିବାଦ ପରେ ଏହାକୁ ହଟାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଯାଇଛି ।‌

ଡିଲରଙ୍କ କାନ୍ଥରେ ରହିବ କାହାର ଫଟୋ ? ମୁଖ୍ୟମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ । ଏହି ଘଟଣାକୁ ନେଇ କଟକ ଜିଲ୍ଲା ନିଆଳିରେ ଚର୍ଚ୍ଚା । କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧିନ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ମାଗଣାରେ ପାଞ୍ଚ କିଲୋ ଚାଉଳ ଯୋଗାଇ ଦେଉଛନ୍ତି । ଏହି ମାଗଣା ଚାଉଳ ହିତାଧିକାରୀମାନେ ବିଭିନ୍ନ ଡିଲର, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ପଞ୍ଚାୟତ ମାଧ୍ୟମରେ ପାଉଛନ୍ତି । ଯୋଗାଣ ସ୍ଥାନ ମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋଟୋ ବଦଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ଯୋଗୁଁ ବିଜେପି ସମର୍ଥକ ଜୋରଦାର ବିରୋଧ କରିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ସାହାନାଜପୁର ଗାଁରେ ଡିଲରଙ୍କ ଖାଉଟି ଗୃହ କାନ୍ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବା ବେଳେ ଏହାକୁ ବିରୋଧ କରିଥିଲେ ବିଜେପି କର୍ମୀ । ପ୍ରଧାନମନ୍ତ୍ରୀ ମାଗଣା ଚାଉଳ ଦେଉଥିବାରୁ ସେହି କାନ୍ଥରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ବୋଲି ଦାବି କରିଥିଲେ । ବିରୋଧ ପରେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ହଟାଯାଇ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ଲଗାଯାଇଛି ।

ଏହାମଧ୍ୟ ପଢନ୍ତୁ.. ତେଜିଲା BSKY-ନବୀନ କାର୍ଡ ରାଜନୀତି: ସମ୍ବିତ-ମୋହନ ମୁହାଁମୁହିଁ

ଏନେଇ ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା କହିଛନ୍ତି," ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀମାନଙ୍କ ପାଇଁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ଓଡିଶାରେ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ କପି ପେଷ୍ଟ କରି ଲୋକମାନଙ୍କୁ ବିଭ୍ରାନ୍ତି କରି କେମିତି ଭୋଟ ହାତେଇବେ ସେଥିପାଇଁ ବିଭିନ୍ନ ଡିଲର ପଏଣ୍ଟରେ ନବୀନଙ୍କ ଫଟୋ ଲଗାଇଛନ୍ତି । କେନ୍ଦ୍ର ସରକାର ତିନି କୋଟି,୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଥିବା ବେଳେ ରାଜ୍ୟ ୯ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି । କାହିଁକି ମୋଦିଙ୍କ ଫଟୋ ବଦଳରେ ନବୀନଙ୍କ ଫଟୋ ଲାଗିବ?"

ସେପଟେ ଜଲ୍ଲାରପୁର ପଞ୍ଚାୟତର ସାହାନାଜପୁର ଡିଲରଙ୍କ କହିଛନ୍ତି," ନିଆଳି ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ ମୁତାବକ ନବୀନ ଓ ମୋଦି ଉଭୟଙ୍କ ଫଟୋ ଲାଗିଥିଲା । କିନ୍ତୁ କଣ୍ଟା ଖସି ଯିବାରୁ ମୋଦିଙ୍କ ଫଟୋ କାଢି ଦେଇଥିଲୁ ।

ଏ ନେଇ ନିଆଳି ଯୋଗାଣ ନିରୀକ୍ଷକ ପ୍ରତିକ୍ରିୟା ଦେବାପାଇଁ ମନା କରିଛନ୍ତି । କଟକ ଜିଲ୍ଲା ନିଆଳି ବ୍ଳକ ୨୩ଟି ପଞ୍ଚାୟତର ଲୋକଙ୍କୁ ୭୦୨ ଟି ସ୍ଥାନରେ ମାଗଣା ଚାଉଳ ଯୋଗାଇ ଦିଆଯାଉଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.