ETV Bharat / state

କେନାଲ ରାସ୍ତା ନିର୍ମାଣ ନାଁରେ ଅନିୟମିତତା ! ତଦନ୍ତ ଦାବି କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Sep 20, 2023, 7:24 PM IST

massive corruption in road construction
ରାସ୍ତା ନିର୍ମାଣ ନାଁରେ ଅନିୟମିତତା ଅଭିଯୋଗ

କେନାଲ ରାସ୍ତା ନିର୍ମାଣ ନାଁରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିର୍ବାଚନ ମଣ୍ଡଳୀରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣ ନାଁରେ ଅନିୟମିତତା ଅଭିଯୋଗ

ବୌଦ୍ଧ: କେନାଲ ରାସ୍ତା ନିର୍ମାଣ ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ । ଉନ୍ନତିକରଣ ନାଁରେ ରାସ୍ତାରେ କେବଳ ପଙ୍କ କାଦୁଅ ବିଛାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିର୍ବାଚନ ମଣ୍ଡଳୀରେ । ଏହାସହ ଗ୍ରାମବାସୀମାନେ ସେହି ରାସ୍ତାରେ ବସି ରହିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ବଢ଼ିଗା ପଞ୍ଚାୟତ ଗିରାସିଙ୍ଗା ଗ୍ରାମଠାରୁ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ଏହି ରାସ୍ତାର ମରାମତି ଆଳରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ବର୍ଷ 50 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।


ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା କେନାଲ ରାସ୍ତା ନିର୍ମାଣ ନାଁରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ବାରମ୍ବାର ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ଗ୍ରାମବାସୀମାନଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ଗିରାସିଙ୍ଗା ଗ୍ରାମ । ବଢ଼ିଗା ପଞ୍ଚାୟତ ଅନ୍ତର୍ଗତ ଗିରାସିଙ୍ଗା ଗ୍ରାମଠାରୁ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା କେନାଲ ରାସ୍ତାର ଉନ୍ନତିକରଣ ପାଇଁ ପ୍ରତ୍ୟେକ ବର୍ଷ ମନରେଗା ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଛି ।


ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗ ଅଧୀନରେ ପ୍ରାୟ 4 ବର୍ଷ ତଳେ ଗିରାସିଙ୍ଗା ବଢ଼ିଗା ରାସ୍ତା ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତା' ପରେ ପ୍ରତ୍ୟେକ ବର୍ଷ ରାସ୍ତାର ଉନ୍ନତିକରଣ ନାଁରେ 5 ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ମନରେଗା ଯୋଜନାରେ ଖର୍ଚ୍ଚ ହେଉଛି । କିନ୍ତୁ ରାସ୍ତାର ଅବସ୍ଥା ସୁଧୁରିବାର ନାଁ ଧରୁନି । ଜଳସେଚନ ବିଭାଗ ଓ କିଛି ନିର୍ଦ୍ଦିଷ୍ଟ ଠିକାଦାର ଏଥିରେ ମାଲାମାଲ ହେଉଛନ୍ତି । ଚଳିତ ବର୍ଷ ମଧ୍ୟ ନିକଟସ୍ଥ ଏକ ପୋଖରୀରୁ ପଙ୍କ କାଦୁଅ ମାଟି ରାସ୍ତା ଉପରେ ବିଛାଇ 4 ଲକ୍ଷ 51ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି । ଯାହାକୁ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଛନ୍ତି ।

ଏହା ବି ପଢନ୍ତୁ...ଗାଁକୁ ନାହିଁ ରାସ୍ତା, କାଦୁଅ ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଲୋକେ


ଏନଇ ଆଜି କେନାଲ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଞ୍ଚଳବାସୀ । ଭଲ ରାସ୍ତାକୁ ବାରମ୍ବାର ଉନ୍ନତି କରଣ ନାଁରେ ସରକାରୀ ଅର୍ଥ ହଡପ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ବଢ଼ିଗା ପଞ୍ଚାୟତ କାର୍ଯ୍ୟାଳୟକୁ ରାସନ, ଭତ୍ତା ପାଇଁ ହିତାଧିକାରୀମାନେ ଯିବା ଆସିବା କରୁଥିବାବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତାରେ ସ୍କୁଲ ଯାଇଥାନ୍ତି । ହେଲେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କୁ ଅନ୍ୟ ରାସ୍ତା ଉପରେ ନିର୍ଭର ହେବାକୁ ପଡ଼ୁଛି । ତେବେ ଏକ ନିର୍ଦ୍ଦିଷ୍ଟ ରାସ୍ତା ଉପରେ ମୋରମ ବିଛାଇବା ନାଁରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହିତ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଏ ସମ୍ପର୍କରେ ଜିଲ୍ଲା ଜଳସେଚନ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.