ETV Bharat / state

କେବେ ସରିବ ପୁରୁଣା ଜଗନ୍ନାଥ ସଡକ କାମ ? କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ

author img

By ETV Bharat Odisha Team

Published : Sep 6, 2023, 4:43 PM IST

villagers protest over road issue
ରାସ୍ତାର ଦୂରାବସ୍ଥାକୁ ନେଇ ପ୍ରତିବାଦ

ରାସ୍ତାର ଦୂରାବସ୍ଥାକୁ ନେଇ ଅଭିନବ ଶୈଳୀରେ ସ୍ବେଚ୍ଛାସେବୀଙ୍କ ପ୍ରତିବାଦ । ପଙ୍କ କାଦୁଅ ରାସ୍ତାରେ ତଳି ରୋଇ ପ୍ରଶାସନକୁ ଦାବି ଜଣାଇଲେ । ଅଧିକ ପଢ଼ନ୍ତୁ

ରାସ୍ତାର ଦୂରାବସ୍ଥାକୁ ନେଇ ପ୍ରତିବାଦ

ବୌଦ୍ଧ: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ରହିଛି ଯୋଗାଯୋଗ ବ୍ୟବସ୍ଥା । ବାରମ୍ବାର ଦାବି ସତ୍ତ୍ବେ ଶୁଣୁନାହାନ୍ତି ପ୍ରଶାସନ କି ରାଜନେତା । ଶେଷରେ ରାସ୍ତାର ଦୂରାବସ୍ଥାକୁ ନେଇ ଅଭିନବ ଶୈଳୀରେ କାଦୁଅ ଉପରେ ବସି ପ୍ରତିବାଦ ଜଣାଇଲେ ସ୍ବେଚ୍ଛାସେବୀ । ପଙ୍କ କାଦୁଅ ରାସ୍ତାରେ ଧାନ ତଳି ରୋଇଲେ ଓ କାଦୁଅରେ ବସି ସତ୍ୟାଗ୍ରହ କଲେ । ଏପଟେ ଯଥାଶୀଘ୍ର ରାସ୍ତାର ମରାମତି କାମ ଶେଷ ହେବ ବୋଲି ଆରଡ଼ି ବିଭାଗ ପ୍ରତିଶୃତି ଦେଇଛି ।

ବୌଦ୍ଧ ଜିଲ୍ଲାର ସର୍ବପୁରାତନ ରାସ୍ତା କୁହାଯାଉଥିବା ପୁରୁଣା ଜଗନ୍ନାଥ ରାସ୍ତାର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇ ଆସୁଛି । ଶ୍ରୀକ୍ଷେତ୍ର ପୁରୀକୁ ସଂଯୋଗ ପାଇଁ ଶହଶହ ବର୍ଷ ଧରି ବ୍ୟବହୃତ ହେଉଥିବା ପୁରୁଣା ଜଗନ୍ନାଥ ସଡକ ସ୍ବାଧୀନତା ପରବର୍ତ୍ତୀ ସମୟରେ ବୌଦ୍ଧ ଠାରୁ ମାରଡା ପର୍ଯ୍ୟନ୍ତ ଅତ୍ୟନ୍ତ ଅବହେଳିତ ହୋଇ ରହିଛି । ଏହି ପ୍ରାଚୀନ ଜଗନ୍ନାଥ ସଡକର ଉନ୍ନତି ପାଇଁ ସରକାର ପ୍ରଚେଷ୍ଟା କରିଥିଲେ । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଠାରୁ ଧଳପୁର ପର୍ଯ୍ୟନ୍ତ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସୂଚନା ମିଳିନାହିଁ । ତାରିଖ ପରେ ତାରିଖ ଗଡୁଛି ହେଲେ ରାସ୍ତା କାମ ସରିବାର ନାଁ ନେଉନାହିଁ । କୃଷ୍ଣମୋହନ ପୁର ନିକଟରେ ଥିବା ବଲାଟ ନାଳରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ । ଫଳରେ ଅତ୍ୟାବଶ୍ୟକୀୟ ସେବା ତଥା ଆମ୍ବୁଲାନ୍ସ ସେବା ମଧ୍ୟ ଲୋକଙ୍କ ପାଇଁ ଅପହଞ୍ଚ ହୋଇରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ

ରାସ୍ତା ଉପରେ ପ୍ରାୟ ପନ୍ଦରଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ ଥିବା ବେଳେ ବର୍ଷା ଋତୁରେ ବନ୍ୟାଜଳ ଉକ୍ତ ସଡକ ଉପରେ ପ୍ରବାହିତ ହେବା ଆଶଙ୍କା ରହିଛି । ସେପଟେ ଗମନାଗମନର ସୁବିଧା ପାଇଁ ଧଳପୁର ଠାରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ସେତୁ ବିକାଶରେ ସହାୟକ ହୋଇ ପାରିଛି । କିନ୍ତୁ ଧଳପୁର ସେତୁକୁ ସଂଯୋଗ କରୁଥିବା ପୁରୁଣା ଜଗନ୍ନାଥ ସଡକର ଅବ୍ୟବସ୍ଥା କହିଲେ ନସରେ । ପ୍ରତ୍ୟେକ ଦିନ ଉକ୍ତ ରାସ୍ତାରେ ବଡ ବଡ଼ ଗାଡ଼ି ଫସି ରହି ଯାତାୟାତ ବାଧାପ୍ରାପ୍ତ ହେଉଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ଆଜି ଅଞ୍ଚଳର କିଛି ଯୁବ ସ୍ଵେଚ୍ଛାସେବୀ ଅଭିନବ ଶୈଳୀରେ ଏହାର ପ୍ରତିବାଦ କରିଥିଲେ । ଯୁବ ସ୍ଵେଚ୍ଛାସେବୀ ଅରୁପା ଦୀପ ଓ ଅନ୍ୟ କିଛି ଯୁବକ ଉକ୍ତ ଜଗନ୍ନାଥ ସଡକର କାଦୁଅ ରାସ୍ତା ଉପରେ ବସି କାଦୁଅ ସତ୍ୟାଗ୍ରହ ପାଳନ କରିଥିଲେ । ଶେଷରେ ପ୍ରଶାସନର ଏକ ଟିମ୍ ସେଠାରେ ପହଞ୍ଚି ରାସ୍ତା ମରାମତି ତଥା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ମାନେ ସେଠାରୁ ଉଠିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.