ETV Bharat / state

ଉପାନ୍ତ ଅଞ୍ଚଳରେ ନାହିଁ ବିକାଶର ପଦଚିହ୍ନ, ସମସ୍ୟା ଘେରରେ ଶତାଧିକ ଲୋକେ

author img

By ETV Bharat Odisha Team

Published : Oct 10, 2023, 12:04 PM IST

Updated : Oct 11, 2023, 11:06 AM IST

ଉପାନ୍ତ ଅଞ୍ଚଳରେ ନାହିଁ ବିକାଶର ପଦଚିହ୍ନ, ସମସ୍ୟା ଘରରେ 3ହଜାର ଲୋକେ
ଉପାନ୍ତ ଅଞ୍ଚଳରେ ନାହିଁ ବିକାଶର ପଦଚିହ୍ନ, ସମସ୍ୟା ଘରରେ 3ହଜାର ଲୋକେ

ସମସ୍ୟା ଘେରରେ ଛନ୍ଦି ହୋଇ ରହିଛନ୍ତି ବୌଦ୍ଧ ଜିଲ୍ଲାର ତିନୋଟି ଗ୍ରାମର ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଅଧିବାସୀ । ଜିଲ୍ଲାର ଉପାନ୍ତ ପଞ୍ଚାୟତର ଉକ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାର ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ଏକପ୍ରକାର ଅପହଞ୍ଚ ହୋଇ ରହିଛି । ଅଧିକ ପଢନ୍ତୁ

ବୌଦ୍ଧର ଉପାନ୍ତ ଅଞ୍ଚଳରେ ନାହିଁ ବିକାଶର ପଦଚିହ୍ନ

ବୌଦ୍ଧ: ସମସ୍ୟା ଘେରରେ ଛନ୍ଦି ହୋଇ ରହିଛନ୍ତି ବୌଦ୍ଧ ଜିଲ୍ଲାର ତିନୋଟି ଗ୍ରାମର ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ଅଧିବାସୀ । ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହି ଗ୍ରାମଗୁଡିକରେ ଏହାର ଭିନ୍ନ ରୂପ ଦେଖିବାକୁ ମିଳୁଛି । ଜିଲ୍ଲାର ଉପାନ୍ତ ପଞ୍ଚାୟତର ଉକ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାର ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ଏକପ୍ରକାର ଅପହଞ୍ଚ ହୋଇ ରହିଥିବା ବେଳେ ପାନୀୟଜଳ, ବିଦ୍ୟୁତ ସମସ୍ୟା ସହିତ ବନ୍ୟଜନ୍ତୁଙ୍କ ଭୟରେ ଦିନ କାଟୁଛନ୍ତି ସ୍ଥାନୀୟ ଅଧିବାସୀ ।

ବ୍ୟାପକ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ତଥା କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ବରଗାଁ । ଏହି ବରଗାଁ ପଞ୍ଚାୟତର ମଲ୍ଲିକୁଦ ଠାରୁ ଉପରପଡା, ଘୋରଡାପଡା, ଦଣ୍ଡିପଡ଼ା ପର୍ଯ୍ୟନ୍ତ ଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହି ରାସ୍ତାଟି କେବଳ ଏକ ପାଦଚଲା ରାସ୍ତା ହୋଇପଡ଼ିଛି । ରାସ୍ତାର ଦୂରାବସ୍ଥା ଯୋଗୁଁ ଏହି ଅଞ୍ଚଳରେ ନା କୌଣସି ବଡ଼ ଗାଡ଼ି ଆସିପାରୁଛି ନା ଆମ୍ବୁଲାନ୍ସ ସେବା ସେବା ପାଇପାରୁଛନ୍ତି ସ୍ଥାନୀୟ ଅଧିବାସୀ ।

ଏହାମଧ୍ଯ ପଢନ୍ତୁ.. ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଜରୁରୀ ସମୟରେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ପାଇପାରୁନାହାନ୍ତି ସ୍ଥାନୀୟ ଲୋକେ । ଯେଉଁଥିପାଇଁ ଅନେକ ଜୀବନ ବିପଦ ମୁଖରେ ପଡ଼ୁଛି । ସେହିଭଳି ଏହି ଗାଁଠୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ରାସ୍ତାଟି ଜଙ୍ଗଲ ବିଭାଗ ଅଧିନରେ ଥିବାବେଳେ ଏଠାରେ ପ୍ରତ୍ୟେକ ଦିନ ବନ୍ୟଜନ୍ତୁ ବିଶେଷ ଭାବରେ ବଣୁଆ ହାତୀଙ୍କ ଭୟ ଲାଗି ରହୁଛି । ହାତୀଙ୍କ ଚଳପ୍ରଚଳ ଯୋଗୁଁ ଏଠାରେ ଭୟରେ ଲୋକମାନେ ଦିନ କାଟୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଅପହଞ୍ଚ ସରକାରୀ ଯୋଜନା, ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିବାସୀ ପରିବାର

କେବଳ ଏତିକି ନୁହେଁ ପାନୀୟ ଜଳ, ବିଦ୍ୟୁତ ସେବା ଭଳି ଅତ୍ୟାବଶକୀୟ ସେବାରୁ ବି ବଞ୍ଚିତ ଏହି ଗ୍ରାମବାସୀ । ତେଲନଦୀର ନିକଟରେ ବରଗାଁ ପଞ୍ଚାୟତ ରହିଥିଲେ ମଧ୍ୟ ସ୍ୱଚ୍ଛ ପାନୀୟଜଳ ଅଞ୍ଚଳବାସୀଙ୍କ ପାଇଁ ଦିବା ସ୍ୱପ୍ନ । ଏହି ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଜଙ୍ଗଲ ବିଭାଗଠାରୁ ଆରଡ଼ି ବିଭାଗକୁ ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ଏହି ଅଞ୍ଚଳର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ହେଲା ବ୍ଲକ ପ୍ରଶାସନଠାରୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି କାର୍ଯ୍ୟ କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।


ଇଟିଭି ଭାରତ, ବୌଦ୍ଧ

Last Updated :Oct 11, 2023, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.