ETV Bharat / state

ଅବ୍ୟବସ୍ଥା ଘେରରେ ବୟନ ବିଭାଗ, ନାହାନ୍ତି ସ୍ଥାୟୀ ଅଧିକାରୀ

author img

By ETV Bharat Odisha Team

Published : Dec 21, 2023, 7:35 AM IST

ଅବ୍ୟବସ୍ଥା ଘେରରେ ବୟନ ବିଭାଗ, ନାହାନ୍ତି ସ୍ଥାୟୀ ବୟନ ଅଧିକାରୀ
ଅବ୍ୟବସ୍ଥା ଘେରରେ ବୟନ ବିଭାଗ, ନାହାନ୍ତି ସ୍ଥାୟୀ ବୟନ ଅଧିକାରୀ

Textile Officer Post is Vacant: ବୌଦ୍ଧ ଜିଲ୍ଲାରେ ବୟନ କଳାର ରହିଛି ସ୍ୱତନ୍ତ୍ର ପରିଚୟ । ଜିଲ୍ଲାର ବାପ୍ତା ଶାଢୀ ଆନ୍ତର୍ଜାତିକସ୍ତରରେ ମଧ୍ୟ ବେଶ ଚାହିଦା ରହିଛି । ହେଲେ ଜିଲ୍ଲାରେ ସ୍ଥାୟୀ ବୟନ ଅଧିକାରୀ ପଦବୀ ଖାଲି ପଡ଼ିଥିବା କାରଣରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୁଣାକାର । ଅଧିକ ପଢ଼ନ୍ତୁ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବୁଣାକାର ସମ୍ପ୍ରଦାୟର ବାନ୍ଧକଳାର ବେଶ ଚାହିଦା ରହିଛି । ସରକାରଙ୍କ ପକ୍ଷରୁ ଏହି ବୟନ କଳା ସହ ଜଡ଼ିତ ପରିବାରକୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି । କିନ୍ତୁ ଦୀର୍ଘ ଦିନ ହେଲା ଜିଲ୍ଲାରେ ଜଣେ ସ୍ଥାୟୀ ବୟନ ଅଧିକାରୀ ପଦବୀ ଖାଲି ରହିଛି । ତେଣୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ବୁଣାକାରଙ୍କ ନିକଟରେ ଠିକ୍‌ରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ବୟନ କଳାର ରହିଛି ସ୍ୱତନ୍ତ୍ର ପରିଚୟ । ବୌଦ୍ଧ ଜିଲ୍ଲା ସଦର ମହକୁମା ବୁଟୁପାଲି ଓ ମର୍ଜାକୁଦ ସହିତ ଚମ୍ପାପୁର, ମଥୁରା, ବାଘପାଲି, ଫାଉପାଲି, ନାରାୟଣ ନଗର, ସାହାଜପାଲ, ବାଉଶୁଣୀ, ଗବଯୋର, ମନମୁଣ୍ଡା, ଗୁଡଭେଲିପଦର ଭଳି ଅନେକ ସ୍ଥାନରେ ଭୁଲିଆ ସମ୍ପ୍ରଦାୟର ଲୋକେ ପିଢ଼ି ପରେ ପିଢ଼ି ବାନ୍ଧକଳାକୁ ନିଜର ବୃତ୍ତି କରି ଚଳୁଛନ୍ତି ।

ବର୍ତ୍ତମାନ ସମୟରେ ଜିଲ୍ଲାର କେତେକ ପାରମ୍ପରିକ ବାନ୍ଧ ସାମଗ୍ରୀକୁ ଛାଡ଼ିଦେଲେ ଅଧିକାଂଶ ଆଧୁନିକୀକରଣ ତଥା ଚାହିଦା ମୁତାବକ କପଡ଼ା, ଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ବୁଣା ଯାଉଛି । ଜିଲ୍ଲାର ବାପ୍ତା ଶାଢ଼ୀ ଆନ୍ତର୍ଜାତିକସ୍ତରରେ ମଧ୍ୟ ବେଶ ଚାହିଦା ରହିଛି । ସରକାରଙ୍କ ପକ୍ଷରୁ ଏହି ବୟନକଳା ସହ ଜଡ଼ିତ ବୁଣାକାର ସମ୍ପ୍ରଦାୟର ପରିବାରକୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସମୟରେ ବୁଣାକାରମାନଙ୍କ ପାଇଁ ଉଦ୍ଦିଷ୍ଟ ବୟନ ଜ୍ୟୋତି ଯୋଜନା ସହିତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ବିନା ସୁଧରେ ଋଣ ପ୍ରଦାନର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ସବୁ କଲେଜରେ ଗଢ଼ା ହେବ ଆଲୁମିନି ସେଲ୍‌, ପ୍ରଥମ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

ତେବେ ଜିଲ୍ଲାରେ ଦୀର୍ଘ ଦିନ ହେଲା ବୟନ ବିଭାଗର ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି । ଫଳରେ ଜିଲ୍ଲାର ବିଭିନ୍ନ ଯୋଜନା ବୁଣାକାରମାନଙ୍କ ନିକଟରେ ଠିକ୍‌ରେ ପହଞ୍ଚି ପାରୁନାହିଁ । ତିନୋଟି ବ୍ଲକ୍‌ରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ବୁଣାକାରଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ବର୍ତ୍ତମାନ କେତେକ ପରିବାରକୁ ଆଲୋକ ବ୍ୟବସ୍ଥା ପାଇଁ ଇନଭର୍ଟର ଯୋଗାଇ ଦିଆଯାଉଛି । କିନ୍ତୁ ବୁଣାକାରଙ୍କୁ ଋଣ ଯୋଗାଇବାରେ ବିଭିନ୍ନ ବ୍ୟାଙ୍କ ଆଗ୍ରହ ପ୍ରଦର୍ଶନ କରୁନଥିବାରୁ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେପଟେ ବୁଣାକାରଙ୍କୁ ଆଲୋକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଇନଭର୍ଟର ଯୋଗାଉଥିବା ବୟନ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଅଧିକାଂଶ ସମୟ ଅନ୍ଧକାର ମଧ୍ୟରେ ବୁଡ଼ି ରହୁଛି । ପରିସ୍ଥିତି ଏପରି ଯେ, ଖୋଦ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ଵ ବହନ କରିଥିବା ହ୍ୟାଣ୍ଡଲୁମ ପରାମର୍ଶଦାତା ସମୀକ୍ଷା ଅନ୍ଧକାର ମଧ୍ୟରେ ମୋବାଇଲ ଲାଇଟ୍‌ରେ କରୁଥିବା ଭଳି ଘଟଣା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.