ETV Bharat / state

ସବୁ କଲେଜରେ ଗଢ଼ା ହେବ ଆଲୁମିନି ସେଲ୍‌, ପ୍ରଥମ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

author img

By ETV Bharat Odisha Team

Published : Dec 20, 2023, 10:33 PM IST

Mo College Initiative: ମୋ କଲେଜ ଅଧିନରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଠନ ହେବ ଆଲୁମିନି ସେଲ । ଏନ୍‌ଏସ୍‌ଏସ୍‌, ରେଡ୍‌କ୍ରସ୍‌ ଭଳି ବିଭାଗ ସହ ଯୋଡ଼ି ହୋଇଥିବା ବିଦ୍ୟାର୍ଥୀ ଏହାର ପ୍ରମୁଖ ପରିଚାଳନା ଦାୟିତ୍ବ ସମ୍ଭାଳିବେ । ଅଧିକ ପଢ଼ନ୍ତୁ

ସବୁ କଲେଜରେ ଗଢ଼ା ହେବ ଆଲୁମିନି ସେଲ୍‌
ସବୁ କଲେଜରେ ଗଢ଼ା ହେବ ଆଲୁମିନି ସେଲ୍‌

ଭୁବନେଶ୍ବର: 'ମୋ କଲେଜ' ଅଧିନରେ ଥିବା ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଠନ ହେବ 'ଆଲୁମିନି ସେଲ' । ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ୧୦ ଜଣ ବିଦ୍ୟାର୍ଥୀଙ୍କୁ ନେଇ ଏହି ସେଲ୍‌ର ସଂରଚନା ହେବ । ବିଶେଷ କରି ଏନ୍‌ଏସ୍‌ଏସ୍‌, ରେଡ୍‌କ୍ରସ୍‌ ଭଳି ବିଭାଗ ସହ ଯୋଡ଼ି ହୋଇଥିବା ବିଦ୍ୟାର୍ଥୀ ଏହାର ପ୍ରମୁଖ ପରିଚାଳନା ଦାୟିତ୍ବ ସମ୍ଭାଳିବେ । ସେଲ୍‌ର ବିଦ୍ୟାର୍ଥୀ ସଦସ୍ୟମାନେ ସିଧାସଳଖ 'ମୋ କଲେଜ' ସଂଯୋଜକ ଏବଂ କଲେଜ ଅଧ୍ୟକ୍ଷ ତଥା ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ କରିବେ । ବଡ଼ କଥା ହେଉଛି, ନିଜ ଶିକ୍ଷାନୁଷ୍ଠାନ ସହ ଅଧିକରୁ ଅଧିକ ଆଲୁମିନିଙ୍କୁ ଯୋଡ଼ିବା ନେଇ ଏହି ସେଲ୍‌ କାର୍ଯ୍ୟ କରିବ । ଆଲୁମିନି ମିଟ୍‌ ସହ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମରେ ମଧ୍ୟ ସେଲ୍‌ର ସଦସ୍ୟମାନେ ନିଜକୁ ସାମିଲ କରିବେ ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ସମୁଦାୟ ୧୨ଟି ମହାବିଦ୍ୟାଳୟରେ ଏହି ଆଲୁମିନି ସେଲ୍‌ ଗଢ଼ା ସରିଛି । ସେଗୁଡିକ ହେଲା ଖୋର୍ଦ୍ଧା ଜିଲ୍ଲାର ରାଜଧାନୀ କଲେଜ, ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟ, କମଳା ନେହେରୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଦେବରାୟ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ବର ଜିଲ୍ଲାର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟ, କଟକର ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ, ସୁନ୍ଦରଗଡ଼ର ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଭଦ୍ରକର ଅଟଳ ବିହାରୀ ଡିଗ୍ରୀ କଲେଜ, ମୟୂରଭଞ୍ଜର ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜ ଓ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଏବଂ କେନ୍ଦୁଝରର ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ସେଲ୍‌ ଗୁଡ଼ିକ ଆଲୁମିନି ମିଟ୍‌ ସହ ରକ୍ତଦାନ ଶିବିର, ଆଲୋଚନାଚକ୍ର, କର୍ମଶାଳା, ସଚେତନଧର୍ମୀ କାର୍ଯ୍ୟକ୍ରମ, ଆନ୍ତଃକଲେଜ କ୍ରୀଡ଼ା ପ୍ରତିଯୋଗିତା, ବୃକ୍ଷରୋପଣ ଭଳି ଜନସେବା କାର୍ଯ୍ୟକ୍ରମମାନ ଆୟୋଜନ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ: ନିଯୁକ୍ତି ପାଇଲେ ୩୭୧୪ ଟିଜିଟି, ୪୫୨ ପିଇଟି

ଏହି ସେଲ୍‌ ଅଧିନରେ ମଙ୍ଗଳବାର ବାଲେଶ୍ବରର ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଭଦ୍ରକର ଅଟଳ ବିହାରୀ ଡିଗ୍ରୀ କଲେଜରେ ଆଲୁମିନି ମିଟ୍‌ ଆୟୋଜିତ ହୋଇଛି । ଅଧିକରୁ ଅଧିକ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ନିଜ ଶିକ୍ଷାନୁଷ୍ଠାନର ବୌଦ୍ଧିକ ତଥା ଆର୍ଥିକ ବିକାଶରେ ସେମାନଙ୍କର ସହଭାଗୀତା ଏବଂ 'ମୋ କଲେଜ ଅଭିଯାନ' ଆଣିଥିବା ସୁଯୋଗ ନେଇ 'ଆଲୁମିନି ସେଲ୍‌' ସମସ୍ତଙ୍କୁ ଅବଗତ କରାଇଛି । ତେବେ ଏହି ସେଲ୍‌ ଗଠନ ହେବା ଦ୍ବାରା ବହୁ ପୁରାତନ ବିଦ୍ୟାର୍ଥୀ ନିଜର ପ୍ରିୟ କଲେଜ ଓ ବିଶ୍ବବିଦ୍ୟାଳୟ ସହ ଯୋଡ଼ି ହୋଇପାରିବେ । ଯାହା ଫଳରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏକ ସୁଚିନ୍ତିତ ଶିକ୍ଷା ଅନୁରାଗୀ ପରିବେଶ ସୃଷ୍ଟି ହୋଇପାରିବ ବୋଲି 'ମୋ କଲେଜ' ଅଧ୍ୟକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.