ETV Bharat / state

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା, ଗୁଣିଗାରେଡି଼ ଭରସାରେ ଲୋକେ !

author img

By ETV Bharat Odisha Team

Published : Sep 22, 2023, 4:16 PM IST

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା
ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା

ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ଅବସ୍ଥାରେ ଆମ୍ବୁଲାନ୍ସ ସେବା । ସଠିକ ଭାବରେ ମିଳି ପାରୁନି ଏହି ସରକାରୀ ସେବା। ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ଉପାନ୍ତ ଅଞ୍ଚଳରେ ଲୋକେ ଗୁଣିଗାରେଡି଼ ଉପରେ ଭରସା କରୁଛନ୍ତି ଲୋକେ। ଅଧିକ ପଢ଼ନ୍ତୁ

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା

ବୌଦ୍ଧ: ବିପର୍ଯ୍ୟସ୍ତ ଅବସ୍ଥାରେ ଆମ୍ବୁଲାନ୍ସ ସେବା । ସଠିକ ଭାବରେ ମିଳି ପାରୁନି ଏହି ସରକାରୀ ସେବା । ଗୋଟିଏ ପଟରେ ଯୋଗାଯୋଗର ବିଛିନ୍ନତା ଫଳରେ ଅନେକ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନଥିବା ବେଳେ ଅନ୍ୟପଟେ ଆମ୍ବୁଲାନ୍ସର ଅଭାବ ରହିଛି । ଏହାସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ଉପାନ୍ତ ଅଞ୍ଚଳରେ ଲୋକେ ଗୁଣିଗାରେଡି଼ ଉପରେ ଭରସା କରି ଚଳୁଥିବା ଅଭିଯୋଗ ହୋଇଛି ।

ତେବେ ବୌଦ୍ଧ ଜିଲ୍ଲାର ସ୍ବାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ସେବାକୁ ନେଇ ସମସ୍ୟା ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗର ମାଧ୍ୟମ ନଥିବାରୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି । ବିଶେଷ ଭାବରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ୍‌ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ସମସ୍ୟା ରହୁଥିବା ସହ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ ଏଭଳି ପାଞ୍ଚ ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ ଡାକ୍ତର ନାହାନ୍ତି । ସେହିପରି ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି । ଫଳରେ ଏଭଳି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ବାଧ୍ୟ ହୋଇ ସ୍ବାସ୍ଥ୍ୟ ସେବା ପାଇଁ ଗୁଣିଗାରେଡି ଓ ଝଡାଫୁଙ୍କା ଉପରେ ନିର୍ଭର କରୁଛନ୍ତି । ଗୋଟିଏ ପଟରେ ଜନସଚେତନତା ଅଭାବରୁ ଏଭଳି ଗୁଣିଗାରେଡି ଉପରେ ସାଧାରଣ ଲୋକ ନିର୍ଭରଶୀଳ ଥିବା ବେଳେ ଅନ୍ୟପଟେ ଆମ୍ବୁଲାନ୍ସ ସେବା ଉକ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଥିବା ବେଳେ ଜିଲ୍ଲାରେ ସମୁଦାୟ ଦଶଟି ୧୦୮ ଆମ୍ବୁଲାନ୍ସ ରହିଛି । ଆବଶ୍ୟକ ଠାରୁ ଆମ୍ବୁଲାନ୍ସ କମ ରହିଥିବାରୁ ସେବା ଠିକରେ ମିଳୁନଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବୁଲାନ୍ସ ସେବା ପାଲଟିଛି ସ୍ବପ୍ନ, 3କିଲୋମିଟର କାନ୍ଧରେ ବୁହା ହେଲେ ରୋଗୀ

ତେବେ ସୂର୍ଯ୍ୟ ନାରାୟଣ ଏହା ମଧ୍ୟ କହିଛନ୍ତି ଯେ, ବୌଦ୍ଧ ଜିଲ୍ଲାର ସଦର ମହକୁମାଠାରେ ତିନି ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଡାକ୍ତରଖାନା ଓ ମନମୁଣ୍ଡା ଠାରେ ଶିଶୁ ମହିଳାଙ୍କ ପାଇଁ ଅତ୍ୟାଧୁନିକ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ହେବ ସେନେଇ କୌଣସି ସୂଚନା ନାହିଁ । ଫଳରେ ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ବ୍ୟାପକ ସମସ୍ୟା ଦେଖାଦେଇଛି । ସେପଟେ ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରିବା ସହ ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ନେଇ ବୁଦ୍ଧିଜୀବୀଙ୍କ ମହଲରେ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.