ETV Bharat / state

ବିକାଶର ଆଢୁଆଳରେ ବାଉଁଶୁଣୀ, ମାଳମାଳ ସମସ୍ୟାର ସମାଧାନ ପାଇଁ ଦାବି

author img

By ETV Bharat Odisha Team

Published : Nov 13, 2023, 6:21 PM IST

Development of Baunsuni area
Development of Baunsuni area

ମହାନଦୀ ଓ ବାଘ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଁଶୁଣୀ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, ବାଣିଜ୍ୟ, ଆଇନ ଶୃଂଖଳା ଭଳି ବିଭିନ୍ନ ବ୍ୟବସ୍ଥା ଉପରେ ପ୍ରାୟ ଆଠଟି ପଞ୍ଚାୟତ ବାସୀ ନିର୍ଭରଶୀଳ ଥିବା ଅଞ୍ଚଳ ବର୍ତ୍ତମାନ ସମସ୍ୟା ଘେରରେ । ଅଧିକ ପଢ଼ନ୍ତୁ

Development of Baunsuni area

ବୌଦ୍ଧ: ସରକାର ରାଜ୍ୟର ବିକାଶ ପାଇଁ ମାଳ ମାଳ ଯୋଜନା କରୁଥିବା କହି ଡିଣ୍ଡିମ ପିଟୁଛନ୍ତି । ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, ବାଣିଜ୍ୟ, ଆଇନ ଶୃଙ୍ଖଳା ବ୍ୟାବସ୍ଥା ପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଅଞ୍ଚଳରେ ।

ମହାନଦୀ ଓ ବାଘ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଁଶୁଣୀ । ଗଡ଼ଜାତ ଶାସନ କାଳରେ ଏହି ବାଉଁଶୁଣୀ ଏକ ପ୍ରମୁଖ ସ୍ଥାନ ହୋଇ ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ଏହି ବାଉଁଶୁଣୀ ଉପରେ ପ୍ରାୟ ଆଠଟି ପଞ୍ଚାୟତବାସୀ ନିର୍ଭରଶୀଳ । ବିଶେଷ ଭାବରେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ବ୍ୟବସାୟ, ଥାନା, ଶିକ୍ଷା ଉପରେ ନିର୍ଭରଶୀଳ ଅଞ୍ଚଳର ଅଧିବାସୀ । କିନ୍ତୁ ଏଠାରେ ସ୍ବାସ୍ଥ୍ୟସେବାର ଅବବ୍ୟସ୍ଥା ଦେଖିବାକୁ ମିଳିଥିବା ବେଳେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ସେଠାରେ ଚରମ ବିଶୃଙ୍ଖଳା ଲାଗି ରହୁଛି । ଏଠାରେ ରୋଗୀଙ୍କ ଚିକିତ୍ସା ଅପେକ୍ଷା ରାଜନୀତି ଅଧିକ ହେଉଥିବା ଚର୍ଚ୍ଚା ହେଉଛି ।

ସେପଟେ ବାଉଁଶୁଣୀ ଦେଇ ୫୭ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟୁଥିବାରୁ ଏଠାରେ ବାଏପାସ ରାସ୍ତାର ଯଥେଷ୍ଟ ଆବଶ୍ୟକତା ରହିଛି । ଦୀର୍ଘ ବର୍ଷ ହେବ ଅଞ୍ଚଳବାସୀ ବାଉଶୁଣୀକୁ ଏକ ଏନଏସିର ମାନ୍ୟତା ପାଇଁ ଦାବି କରୁଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉନଥିବା ଅଭିଯୋଗ ହୋଇଛି । ଏହାଛଡା ବାଘନଦୀ କୂଳରେ ଶତାଧିକ ବର୍ଷ ପୁରୁଣା ଡାକ ବଙ୍ଗଳା ମାଟିରେ ମିଶିବାକୁ ବସିଛି । ଏକଦା ପ୍ରବାଦ ପୁରୁଷ ବିଜୁବାବୁଙ୍କର ପ୍ରିୟ ବଙ୍ଗଳା ଥିବା ଉକ୍ତ ଡ଼ାକବଙ୍ଗଳାରେ ବର୍ତ୍ତମାନ ଅସାମାଜିକ ଲୋକମାନଙ୍କର ଆଡ୍ଡା ଜମୁଥିବା ବେଳେ ବର୍ତ୍ତମାନ ତାହା ଧ୍ବଂସ ସ୍ତୁପରେ ପରିଣତ ହେବା ଅପେକ୍ଷାରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ......ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବୌଦ୍ଧ, ଜିଲ୍ଲା ପାଇଁ ଅନୁଦାନ 34.5 କୋଟି

ସେହିପରି ବାଉଁଶୁଣୀ ଠାରେ ବସଷ୍ଟାଣ୍ଡ ନାହିଁ କିମ୍ବା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଅଧିକାଂଶ ସମୟରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମହାନଦୀ ଓ ବାଘନଦୀ କୂଳରେ ଅବସ୍ଥିତ ବାଉଁଶୁଣୀ ଅଞ୍ଚଳରେ ପାନୀୟଜଳ ଓ ଜଳସେଚନ କ୍ଷେତ୍ରରେ ଅନେକ ସମୟରେ ସମସ୍ୟା ଲାଗିରହୁଛି । ଏପରିକି ବାଉଁଶୁଣୀ ଠାରେ ଡ୍ରେନେଜ ସମସ୍ୟା କେବେ ମଧ୍ୟ ସୁଧୁରିବାର ନା ଧରୁନି । ମହାନଦୀ କୂଳରେ ଅବସ୍ଥିତ ବାଉଁଶୁଣୀର ବଉଦିଆ ପଡା ଓ ସୋନପୁରୀଆପଡା ପାଇଁ ମହାନଦୀ କୂଳ ଲଙ୍ଘି ବିପଦ ସୃଷ୍ଟି କରିଛି । ଏନେଇ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନଥିବା ବେଳେ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ବାଉଁଶୁଣୀର ଭୁବନେଶ୍ଵର ମନ୍ଦିର ବର୍ତ୍ତମାନ ମହାନଦୀ ଆଡ଼କୁ ଢଳିବାରେ ଲାଗିଛି । ବାଉଁଶୁଣୀ ଅଞ୍ଚଳର ବିକାଶ କୁନେଇ ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀ ସିଧାସଳଖ ଭାବରେ ପ୍ରଶାସନିକ ଉଦାସୀନତା ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.