ETV Bharat / state

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, କିଣାବିକା ପାଇଁ ଜମୁଛି ଭିଡ଼

author img

By ETV Bharat Odisha Team

Published : Sep 17, 2023, 7:38 PM IST

nuakhai celebration in western odisha
ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ନବାନ୍ନ ଲାଗି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଘର ଅଗଣା ଲିପାପୋଛାଠାରୁ ଆରମ୍ଭ କରି ନୂଆ ଧାନ ଓ ଲୁଗାପଟା କିଣାବିକା ଚାଲିଛି । ଅଧିକ ପଢନ୍ତୁ

ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

କଳାହାଣ୍ଡି/ ବୌଦ୍ଧ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଭାଦ୍ରବ ମାସ ପଞ୍ଚମୀ ତିଥିରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଆଉ ଏହି ବଡଖା ତିହାର ପାଇଁ ଉତ୍ସବ ମୁଖର ରହିଛି ପଶ୍ଚିମ ଓଡ଼ିଶା । ଘର ଅଗଣା ଲିପାପୋଛାଠାରୁ ଆରମ୍ଭ କରି ନୂଆ ଧାନ ଓ ଲୁଗାପଟା କିଣାବିକା ଚାଲିଛି । ନୂଆଁଖାଇ ଉପଲକ୍ଷେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନଠାରୁ ଉତ୍ସବର ମାହୋଲ ସୃଷ୍ଟି ହୋଇଗଲାଣି । ଗାଁ ଗାଁରେ ନୂଆଁଖାଇ ପାଇଁ ନୂଆ ଧାନ, କୁରେହି ପତ୍ର ଓ ଶାଳ ପତ୍ର ସଂଗ୍ରହ ଆରମ୍ଭ ହୋଇ ସାରିଛି । ନୂଆ ଲୁଗାପଟା କିଣାବିକା ପାଇଁ ବଜାରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି ।

ଏହାଛଡା ଭେଟଘାଟ ଉତ୍ସବ ପାଇଁ ଗାଁ ଗାଁରେ ନାଚଗୀତର ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ବଣ ଜଙ୍ଗଲ ଘେରା କଳାହାଣ୍ଡି ଜିଲ୍ଲାର ଲୋକଙ୍କ ମୁଖ୍ୟ ବେଉସା ହେଉଛି କୃଷି । ତେଣୁ ଜିଲ୍ଲାବାସୀଙ୍କ ପାଇଁ ଏହି ପର୍ବ ଗୁରୁତ୍ବ ବହନ କରେ । ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ପ୍ରଥମ ଫସଲକୁ ଦେଖି ଆତ୍ମହରା ହୋଇଥାଏ । ଆଉ ଏହି ପ୍ରଥମ ଫସଲକୁ ଆରାଧ୍ୟା ଦେବାଦେବୀଙ୍କୁ ଅର୍ପଣ କରିବା ହେଉଛି ନୂଆଁଖାଇର ପରମ୍ପରା । କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ପାଳନ କରିବାକୁ ଚାଷୀମାନେ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି ।


ନୂଆଁଖାଇ ତିହାର ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ନିଜ ନିଜ ଘର ଅଗଣା ଲିପାପୋଛା ସହିତ ଗୋ ପୂଜନ ପାଇଁ ଗୁହାଳ ଘରକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରାଯାଉଛି । ଦୂର ଦୂରାନ୍ତରେ ଥିବା ନିକଟ ସମ୍ପର୍କୀୟମାନେ ଗାଁକୁ କେବଳ ନୂଆ ଖାଇବା ପାଇଁ ଛୁଟି ନେଇ ଫେରିଛନ୍ତି । ଏହାଛଡ଼ା ଗାଁ ମୁଣ୍ଡରେ ଥିବା ଗ୍ରାମ ଦେବତୀ ପିଢ଼ିଗୁଡ଼ିକୁ ସଫାସୁତୁରା କରାଯାଉଛି ।

ବୌଦ୍ଧ ଗଡ଼ଜାତର ଆରାଧ୍ୟା ଦେବୀ ମା' ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏନେଇ ମନ୍ଦିର ସେବାୟତ କହିଛନ୍ତି, "ଆସନ୍ତା ଭାଦ୍ରବ ପଞ୍ଚମୀ ବୁଧବାର ଦିନ ଦେବୀ ଭୈରବୀଙ୍କ ପୀଠରେ ସକାଳ ୮ଟା ୦୩ମିନିଟରୁ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଏହାପରେ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ନବାନ୍ନ ଲାଗି ସହିତ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ନବାନ୍ନ ଭକ୍ଷଣ କରିବେ । ଦେବୀ ଭୈରବୀଙ୍କ ପୀଠରେ ନବାନ୍ନ ପାଇଁ ସ୍ବତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯିବ ।"

ଏହା ବି ପଢନ୍ତୁ...ଆସୁଛି ନୂଆଁଖାଇ, ସୁବର୍ଣ୍ଣପୁରରେ କିଣାବିକା ସହ ଚାଲିଛି ପ୍ରସ୍ତୁତି

ଏହାସହ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ନୂଆଁଖାଇ ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥିବା ବୁଣାକାର, ବାନ୍ଧ ବ୍ୟବସାୟୀ ବେଶ ଉତ୍ସାହିତ ରହିଛନ୍ତି । ଜିଲ୍ଲାର ସଦର ମହକୁମାର ବୁଟୁପାଲି ଓ ମର୍ଜାକୁଦ ସମେତ ଜିଲ୍ଲାର ମଥୁରା,ବାଘପାଲି, କଳାଗ୍ରାମ ନାରାୟଣ ନଗର, ସାହାଜପାଲ, ଗବଯୋର, ମନମୁଣ୍ଡା, ଗୁଡଭେଲିପଦର ଭଳି ସ୍ଥାନରେ ପ୍ରସ୍ତୁତ କରାଯାଉଥିବା ଲୁଗାପଟା ଓ ବାନ୍ଧ ସାମଗ୍ରୀ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଥାଏ । ନୂଆଁଖାଇ ପୂର୍ବରୁ ନୂଆଧାନ,ପତ୍ର, ଲୁଗାପଟାର କିଣାବିକା ଚାଲିଥିବାବେଳେ ଭଲ ବିକ୍ରି ଆଶାରେ ରହିଛନ୍ତି ବ୍ୟବସାୟୀ।

ଇଟିଭି ଭାରତ, କଳାହାଣ୍ଡି/ ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.