ETV Bharat / state

ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

author img

By ETV Bharat Odisha Team

Published : Oct 31, 2023, 11:42 AM IST

Updated : Oct 31, 2023, 12:31 PM IST

ଆଢେଣୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା
ଆଢେଣୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ବୌଦ୍ଧର ଆଢ଼େଣୀଗଡ଼ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ । ହସ୍ପିଟାଲରେ ନା ଅଛନ୍ତି ବିଶେଷଜ୍ଞ ଡାକ୍ତର ନା ଅଛି ଆମ୍ବୁଲାନ୍ସ । ଅଧିକ ପଢନ୍ତୁ

ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ବୌଦ୍ଧ: ବୌଦ୍ଧ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଆଢ଼େଣୀଗଡରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ । ପାଖାପାଖି 5ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ହସ୍ପିଟାଲ୍‌ରେ ନା ଅଛନ୍ତି ବିଶେଷଜ୍ଞ ଡାକ୍ତର ନା ଅଛି ଆମ୍ବୁଲାନ୍ସ । ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।

ବୌଦ୍ଧ ଜିଲ୍ଲା ଉପାନ୍ତ ଅଞ୍ଚଳ ଆଢେଣୀଗଡ ପଞ୍ଚାୟତରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ 5ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ନିର୍ଭରଶୀଳ ଥିବା ବେଳେ ଏଠାରେ ବିଶେଷଜ୍ଞ ଡାକ୍ତର ଓ ଆମ୍ବୁଲାନ୍ସର ଅଭାବ ରହିଛି । ଫଳରେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଏହାମଧ୍ୟ ପଢନ୍ତୁ..ଘୋଡାଡିଆଁ ଗାଁରେ ଅପହଞ୍ଚ ବିକାଶ, କେବେ ଦୂର ହେବ ଆଦିବାସୀଙ୍କ ଦୁଃଖ?

ଏହି ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଢେଣୀଗଡ଼ ସମେତ କୁଶଙ୍ଗ, ମହାଲିକପଡ଼ା, ତଳଗାଁ ଭଳି ପଞ୍ଚାୟତର ଅଧିବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି । ବିଶେଷ ଭାବରେ ଏସବୁ ଅଞ୍ଚଳରେ କିଡନୀ ଓ ମ୍ୟାଲେରିଆ ମହାମାରୀ ଭଳି ବ୍ୟାପୁଥିବାରୁ ଆଢେଣୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଯଥେଷ୍ଟ ମହତ୍ୱ ରହିଆସିଛି । ତେବେ ବର୍ତ୍ତମାନ ଏହି ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚରମ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ମଧ୍ୟ ଅଭାବ ଦେଖାଦେଇଛି । ଏହାଛଡ଼ା ଏଠାରେ ଡାକ୍ତରଖାନାର ଆବଶ୍ୟକ ଗୃହ ଓ ଷ୍ଟାଫ୍ କ୍ବାଟର ନଥିବାରୁ ଏନେଇ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନବକଳେବର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ଆଜବେଷ୍ଟ ଏଭଳି ଭାବରେ ତିଆରି ହୋଇଛି ଯେ ତାକୁ ବର୍ତ୍ତମାନ ଜରିପାଲ ଟାଣି ଢାଙ୍କି ରଖିବାକୁ ପଡୁଛି ।

ଏହାମଧ୍ୟ ପଢନ୍ତୁ..ଆଢେଣୀଗଡ ପଞ୍ଚାୟତରେ ବାଟ ହୁଡିଛି ସରକାରୀ ଯୋଜନା

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକମାତ୍ର ଆମ୍ବୁଲାନ୍ସଟି ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ି ରହିଥିବାରୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ଗତ କିଛି ଦିନ ପୂର୍ବରୁ ଏଠାରେ ଆମ୍ବୁଲାନ୍ସ ଅଭାବରୁ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଏହାଛଡା ଉକ୍ତ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ଥିବାରୁ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ବର୍ତ୍ତମାନ ଆଢେଣୀଗଡ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।


ଇଟିଭି ଭାରତ, ବୌଦ୍ଧ

Last Updated :Oct 31, 2023, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.