ETV Bharat / state

ଟିକରପଡା ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା; ନାହିଁ ରାସ୍ତାଘାଟ, ମିଳୁନି ସ୍ବଚ୍ଛ ପାଣି

author img

By ETV Bharat Odisha Team

Published : Nov 24, 2023, 9:32 AM IST

ଟିକରପଡା ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା
ଟିକରପଡା ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

ଉପାନ୍ତ ଅଞ୍ଚଳରେ ମିଳୁନି ମୌଳିକ ସୁବିଧା । ରାସ୍ତାଘାଟ ଅଭାବରୁ ରୋଗୀଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ମୁନ୍ଦାଏ ସ୍ବଚ୍ଛ ପାନୀୟ ଜଳ ପାଉନାହାନ୍ତି ଲୋକେ । ବୌଦ୍ଧ ଜିଲ୍ଲାର ଟିକିରପଡା ପଞ୍ଚାୟତରୁ ସାମ୍ନାକୁ ଆସିଛି ବିକାଶର ଏପରି ନଗ୍ନ ଚିତ୍ର । ଅଧିକ ପଢନ୍ତୁ

ଟିକରପଡା ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ବିକାଶ ଗାଡି । ଗମନାଗମନ ସୁବିଧାର ଅଭାବ ହେତୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗରୀବ ଜନସାଧାରଣ । କେଉଁଠି ମୁନ୍ଦାଏ ସ୍ବଚ୍ଛ ପାଣି ମିଳୁନି ତ ଆଉ କେଉଁଠି ରୋଗୀଙ୍କ ପାଖରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । ସେଭଳି କିଛି ସମସ୍ୟା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ସାଲୁଙ୍କୀ ନଦୀ ତଟରେ ଥିବା ବଣ ଜଙ୍ଗଲ ଘେରା ଉପାନ୍ତ ପଞ୍ଚାୟତ ଟିକରପଡ଼ାରେ । ଏଠାରେ ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇରହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଟିକରପଡା ପଞ୍ଚାୟତର ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କ ବିକାଶମୂଳକ ଯୋଜନା ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଅପହଞ୍ଚ ହୋଇରହିଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବୁରଗୋରା ପର୍ଯ୍ୟନ୍ତ ରାସ୍ତା ସାମାନ୍ୟ ଥିବାବେଳେ ସେଠାରୁ ବରପଦର ଓ ଅନ୍ୟାନ୍ୟ ଗ୍ରାମକୁ ଆଉ ରାସ୍ତା ନାହିଁ । ଉକ୍ତ ଆଦିବାସୀ ଅଞ୍ଚଳକୁ ଓକରାସାହି ଝରଣା ବିଚ୍ଛିନ୍ନ କରି ରଖୁଛି । ବର୍ତ୍ତମାନ ସେଠାରେ ଆରଡ଼ି ବିଭାଗ ପକ୍ଷରୁ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ଗତ ପ୍ରାୟ ୧୧ ମାସ ତଳେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏବେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି ।

ଏହା ମଧ୍ୟ ପଢନ୍ତୁ: ଗଛ ତଳେ ଅଙ୍ଗନବାଡି କେନ୍ଦ୍ର; ରାସ୍ତା ଅଭାବରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ସେହିପରି ଟିକରପଡା ପଞ୍ଚାୟତରେ ଦମଣ୍ଡା, ଲକଡପାଜୁ, ସାଲଦରଙ୍ଗା, ଗୁରୁଜୀମୁଣ୍ଡା ଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ଗମନାଗମନର ଅବ୍ୟବସ୍ଥା ହେତୁ ସେସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇରହିଛି । ସରକାରଙ୍କ ବିକାଶ ଗାଡ଼ି ପାହାଡିଆ ଝରଣା ସହ ଜଙ୍ଗଲର ଘାଟି ରାସ୍ତା ଦେଇ ଆଗକୁ ବଢିପାରୁ ନାହିଁ । ଫଳରେ ଏହି ଅଞ୍ଚଳଗୁଡିକରେ ଜନସଚେତନତା ଅଭାବ ଯୋଗୁଁ ବେଆଇନ ଗଞ୍ଜେଇ ଚାଷ, ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଘଟଣା ସାଧାରଣ କଥା ହୋଇଛି ।


ସାଲୁଙ୍କୀ ନଦୀ ତଟରେ ଥିବା ଟିକରପଡା ପଞ୍ଚାୟତର ଅଧିବାସୀ ସ୍ବଚ୍ଛ ପାନୀୟଜଳ ମୁନ୍ଦାଏ ପାଇପାରୁ ନାହାନ୍ତି । ଏଠାରେ ଜଳସେଚନର କୌଣସି ସୁବିଧା ନାହିଁ । ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ସାମାଜିକ ସୁରକ୍ଷା, ପିଡିଏସ ଚାଉଳ, ସରକାରୀ ପକ୍କା ଘର ସାତ ସପନ ପାଲଟିଛି । ଗୁରୁଜୀମୁଣ୍ଡା ଠାରେ ଗମ୍ଭୀରାଦରହ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ରାଜ୍ୟ ସରକାର ଏହାର ତଳ ମୁଣ୍ଡରେ ସତୀଘାଟ ଠାରେ ସେଚ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ତେବେ ଯଥାଶୀଘ୍ର ଟିକରପଡା ପଞ୍ଚାୟତର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.