ETV Bharat / state

ବୌଦ୍ଧରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

author img

By ETV Bharat Odisha Team

Published : Nov 18, 2023, 7:29 AM IST

ବୌଦ୍ଧରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ବୌଦ୍ଧରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

District Paddy Procurement Committee in Boudh: ଚଳିତ ବର୍ଷର ବୌଦ୍ଧରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ବିଶେଷ ଭାବରେ ପଞ୍ଜିକୃତ ଚାଷୀଙ୍କ ଧାନ ସୁରୁଖୁରୁରେ କ୍ରୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଅଧିକ ପଢନ୍ତୁ ।

ବୌଦ୍ଧରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବୌଦ୍ଧ: ବର୍ତ୍ତମାନ ଜମିରେ ଖେଳୁଛି ସୁନାର ଫସଲ । ଆଉ ଅଳ୍ପ ଦିନ ମଧ୍ୟରେ ଚାଷୀ ତା'ର ବର୍ଷକର ଅମଳ ଧାନକୁ ସଂଗ୍ରହ କରିବା ସହିତ ମଣ୍ଡି ମାଧ୍ୟମରେ ବିକ୍ରିବଟା କରିପାରିବ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଚଳିତ ବର୍ଷ ଭଲ ଧାନ ଚାଷ ହୋଇଥିବା ବେଳେ ଚଳିତ ଖରିଫ୍ ଧାନ ସଂଗ୍ରହ ପାଇଁ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ ଅଧିକାରୀ, ଆରଏମସି, ଏଆରସିଏସ, ସମବାୟ ବ୍ୟାଙ୍କ, ଚାଷୀ, କୃଷି ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲାର ଦୁଇ ବିଧାୟକଙ୍କ ପ୍ରତିନିଧି ଓ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ରହି ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ବୈଠକରେ ବିଶେଷ ଭାବରେ ପଞ୍ଜିକୃତ ଚାଷୀଙ୍କ ଧାନ ସୁରୁଖୁରୁରେ କ୍ରୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ତେବେ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ କମିଟି ସଦସ୍ୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାର କେତେକ ସ୍ଥାନରେ ଚକଡା ପୋକ ଯୋଗୁଁ କିଛିଟା କ୍ଷତି ହୋଇଥିବା ବେଳେ ଚଳିତ ବର୍ଷ ବମ୍ପର ଧାନ ସଂଗ୍ରହ ହେବାର ସମ୍ଭାବନା ରହିଛି । ପୂର୍ବ ବର୍ଷମାନଙ୍କରେ ଧାନ ସଂଗ୍ରହ କ୍ଷେତ୍ରରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା । ମଣ୍ଡି ଆଗରେ ମାସାଧିକ କାଳ ଗରୀବ ଚାଷୀ ନିଜ ଧାନକୁ ଜରିପାଲ ଟାଣି ଦିନରାତି ଜଗିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ୪୨ ଗୋଟି ପ୍ୟାକ୍ସ ରହିବା ସହିତ ଚଳିତ ବର୍ଷ ଷାଠିଏ ଗୋଟି ଧାନ କ୍ରୟ କେନ୍ଦ୍ରରେ ଚାଷୀଙ୍କ ଧାନ କିଣାଯିବ ବୋଲି ସୂଚନା ମିଳିଛି । ତନ୍ମଧ୍ୟରୁ କସୁରବନ୍ଧ ଓ ଉମା ଭଳି ଦୁଇଟି ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧାନ କ୍ରୟରେ ଅଂଶ ଗ୍ରହଣ କରୁଛନ୍ତି । ଜିଲ୍ଲାର ମଲ୍ଲିକପଡା, ଘିକୁଣ୍ଡି, ଖଟଖଟିଆ, ମହାଲିକପଡା, ଖଲିଆପାଲି ଭଳି କେତେକ ସ୍ଥାନରେ ଅତିରିକ୍ତ ଧାନ ମଣ୍ଡି ଖୋଲାଯିବ ଏବଂ ଏହି ଧାନ ସଂଗ୍ରହ ଆଗାମୀ ଡ଼ିସେମ୍ବର ବାର ତାରିଖରେ କଣ୍ଟାମାଳ ବ୍ଲକରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହିତ କଟନୀ ଛଟନୀ, ଦଲାଲ ମୁକ୍ତ ମଣ୍ଡି ଓ ବିଶେଷ ଭାବରେ ଧାନ ବସ୍ତା ଯୋଗାଣକୁ ନେଇ ବୈଠକରେ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଏହି ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ସେଥିପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.