ETV Bharat / state

ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ

author img

By ETV Bharat Odisha Team

Published : Nov 15, 2023, 6:33 PM IST

କୁମୁନି ଚାଷୀ ଆତ୍ମହତ୍ୟା ଘଟଣା । ଧାନ ଫସଲରେ ଚକଡା ପୋକ ଲାଗିଯିବାରୁ ହତାଶ ହୋଇ ଆତ୍ମହତ୍ୟା କଲେ ଚାଷୀ । ଏଭଳି ଗଟଣାକୁ ନେଇ ସିଧା ସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଅଧିକ ପଢ଼ନ୍ତୁ

ହତାଶ ହୋଇ ଜୀବନ ହାରିଲେ ଚାଷୀ
ହତାଶ ହୋଇ ଜୀବନ ହାରିଲେ ଚାଷୀ

ହତାଶ ହୋଇ ଜୀବନ ହାରିଲେ ଚାଷୀ

ବଲାଙ୍ଗୀର: କୁମୁନି ଚାଷୀ ଆତ୍ମହତ୍ୟା ଘଟଣା । ମାଡ଼ି ବସିଲା ଚକଡ଼ା ଚିନ୍ତା । ଜୀବନ ହାରିଲେ ଚାଷୀ । ଧାନ ଫସଲରେ ଚକଡା ପୋକ ଲାଗିଯିବାରୁ ହତାଶ ହୋଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ପୁଇଁତଲା ଥାନା ଅଞ୍ଚଳରେ । ସେପଟେ ଏଭଳି ଦୁଃଖହ ଘଟଣା ପାଇଁ ସିଧା ସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବୁବେଳ ଗ୍ରାମ ରମେଶ ଭୋଇ 10 ଏକର ଜମିରେ ଧାନ ଚାଷ କରିଥିଲେ । ଗୋଟିଏ ପଟେ କ୍ଷେତରେ ପାଣି ଅଭାବ ଏବଂ ଅନ୍ୟପଟେ ଚକଡ଼ା ପୋକ ଦାଉ ସାଧିଥିଲା । ଫଳରେ ତାଙ୍କ ପାଞ୍ଚ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ରମେଶ ଭୋଇ ଅନେକ ଥର ଚାଷରେ ରୋଗ ପୋକକୁ ଠିକ କରିବା ପାଇଁ ଔଷଧ ସିଞ୍ଚନ କରିଥିଲେ । ହେଲେ ଏଥିରେ କିଛି ଲାଭ ମିଳି ନଥିଲା । ସେପଟେ ଋଣ ଭାର ଯୋଗୁଁ ଅନ୍ୟ ଉପାୟ ନପାଇ ଗତକାଲି ନିଜ କ୍ଷେତରେ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଡ଼ାକ୍ତଖାନାକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକେ ଚାଷ ନଷ୍ଟ ଓ ଋଣ ଭାର ପାଇଁ ରମେଶ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ତେବେ ବଲାଙ୍ଗୀର କୃଷି ବିଭାଗ ଓ ପ୍ରଶାସନ ତଥା ପୁଇଁତଳା ପୋଲିସ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଚାଷୀଙ୍କ ଭାଇ ଅଶୋକ ଭୋଇ ଓ ଅଭିଷେକ ଭୋଇ କହିଛନ୍ତି ଯେ, ତାଙ୍କ ଭାଇ 10 ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ଚକଡ଼ା ପୋକ ଯୋଗୁଁ ତାଙ୍କର ପାଞ୍ଚ ଏକର ଜମି ଧାନ ଫସଲ ନଷ୍ଟ ହୋଇଥିଲା । ରମେଶ ସମବାୟ ବ୍ୟାଙ୍କ୍‌ ଓ ଅନ୍ୟ ଏକ ଘରୋଇ ବ୍ୟାଙ୍କ୍‌ ସହିତ ହାତ ଉଧାରୀ 5 ଲକ୍ଷ ଟଙ୍କା ଋଣ କରିଥିଲେ । ଧାନ ଫସଲ ନଷ୍ଟ ହେବା ଯୋଗୁଁ କିପରି ଟଙ୍କା ଶୁଝିବେ ତାକୁ ନେଇ ଚିନ୍ତାରେ ଥିଲେ । ଏଭଳି ସ୍ଥିତିରେ ରମେଶ ଆତ୍ମହତ୍ୟା କରିଥିବା ସେମାନେ ଅଭିଯୋଗ ଆଣିଛନ୍ତି । ସେହିପରି ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ସେମାନେ କହିଛନ୍ତି । ସେପଟେ କୃଷି ବିଭାଗର ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ତିନି ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏହାସହ 14 ଟି ବ୍ଲକରେ ବିଏଚପି ବା ଚକଡ଼ା ପୋକ ଲାଗିଛି । ତିନି ଶହ ହେକ୍ଟର ଜମିରେ ଏହି ପୋକ ଲାଗି ଥିବା ବେଳେ ଏହା ସେତେ କ୍ଷତି କରି ନଥିବାର ବିଭାଗ ସୂଚନା ଦେଇଛି । ସେହିପରି ଥଣ୍ଡା ପଡିଲେ ଏହି ପୋକ ଆପେ ନଷ୍ଟ ହୋଇଯିବେ ବୋଲି ବିଭାଗ କହିଛି । ଯେଉଁଠୁ ପୋକ ଲାଗିଥିବାର ଅଭିଯୋଗ ଆସୁଛି ସେଠାରେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଭାଗ କହିଛି ।

ଏହା ମଧ୍ୟ ପଢ଼ନ୍ତୁ.......Farmers Suicide: ପ୍ରବଳ ବର୍ଷା ଉଜାଡିଦେଲା ଫସଲ, ୪ ଋଣ ଗ୍ରସ୍ତ ଚାଷୀ ହାରିଲେ ଜୀବନ

ସେପଟେ ଚାଷୀ ଆତ୍ମହତ୍ୟାକୁ ନେଇ ସିଧା ସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଆଜି ଘଟଣା ବିଷୟରେ ଜାଣିବା ପରେ ସେ ନିଜେ ମୃତ ଚାଷୀଙ୍କ ଗାଁକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି କ୍ଷେତ ବୁଲି ଦେଖିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି କହିଛନ୍ତି ଯେ, ଚାଷୀ ରମେଶ ଭୋଇର ମୃତ୍ୟୁ ପାଇଁ ରାଜ୍ୟ ସରକାର ଦାୟୀ । ତେବେ ରାଜ୍ୟ ସରକାର ନିର୍ବାଚନୀ ଇସ୍ତାହାରରେ ଜଳ ସେଚନ 33 ପ୍ରତିଶତ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ବଲାଙ୍ଗୀର ଜିଲ୍ଲାରେ ମାତ୍ର 3 ପ୍ରତିଶତ ଜଳସେଚନ ସୁବିଧା ରହିଛି । ରାଜ୍ୟ ସରକାର ସବୁ ବେଳେ ଚାଷୀଙ୍କୁ ଅବହେଳା କରୁଥିବାର ସେ ଅଭିଯୋଗ କରିଛନ୍ତି । ସେହିପରି ମୃତକ ଚାଷୀଙ୍କ ପରିବାରକୁ ଶୀଘ୍ର 50 ଲକ୍ଷ ଟଙ୍କା ସାହାଯ୍ୟ ଯୋଗାଇ ଦେବା ସହ ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି ମହାଲିଙ୍ଗ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.