ETV Bharat / state

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ବିରୋଧ; ରାଜ୍ୟପାଳଙ୍କୁ ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଦାବିପତ୍ର

author img

By ETV Bharat Odisha Team

Published : Aug 29, 2023, 3:12 PM IST

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ବିରୋଧ
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ବିରୋଧ

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ବିରୋଧ କରି ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲା ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ । ଅଧିକ ପଢନ୍ତୁ

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ବିରୋଧ

ବୌଦ୍ଧ: 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଏହି ଯୋଜନାର ଅର୍ଥରାଶି ପଞ୍ଚାୟତ ସଂଗଠନ ମାଧ୍ୟମରେ ବିନିଯୋଗ କରାନଯାଇ ପ୍ରଶାସନିକ ସ୍ତରରେ କରାଯିବା ନିଷ୍ପତ୍ତିକୁ ବୌଦ୍ଧ ଜିଲ୍ଲାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତୀବ୍ର ବିରୋଧ କରିଛି । ଏହି ପରିପ୍ରେକ୍ଷୀରେ ଆଜି ସଂଗଠନ ପକ୍ଷରୁ ଜିଲ୍ଲା କଂଗ୍ରେସର ଅନେକ ନେତା ଓ କର୍ମୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସମସ୍ତ ପଞ୍ଚାୟତକୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଆଯିବ । ତେବେ ଏହି ଅନୁଦାନ ରାଶି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଜରିଆରେ ବିନିଯୋଗ କରାଯିବାକୁ ବୌଦ୍ଧ ଜିଲ୍ଲା କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ବିରୋଧ କରିଛି । ସଂଗଠନର କର୍ମକର୍ତ୍ତାମାନେ ଉକ୍ତ ଅର୍ଥରାଶି ପଞ୍ଚାୟତ ସଂଗଠନ ମାଧ୍ୟମରେ ଖର୍ଚ୍ଚ କରାଯିବାକୁ ଦାବି କରିଛନ୍ତି । ଏନେଇ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସର ଅନେକ ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ପଞ୍ଚାୟତ ସଂଗଠନ ମାଧ୍ୟମରେ ଅର୍ଥରାଶି ବିନିଯୋଗ କରାଯିବା ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର


ସମ୍ବିଧାନର ଧାରା ୭୩ର ୨୪୩ ଅନୁଚ୍ଛେଦ ଅନୁସାରେ ଏଭଳି ଅନୁଦାନ ରାଶିକୁ ପଞ୍ଚାୟତ ସଂଗଠନ ମାଧ୍ୟମରେ ଖର୍ଚ୍ଚ କରାଯିବା ପାଇଁ ପ୍ରାବଧାନ ରହିଛି । ହେଲେ ଏହାକୁ ଅଣଦେଖା କରି ବର୍ତ୍ତମାନ ରାଜ୍ୟ ସରକାର 'ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା' ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଅନୁଦାନ ସରକାରୀ କର୍ମଚାରୀଙ୍କ ଜରିଆରେ କରିବାକୁ ମସୁଧା କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ନିଷ୍ପତ୍ତିର ପୁନର୍ବିଚାର କରାନଗଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ବଡ ଧରଣର ଆନ୍ଦୋଳନ କରାଯାଇ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ : ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁରରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ବିଜେପିର 60 କର୍ମୀ

ଏହାମଧ୍ୟ ପଢନ୍ତୁ : ସମସ୍ୟା ଘେରରେ ସମିତି ସଭ୍ୟ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.