ETV Bharat / state

ବୌଦ୍ଧରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଆନ୍ଦୋଳନ ଚେତାବନୀ ଦେଲା ବିଜେପି

author img

By ETV Bharat Odisha Team

Published : Jan 19, 2024, 10:58 AM IST

ଧାନକ୍ରୟ ଓ ପିଡିଏସ ଚାଉଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ
ଧାନକ୍ରୟ ଓ ପିଡିଏସ ଚାଉଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

Irregularities in paddy procurement: ବୌଦ୍ଧ ଜିଲ୍ଲା ପିଡିଏସ ଚାଉଳ ଯୋଗାଣ ଓ ମଣ୍ଡିରେ ଧାନ କ୍ରୟରେ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜିଲ୍ଲାର ଧାନକ୍ରୟ ଓ ପିଡିଏସ ଚାଉଳ ଯୋଗାଣ ରେ ବ୍ୟାପକ ସମସ୍ୟା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନକ୍ରୟ କେନ୍ଦ୍ରରେ ଚରମ ଅବ୍ୟବସ୍ଥା ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସୁଛି । ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଧାନକ୍ରୟରେ ବ୍ୟାପକ ସମସ୍ୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଚରମ ଅବ୍ୟବସ୍ଥାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଧାନ ମଣ୍ଡିରେ ପିଣ୍ଡିଠାରୁ ନେଇ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥିବା ଅଭିଯୋଗ କରାଯାଇଛି ।

ଗୁରୁବାର ଦିନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଧାନ ମଣ୍ଡିଗୁଡିକୁ ଗସ୍ତ କରିଥିଲେ । ଏହି ସମୟରେ କୃଷକ ମୋର୍ଚ୍ଚା ସହ ଜିଲ୍ଲା ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ମଣ୍ଡିରେ ଧାନ କଟନୀ ଛଟନୀ ଠାରୁ ନେଇ ବ୍ୟାପକ ଅବ୍ୟବସ୍ଥା କରାଯାଉଥିବା ଅଭିଯୋଗ କରିଛି ବିଜେପି ।

ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ମଣ୍ଡିଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ଯେଉଁ ଗାଇଡଲାଇନ ଜାରି କରାଯାଇଛି ତାହାକୁ ଓଡ଼ିଶା ସରକାର ପାଳନ କରୁନାହାନ୍ତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ଦେଉଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି ବୋଲି କହିଛନ୍ତି । ପିଡିଏସ ଚାଉଳରେ ବି ହରିଲୁଟ ଚାଲିଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ।

ଏହାମଧ୍ୟ ପଢନ୍ତୁ... ଭଦ୍ରକରେ ଧାନ ମଣ୍ଡି ସମସ୍ୟା: କଟନୀକୁ ନେଇ ଚାଷୀ ଅସନ୍ତୋଷ, ଘାରିଲାଣି ଅଭାବୀ ବିକ୍ରି ଭୟ

କୃଷି ପ୍ରଧାନ ଜିଲ୍ଲାର ଚାଷୀମାନେ ଉପଯୁକ୍ତ ଭାବରେ ନିଜ ବର୍ଷକର ପରିଶ୍ରମର ଫଳକୁ ବିକ୍ରି କରିପାରୁନି । ଜିଲ୍ଲାର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ବ୍ୟାପକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ରରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ହେଉଥିବା ବେଳେ ସମସ୍ତ ମଣ୍ଡିରେ ତିନିରୁ ଆଠ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ ଚାଲିଛି । ଟୋକନ ପାଇ ମଧ୍ୟ ଚାଷୀ ନିଜ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ହୋଇଛି ।

ଦିନରାତି ଧାନକୁ ଜଗି ରହିଥିବା ଚାଷୀ ବାଧ୍ୟ ହୋଇ ଦଲାଲମାନଙ୍କୁ ଅଳ୍ପ ଦରରେ ଧାନ ବିକ୍ରି କରୁଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବୌଦ୍ଧ ଜିଲ୍ଲାର ଅଧିକାଂଶ ଧାନ ମଣ୍ଡିରେ ସରକାରଙ୍କ ନିୟମ ପ୍ରକାରେ ଧାନକ୍ରୟ କିମ୍ବା ଚାଷୀଙ୍କ ପାଇଁ ସୁବିଧା ଆଦୌ କରାଯାଇ ନାହିଁ । ଅନେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ଧକାର ମଧ୍ୟରେ ମୋବାଇଲ ଲାଇଟରେ ଧାନକ୍ରୟ ହେଉଛି । ପାନୀୟଜଳ ଠାରୁ ନେଇ ଅଖା, ସୁତୁଲି, ଲାଇଟ୍, ପିଣ୍ଡି ଭଳି ବିଭିନ୍ନ ସମସ୍ୟାରେ ଚାଷୀ ଛନ୍ଦି ହେଉଛନ୍ତି ।

ସେପଟେ ଜିଲ୍ଲାର ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ପିଡିଏସ ଚାଉଳ କ୍ବିଣ୍ଟାଲ ପ୍ରତି 10 କେଜି ଓଜନ କମ ରହୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଗୁରୁବାର ଦିନ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଜିଲ୍ଲା ବିଜେପିର ବରିଷ୍ଠ ନେତାମାନଙ୍କ ସହିତ ମୁର୍ଷଣ୍ଢି, ସରସରା ଓ ବାମଣ୍ଡା ପଞ୍ଚାୟତ ପରିଦର୍ଶନ କରିବା ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଏହାଛଡା ଏହି ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଧାନ ମଣ୍ଡିରେ ପହଞ୍ଚି ସେଠାରେ ବ୍ୟାପକ ସମସ୍ୟା ରହିଥିବା ଜାଣିବାକୁ ପାଇଥିଲେ । ଏନେଇ ଜିଲ୍ଲା ବିଜେପି ଓ କୃଷକ ମୋର୍ଚ୍ଚା ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏସବୁ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.