ETV Bharat / state

ହାତୀ ମୃତ୍ୟୁ ପାଇଁ ବନ ବିଭାଗକୁ ଦାୟୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By ETV Bharat Odisha Team

Published : Jan 16, 2024, 7:23 AM IST

High level probe demand on elephant death: ମାତ୍ରାଧିକ ଟ୍ରାଙ୍କୁଲାଇଜର ଡୋଜର ପ୍ରଭାବରେ ବୌଦ୍ଧରୁ କପିଳାଶ ଯାଇଥିବା ହାତୀର ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ବୌଦ୍ଧ: ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦ । ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ପ୍ରାଣୀ କଲ୍ୟାଣ ସମିତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜାତୀୟ ଐତିହ୍ୟ ପ୍ରାଣୀ ହାତୀ ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ହୋଇ ପଡ଼ିଥିବାବେଳେ ଗତ ସପ୍ତାହରେ ଟ୍ରାଙ୍କୁଲାଇଜର ଦ୍ବାରା ଏକ ପୋଷା ହାତୀକୁ ସ୍ଥାନାନ୍ତରିତ ପରେ ହାତୀର ମୃତ୍ୟୁକୁ ନେଇ ବନ ବିଭାଗର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ହାତୀ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।

ବାରମ୍ବାର ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଅବାଧ ଭାବରେ ବନ୍ୟପ୍ରାଣୀଙ୍କ ଶିକାର ହେଉଥିବାବେଳେ ମାଫିଆମାନଙ୍କ କବ୍‌ଜାରେ ବିଭିନ୍ନ ଜଙ୍ଗଲ ରହିଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଜାତୀୟ ଐତିହ୍ୟ ପ୍ରାଣୀ ହାତୀମାନଙ୍କ କବରଖାନା ହେବାକୁ ବସିଛି ଜିଲ୍ଲାର ବିଭିନ୍ନ ଜଙ୍ଗଲ । ଆଉ ବନ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି । ବର୍ତ୍ତମାନ ବନ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ବର୍ତ୍ତମାନ ମାଫିଆ ଓ ଲୁଟେରାଙ୍କ କବ୍‌ଜାରେ ରହିଛି । ବିଭିନ୍ନ ଜଙ୍ଗଲକୁ ମାଫିଆମାନେ ଗଛକାଟି ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ଅଧିକାଂଶ ଜଙ୍ଗଲ ଜମିରେ କପାଚାଷ ଓ ବେଆଇନ ଗଞ୍ଜେଇ ଚାଷ ହେଉଥିବା ସୂଚନା ମିଳିଛି ।

ତେବେ ଜଙ୍ଗଲ ସମ୍ପଦ ନଷ୍ଟ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲର ବନ୍ୟଜନ୍ତୁ ଜନବସତି ମୁହାଁ ହୋଇପଡୁଛନ୍ତି । ଏହାର ସୁଯୋଗରେ ଶିକାରୀ ଓ ଜଙ୍ଗଲ ଦସ୍ୟୁମାନେ ବ୍ୟାପକ ମାତ୍ରାରେ ବନ୍ୟଜନ୍ତୁଙ୍କ ଶିକାର କରୁଛନ୍ତି । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ୫ ଗୋଟି ବନାଞ୍ଚଳର ଅଧିକାଂଶ ଜଙ୍ଗଲ ଅଞ୍ଚଳରେ ବନ ବିଭାଗର କର୍ମଚାରୀମାନେ ରହୁନଥିବାରୁ ଉଭୟ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ବର୍ଷେ ମଧ୍ୟରେ ବଘିଆପଡାଠାରେ ୨ଟି ଓ କଣ୍ଟାମାଳ ବନାଞ୍ଚଳର ବରଗାଁ ପଞ୍ଚାୟତରେ ୨ଟି ହାତୀଙ୍କ ଦୁଃଖଦ ମୃତ୍ୟୁ ପରିବେଶ ପ୍ରେମୀଙ୍କୁ ଗଭୀର ଦୁଃଖ ଦେଇଛି ।

ଏହା ମଧ୍ୟ ପଢନ୍ତୁ...ବୌଦ୍ଧରୁ ଆସିଥିବା ଦନ୍ତାର ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

କିଛି ମାସ ତଳେ କଣ୍ଟାମାଳ ବନାଞ୍ଚଳର ବରଗାଁ ପଞ୍ଚାୟତ ଅନ୍ତର୍ଗତ ଘୁଚାଙ୍ଗି ଗ୍ରାମ ନିକଟରେ ଏକ ହାତୀ ବିଦ୍ୟୁତ ତାରରେ ଲାଗି ଆଖି ବୁଜିଥିଲା । ଏନେଇ ଉଭୟ ବିଦ୍ୟୁତ ବିଭାଗ ଓ ବନ ବିଭାଗ ପରସ୍ପର ଉପରେ ଦୋଷାରୋପ କରିଥିଲେ । ହେଲେ ହାତୀର ମୃତ୍ୟୁର ତଦନ୍ତ ଠିକରେ ହୋଇନଥିବା ଅଭିଯୋଗ ହୋଇଛି । ସେହିପରି ଗତ ପ୍ରାୟ ୩ ମାସ ତଳେ ଗୋଟିଏ ପୋଷା ହାତୀ ନିଜ ମାହୁନ୍ତକୁ ଖୋଜି ଖୋଜି ଜିଲ୍ଲାର ବିଭିନ୍ନ ଗାଁ ଜଙ୍ଗଲରେ ଘୁରି ବୁଲୁଥିଲା । ଉକ୍ତ ପୋଷା ଦନ୍ତାହାତୀର ସୁରକ୍ଷା ଯୋଜନା ବନ ବିଭାଗ କରିନପାରି ଶେଷରେ ଏକ ପ୍ରକାର ମୃତ୍ୟୁ ଆଡ଼କୁ ଠେଲିଦେଲା । ଟ୍ରାଙ୍କୁଲାଇଜର ଦେଇ ଉକ୍ତ ଦନ୍ତାହାତୀକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ହାଇଓ୍ବା ଗାଡ଼ିରେ କପିଳାଶକୁ ବନ ବିଭାଗ ପଠାଇ ଦେଇ ବାହାବା ନେବାକୁ ଚେଷ୍ଟା କରିଥିଲା ।

ତେବେ ମାତ୍ରାଧିକ ଟ୍ରାଙ୍କୁଲାଇଜର ଡୋଜର ପ୍ରଭାବ କିମ୍ବା ବନ ବିଭାଗର ଅବହେଳା ଯୋଗୁଁ ହାତୀଟି ଅଳ୍ପ କିଛି ଘଣ୍ଟା ପରେ ଆଖି ବୁଜିଥିଲା । ବର୍ତ୍ତମାନ ଏଥିପାଇଁ ବିଭାଗର କାର୍ଯ୍ୟଧାରାକୁ ଦାୟୀ କରିଛନ୍ତି ବରଗାଁ ପଞ୍ଚାୟତର ସରପଞ୍ଚ ଓ ପରିବେଶ ପ୍ରେମୀ । ହାତୀ ମୃତ୍ୟୁ ଘଟଣାରେ ବରଗାଁ ସରପଞ୍ଚ ଓ ବୌଦ୍ଧ ପ୍ରାଣୀ କଲ୍ୟାଣ ମଞ୍ଚ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.