ETV Bharat / state

ଥଇଥାନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ, ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି

author img

By

Published : May 10, 2023, 3:16 PM IST

ଥଇଥାନ ପୂର୍ବରୁ ଭୂମିହୀନଙ୍କୁ ଉଚ୍ଛେଦ ନୋଟିସ । ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଭୂମିହୀନ । ଅଧିକ ପଢନ୍ତୁ

landless people meet bhadrak collector
landless people meet bhadrak collector

ଥଇଥାନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ

ଭଦ୍ରକ: ଥଇଥାନ ନକରି ଉଚ୍ଛେଦ କରିବା ଅଭିଯୋଗ । ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ ବସ୍ତି ବାସିନ୍ଦା । ଉଚ୍ଛେଦ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ମୁତାବକ ଉପଯୁକ୍ତ ସ୍ଥାନ ନିରୂପଣ କରି ବାସ ଗୃହ ଯୋଗାଇ ଦେବା ନିୟମ ରହିଛି । କିନ୍ତୁ ବାସଗୃହ ନିର୍ମାଣ କରାଇବା ପର୍ଯ୍ୟନ୍ତ ଆମେ କେଉଁଠି ରହିବୁ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।

ସେମାନେ ଅଭିଯୋଗ କରି କହିଛନ୍ତି,"ଆମେ ଖଟିଖିଆ ଦିନ ମଜୁରିଆ । ଖଟିଲେ ପରିବାର ପ୍ରତିପୋଷଣ କରିବୁ । ଆମର ମୁଣ୍ଡ ଗୁଞ୍ଜିବା ପାଇଁ ସାହା କେବଳ ସେହି ଝାଟିମାଟି ଛପର ଘର । ଯେଉଁଠି ଦୀର୍ଘ 60 ବର୍ଷରୁ ଊର୍ଦ୍ଧ୍ୱ ସମୟ ପିଢ଼ିପିଢ଼ି ଧରି ଆମେ 50 ପରିବାର ସେ ଜାଗାରେ ରହି ଆସୁଛୁ । ଏଥିପାଇଁ ସରକାରଙ୍କୁ ମଧ୍ୟ ଟିକସ ଦେଉଛୁ । ହେଲେ ପ୍ରଶାସନ ଆମର ଥଇଥାନ ନକରି ଆମକୁ ଘଉଡ଼ାଇ ଦେଉଛି । ଆମେ କୁଆଡ଼େ ଯିବୁ ଛୁଆ ପିଲାଙ୍କୁ ନେଇ ?" ଏଭଳି ଅଭିଯୋଗ ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଥିଲେ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 17 ନମ୍ବର ୱାର୍ଡ ଚନ୍ଦନ ବଜାର ସ୍ଥିତ ବୁଧବାର ହାଟରେ ବସବାସ କରୁଥିବା ପଛୁଆ ବର୍ଗର ବସ୍ତି ବାସିନ୍ଦା ।

ଖବର ଅନୁଯାୟୀ, ଦୀର୍ଘ 60 ବର୍ଷରୁ ଊର୍ଦ୍ଧ ସମୟ ପିଢ଼ିପିଢ଼ି ଧରି ସେଠାରେ ବସବାସ କରୁଥିବା ଲୋକ ମାନେ ସମସ୍ତେ ଗରିବ, ଖଟିଖିଆ, ଦଳିତ ତଥା ଭୂମିହୀନ ଶ୍ରେଣୀର । ତେବେ ସେଠାରେ ପୌରପାଳିକା ପକ୍ଷରୁ କୌଣସି ଉନ୍ନୟନମୂଳକ ଯୋଜନା ପରିକଳ୍ପନା ଯୋଗୁଁ ଏହି ବସ୍ତି ବାସିନ୍ଦାମାନଙ୍କୁ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି କରାଯାଇଛି । ଫଳରେ ଉକ୍ତ ସରକାରୀ ଜମିରେ ଖଜଣା ଦେଇ ଦୀର୍ଘ 60 ବର୍ଷରୁ ଊର୍ଦ୍ଧ ସମୟ ଧରି ବସବାସ କରୁଥିବା ଲୋକମାନଙ୍କ ମୁଣ୍ଡ ଉପରେ ଏବେ ଚଡ଼କ ପଡିଛି । ତେଣୁ ସେମାନେ ଏବେ ଗ୍ରୀଷ୍ମ, ବର୍ଷା ତଥା କାଳବୈଶାଖୀ ଏବଂ ପରବର୍ତ୍ତୀ ସମୟରେ ବର୍ଷା ଋତୁ ଆସୁଥିବାରୁ ଗୃହ ଉଚ୍ଛେଦ ହେଲେ ଆମ୍ଭେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବୁ ବୋଲି କହିଛନ୍ତି ସେମାନେ । ଯାହାକି ଏହି ଉଚ୍ଛେଦ ପ୍ରକ୍ରିୟା ପଛରେ ରାଜନୈତିକ ଆକ୍ରୋଶ ଥାଇପାରେ ବୋଲି ସନ୍ଦେହ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେଣୁ ଉଚ୍ଛେଦ ପୂର୍ବରୁ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ମୁତାବକ ଉପଯୁକ୍ତ ସ୍ଥାନ ନିରୂପଣ କରି ବାସଗୃହ ନିର୍ମାଣ କରାଇବା ପର୍ଯ୍ୟନ୍ତ ସେମାନଙ୍କୁ ସମୟ ଦେବାକୁ ଜିଲ୍ଲାପାଳଙ୍କୁ ବିନୀତ ଅନୁରୋଧ କରିଛନ୍ତି ଏହି ଭୂମିହୀନ । ଏହିପରି ସ୍ଥଳେ ଘର ଉଚ୍ଛେଦ ପାଇଁ ପୌରପାଳିକା ନେଇଥିବା ନିଷ୍ପଭିକୁ ତୁରନ୍ତ ବନ୍ଦ କରିବା, ପୌରପାଳିକା ମଧ୍ୟରେ ଏକ ସରକାରୀ ଜମିରେ ଜମି ଚିହ୍ନଟ ଓ ଗୃହ ନିର୍ମାଣ କରାଇବାର ସୁବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଅନ୍ୟଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.