ETV Bharat / state

ବୈତରଣୀରେ ବନ୍ୟା: ପାଣିରେ ଉବୁଟୁବୁ ଭଦ୍ରକ ଜିଲ୍ଲାର 3ଟି ବ୍ଲକ, ବ୍ୟାପକ କ୍ଷୟକ୍ଷତି

author img

By

Published : Aug 5, 2023, 3:30 PM IST

Updated : Aug 5, 2023, 4:02 PM IST

Baitarani River Swells Amid Heavy Rain
Baitarani River Swells Amid Heavy Rain

ବୈତରଣୀ ନଦୀରେ ବନ୍ୟା । ତିନୋଟି ବ୍ଲକର ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ । ଅନେକ ଅଞ୍ଚଳ ଜଳମଗ୍ନ । ଅଧିକ ପଢନ୍ତୁ

ପାଣିରେ ଉବୁଟୁବୁ ଭଦ୍ରକ ଜିଲ୍ଲାର 3ଟି ବ୍ଲକ

ଭଦ୍ରକ: ବୈତରଣୀ ନଦୀରେ ବନ୍ୟା ଆସିବାରୁ ଭଦ୍ରକ ଜିଲ୍ଲାର ତିନୋଟି ବ୍ଲକର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଟି ବନ୍ୟାପାଣିରେ ଗାଁ ବୁଡିଯାଇଛି ତ ଆଉ କେଉଁଠି ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଛି । ପ୍ରଥମେ ଭଣ୍ଡାରୀପୋଖରୀ ବ୍ଲକ ପରେ ଧାମନଗର ବ୍ଳକ ଆଉ ଏବେ ତିହିଡି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଉଚ୍ଛୁଳା ବନ୍ୟା ଜଳ ଏହି ବ୍ଲକର ବୋଡକ, ବିଲଣା, ବାରୋ, କାଁପଡା ଏବଂ ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତକୁ ଜଳମଗ୍ନ କରି ରଖିଛି।

ଚଳିତ ବର୍ଷର ପ୍ରଥମ ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲାର 3 ଟି ବ୍ଲକ ରେ 61 ଟି ପଞ୍ଚାୟତ ଅନ୍ତର୍ଗତ 326 ଟି ରାଜସ୍ୱ ଗ୍ରାମରେ ବସବାସ କରୁଥିବା 1,81,667 ଜଣ ଏହି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏଥିସହ 3200 ହେକ୍ଟର ଚାଷଜମିରେ ବନ୍ଯାଜଳ ମାଡିଯାଇ ବ୍ଯାପକ କ୍ଷୟକ୍ଷତି ହୋଇଛି ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ 6000 ରୁ ଉର୍ଦ୍ଧ ଗୃହ ପାଳିତ ପଶୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଭଣ୍ଡାରୀପୋଖରୀ ବ୍ଲକରେ 164 ଜଣ, ତିହିଡ଼ି ବ୍ଲକରେ 454 ଜଣ ଏବଂ ଧାମନଗର ବ୍ଳକ ରେ ସର୍ବାଧିକ 37499 ଜଣ ଲୋକ ଙ୍କୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ପଠାଇ ଦିଆଯାଇଛି। ମୋଟ 38117 ଜଣ ଲୋକ ଏହି ବନ୍ୟା ଯୋଗୁଁ ଆଶ୍ରୟସ୍ଥଳ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ମହାନଦୀରେ ବନ୍ୟା ଦେଲା ଦୁଃଖ, ହନ୍ତସନ୍ତ ଟିକରପଡାବାସୀ

ଧାମନଗର ବ୍ଲକରେ ପ୍ରବାହିତ ବୈତରଣୀ ଏବଂ ତାର ଶାଖା କୋଚିଳା ଓ ଗେଙ୍ଗୁଟି ନଦୀରେ ଆସିଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ପ୍ରଭାବରେ ବ୍ଲକର 31 ପଞ୍ଚାୟତ ମଧ୍ୟରୁ 25 ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବୈତରଣୀ ନଦୀର ଗୌରାଙ୍ଗପୁର ଏବଂ ମଲ୍ଲିମାହାରା ଏସ୍କେପ, ଗେଙ୍ଗୁଟି ନଦୀର କନକେଇ, ଗାଈଛନ୍ଦା ଏବଂ ମଠ ମାହାରା ଏସ୍କେପ ବାଟେ ବନ୍ୟାଜଳ ବାହାରି ଗାଁଗଣ୍ଡା, ରାସ୍ତାଘାଟ, ଚାଷ ଜମି ଏବଂ ବିସ୍ତୃତ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବୈତରଣୀ ନଦୀର ବନ୍ୟାଜଳ ଆଖୁଆପଦାରେ ବିପଦସଙ୍କେତ ସ୍ତର 17.83 ମିଟର ଅତିକ୍ରମ କରି ତାହା 19.89 ମିଟରରେ ପହଞ୍ଚିଥିଲା। ହେଲେ ପରବର୍ତ୍ତୀ ସମୟରେ ନଦୀର ବନ୍ୟାଜଳ ହ୍ରାସ ପାଉଥିଲେ ହେଁ ତାହା ବିପଦସଙ୍କେତ ତଳକୁ ଖସି ନାହିଁ । ଏପଟେ ଜିଲ୍ଲାର ତଳିଆ ତଥା ବନ୍ୟା ପ୍ରବଣ ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟାପାଣି ମାଡ଼ିବା ଅବ୍ୟାହତ ରହିଛି।

ଧାମନଗର ବ୍ଳକର ଆନନ୍ଦପୁର, ସୋହଡ଼ା, ପଧାନି, ଖଡ଼ିପଦା, ଅର୍ଜୁନପୁର, ଭଟସାହି, ଦଳାଙ୍ଗ, ହସନାବାଦ, କରଦା ପରି ଅନେକ ପଞ୍ଚାୟତର ବିଭିନ୍ନ ଗ୍ରାମ ବନ୍ୟା ଘେରରେ ରହିଛି। ପଧାନି ପଞ୍ଚାୟତର କଇଥାଡିହ, ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ, ହସନାବାଦ ପଞ୍ଚାୟତର ହସନାବାଦ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏ ସମସ୍ତ ଗ୍ରାମରେ ବସବାସ କରୁଥିବା ପ୍ରାୟ 450 ରୁ ଅଧିକ ପରିବାର ଦୁଇ ଦିନ ହେବ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟାଞ୍ଚଳରେ ବହୁ ଲୋକଙ୍କ ଘରେ ବନ୍ୟା ସ୍ରୋତ ଚାଲୁଥିବାରୁ ସେମାନେ ପିଲା ଛୁଆ ଓ ଗୃହପାଳିତ ପଶୁଙ୍କୁ ନେଇ ଉଚ୍ଚା ସ୍ଥାନ କିମ୍ବା ବିଭିନ୍ନ ସୁରକ୍ଷିତ ସ୍ଥାନ ମାନଙ୍କରେ ଆଶ୍ରୟ ନେଇଛନ୍ତି। ଦୋବଲ ବଜାର ନିକଟ ଗେଙ୍ଗୁଟି ନଦୀରେ ଥିବା ପକ୍କା ପୋଲ ଉପରେ ବନ୍ୟା ସ୍ରୋତ ପ୍ରବାହିତ ହେବା ଦ୍ବାରା, ଉଛୁଳା ବନ୍ୟା ଜଳ ଦୋବଲ, ଷେଣ୍ଢପୁର ଏବଂ ସୋହାଡ଼ା ବଜାରରେ ପ୍ରବେଶ କରି ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ କୁ ପ୍ରଭାବିତ କରିଛି।

ଅନ୍ୟପକ୍ଷରେ ରେବ ଏବଂ କପାଳି ନଦୀରେ ଆସିଥିବା ବନ୍ୟାରେ କଟସାହି, ଖପରପଦା, କାଶିମପୁର, ଫତେପୁର ପଞ୍ଚାୟତର ଚାଷଜମି ଜଳାର୍ଣ୍ଣବ ହୋଇ ବ୍ୟାପକ କ୍ଷତି ହୋଇଛି। ଏଥିସହ ତିହିଡି ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ଶହ ଶହ ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡି ରହିଛି। ଫଳରେ ତିହିଡି ବ୍ଲକର ବାରୋ, ବିଲଣା, ବୋଡକ, ଶ୍ୟାମସୁନ୍ଦରପୁର ଓ କାଁପଡା ଆଦି ପଞ୍ଚାୟତ ଜଳମଗ୍ନ ହୋଇଛି। ରୁଆ ଧାନରେ 2 ଫୁଟରୁ ଉର୍ଦ୍ଧ୍ବ ପାଣି ଜମି ରହିଥିବା ବେଳେ ଗାଁ ଗଣ୍ଡାରେ ପାଣି ଜମି ରହିଛି। ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି। ବୋଡକରେ ରେବ ନଦୀର ପାଣି ଲହଡି ଭାଙ୍ଗୁଥିବା ବେଳେ ସେହି ପାଣି ବିଲଣା, ବାରୋ ଓ କାଁପଡା ପର୍ଯ୍ୟନ୍ତ ପ୍ରଭାବିତ କରୁଛି। ଯାହା ଫଳରେ ପାଣିରେ ବୁଡି ରହିଛି ଚାଷ ଜମି। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ବନ୍ୟା ସ୍ଥିତିର ସମୀକ୍ଷା କରିଥିବା ବେଳେ ସମସ୍ତ ପ୍ରକାରର ବିହିତ ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର କହିଛନ୍ତି।

ବୈତରଣୀ ନଦୀର ଉଚ୍ଚୁଳା ବନ୍ୟା ଜଳ ସମେତ ଶାଖା ନଦୀ ନାଳିଆ, ରେବ, କପାଳି ଏବଂ ଗେଙ୍ଗୁଟି ଆଦିରେ ଜଳସ୍ତର ବୃଦ୍ଧି ପାଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ଜଳ ମାଡି ଯାଇଛି। ଫଳରେ ଏବେ ଭଦ୍ରକ ଜିଲ୍ଲାର 3 ଟି ବ୍ଲକ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ଇଟିଭି ଭାରତ, ଭଦ୍ରକ

Last Updated :Aug 5, 2023, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.