ETV Bharat / state

କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ କୁନ୍ତଳା

author img

By

Published : Jun 2, 2023, 9:31 PM IST

କ୍ୟାନସରେ ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସହାୟତା ଅପେକ୍ଷାରେ କ୍ୟାନସର ପୀଡ଼ିତା କୁନ୍ତଳା ବାରିକ । ଅଧିକ ପଢ଼ନ୍ତୁ

cancer patient seeks government assistance
ସହାୟତା ଅପେକ୍ଷାରେ କ୍ୟାନସର ପୀଡ଼ିତା କୁନ୍ତଳା ବାରିକ

ସହାୟତା ଅପେକ୍ଷାରେ କ୍ୟାନସର ପୀଡ଼ିତା କୁନ୍ତଳା ବାରିକ

ଭଦ୍ରକ: ଗରିବ ଅସହାୟ ଲୋକଙ୍କୁ କମ ଖର୍ଚ୍ଚରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ଏଥିରେ ପୁରୁଷମାନଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲାଗି ଧାର୍ଯ୍ୟ କରାଯାଇଛି । ହେଲେ ଏହାର ଲାଭବାନ ହୋଇପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ । ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ମହାଦେବ ସାହିରେ । ଗ୍ରାମର କୁନ୍ତଳା ବାରିକ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କୁନ୍ତଳା ବାରିକଙ୍କ ବୟସ ପ୍ରାୟ 43 ବର୍ଷ । ତେବେ ବିବାହର କିଛି ମାସ ପରେ ସ୍ୱାମୀ ତାଙ୍କୁ ଦୂରେଇ ଦେଲେ । ମୁଣ୍ଡ ଗୁଞ୍ଜିବା ଲାଗି ବାପ ଘରେ ଆସି ରହିଲେ । ପର ଘରେ ମୂଲ ଲାଗିଲେ ତାଙ୍କ ପରିବାର ଚଳେ । କୁନ୍ତଳାଙ୍କର ବୃଦ୍ଧା ମାଆଙ୍କ ସମେତ 16 ବର୍ଷର ପୁଅଟିଏ ଅଛି । ସେ ଚଳିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଆର୍ଥିକ ସଙ୍କଟ କାରଣରୁ କଲେଜରେ ପାଠ ପଢେଇବା ସମ୍ଭବ ହୋଇନାହିଁ । ତେବେ ଗତ ଅଗଷ୍ଟ 2022 ମସିହାରେ ତାଙ୍କର ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଥିଲା । ସେବେଠାରୁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କୁନ୍ତଳାଙ୍କ ଚିକିତ୍ସା ଚାଲିଛି । ଇତି ମଧ୍ୟରେ 8ଟି କେମୋ ନେଇ ସାରିଲେଣି କୁନ୍ତଳା । ସ୍ତନ କର୍କଟ ପରେ ଉକ୍ତ ରୋଗ ହାର୍ଟକୁ ଗତି କରୁଛି ବୋଲି ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ।

ଏହାର ପ୍ରଭାବରେ ତାଙ୍କ ଡାହାଣ ହାତ ଫୁଲିବା ଆରମ୍ଭ କରିଛି ଏବଂ ପ୍ରବଳ ଯନ୍ତ୍ରଣା ମଧ୍ୟ ହେଉଛି । ଯାହାର ଉପଚାର କରିବା ଲାଗି ଏମଆରଆଇ ପରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ ବୋଲି ଜଣାପଡିଛି । ଯାହାକୁ ନେଇ ଭାଙ୍ଗି ପଡିଲେଣି କୁନ୍ତଳା । କାରଣ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ଚିକିତ୍ସା ପାଇଁ ଧାର କରଜ କରି ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇ ସାରିଲାଣି । ଆଉ ଖର୍ଚ୍ଚ କରିବା ପାଇଁ ସାମର୍ଥ୍ୟ ନାହିଁ । ଅନ୍ୟପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ସାମିଲ କରାଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏପରି ସ୍ଥଳେ ତାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଅନୁରୋଧ କରିଛନ୍ତି କ୍ୟାନ୍ସର ପୀଡ଼ିତା କୁନ୍ତଳା । ସେ କହିଛନ୍ତି ଯେ, ସରକାରୀ ଅଥବା ବେସରକାରୀ କିମ୍ବା କୌଣସି ସାମାଜିକ ସଂଗଠନ ପକ୍ଷରୁ ସହାୟତା ମିଳିଲେ କ୍ୟାନ୍ସର ରୋଗରୁ ଆରୋଗ୍ୟ ହୋଇ ପୂର୍ବପରି ଚଳ ପ୍ରଚଳ କରି ପାରନ୍ତେ ।

ତେବେ କୁନ୍ତଳାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ଆର୍ଥିକ ସହାୟତା କରିପାରିବେ ।

ନାମ-କୁନ୍ତଳା ବାରିକ, SBI ତିହିଡ଼ି ଶାଖା

ବ୍ୟାଙ୍କ୍‌ ଏକାଉଣ୍ଟ ନମ୍ବର- 36130165515

IFSC କୋର୍ଡ ନମ୍ବର-SBIN0012063 ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ସେ ନିବେଦନ କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ କୁନ୍ତଳା କାହିଁକି ବଞ୍ଚିତ ସେନେଇ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.