ETV Bharat / state

ବେଆଇନ ଗୋ-ଚାଲାଣ ପ୍ରତିବାଦରେ ବିଜେପିର ଦାବିପତ୍ର ପ୍ରଦାନ

author img

By

Published : Apr 6, 2021, 4:02 PM IST

ବେଆଇନ ଗୋ-ଚାଲାଣ ପ୍ରତିବାଦରେ ବିଜେପିର ଦାବିପତ୍ର ପ୍ରଦାନ
ବେଆଇନ ଗୋ-ଚାଲାଣ ପ୍ରତିବାଦରେ ବିଜେପିର ଦାବିପତ୍ର ପ୍ରଦାନ

ଭଦ୍ରକରେ ଜିଲ୍ଲା ବିଜେପି ପକ୍ଷରୁ ଏସପିଙ୍କୁ ଦାବିପତ୍ର ପ୍ରଦାନ । ଜିଲ୍ଲାରେ ବେଆଇନ ଗୋ-ଚାଲାଣ ରୋକିବାକୁ ବିଜେପି ଦେଇଛି ଦାବିପତ୍ର । ଅଧିକ ପଢନ୍ତୁ...

ଭଦ୍ରକ: ଏସପିଙ୍କୁ ଭଦ୍ରକ ଜିଲ୍ଲା ବିଜେପିର ଦାବିପତ୍ର ପ୍ରଦାନ । ଜିଲ୍ଲାରେ ବୃଦ୍ଧି ପାଉଥିବା ବେଆଇନ ଗୋ-ଚାଲାଣ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଏନେଇ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ।

ବେଆଇନ ଗୋ-ଚାଲାଣ ପ୍ରତିବାଦରେ ବିଜେପିର ଦାବିପତ୍ର ପ୍ରଦାନ

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ସେଠୀ କହିଛନ୍ତି ଯେ, ରାଜ୍ୟରେ ଭଦ୍ରକ ଏକ ସମ୍ବେଦନଶୀଳ ଜିଲ୍ଲା ଭାବେ ପରିଗଣିତ ହେଉଥିବାବେଳେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଉନାହିଁ । ଫଳରେ ଅସାମାଜିକ ତତ୍ତ୍ୱ ଓ ଗୋ-ଦଲାଲମାନେ ସକ୍ରୀୟ ହୋଇ ବିଭିନ୍ନ ସମୟରେ ଅପ୍ରୀତିକର ଘଟଣା ଘଟାଇ ଚାଲିଛନ୍ତି । ବିଶେଷ ଭାବରେ ଭଦ୍ରକର ବିଭିନ୍ନ ସ୍ଥାନରୁ ବେଆଇନ ଗୋଚାଲାଣ ହେଉଥିବାବେଳେ ସମ୍ପୃକ୍ତ ଅଞ୍ଚଳର ଥାନାଧିକାରୀଙ୍କ ନିଷ୍କ୍ରିୟତା କାରଣରୁ ଗୋ ତସ୍କରମାନେ ସାହାସର ସହ ବେଆଇନ କାର୍ଯ୍ୟ କରିଚାଲୁଛନ୍ତି । ପରିଣାମ ସ୍ୱରୂପ ଅନେକ ସମୟରେ ଗୋ-ଚାଲାଣକାରୀ ଓ ଗୋରକ୍ଷକମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେଉଛି ।

ଏ ଦିଗରେ ସ୍ଥାନୀୟ ପୋଲିସ ପ୍ରଶାସନ ନିରବ ରହିବା ଓ ଗୋ-ରକ୍ଷକଙ୍କୁ ସହଯୋଗ କରୁନଥିବା କାରଣରୁ ପରିସ୍ଥିତି ବେଳେବେଳେ ଜଟିଳ ରୂପ ଧାରଣ କରୁଛି ଏବଂ ପୋଲିସ୍‌ର ଅସହଯୋଗରୁ ଗୋ-ତସ୍କରୀ କରୁଥିବା ଅସାମାଜିକ ବ୍ୟକ୍ତିମାନେ ଖସିଯାଉଛନ୍ତି । ବିଶେଷକରି 1960 ମସିହା ଠାରୁ ଓଡ଼ିଶାରେ ଗୋ ହତ୍ୟା ନିରୋଧ ଆଇନ ବିଧାନସଭାରେ ପାରିତ ହୋଇଛି । ଏଥିସହ 2011 ମସିହାରୁ ରାଜ୍ୟରେ ଗୋ-ଚାଲାଣ ଏକ ବେଆଇନ କାର୍ଯ୍ୟ ବୋଲି ଉଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିବା ସହ ଭଦ୍ରକ ସମେତ ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବଲାଙ୍ଗୀର ଓ ସମ୍ବଲପୁର ଭଳି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏଣୁ ଭଦ୍ରକର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଗୋ-ଚାଲାଣର ପେଣ୍ଠସ୍ଥଳୀ ଉପରେ ଚଢାଉ କରିବା ସହ ବେଆଇନ ଗୋ-ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠୀଙ୍କ ସମେତ ବିଜେପିର ଉଚ୍ଚପଦସ୍ଥ ପଦାଧିକାରୀ, ପ୍ରତିନିଧି ମଣ୍ଡଳ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏ ଦିଗରେ ସେମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ସୂଚନା ପାଇଲେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ବିଷ୍ଣୁ ସେଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେଠୀଙ୍କ ସମେତ ଜିଲ୍ଲା ସଭାପତି ହେମନ୍ତ ପାଢୀ, ଡାକ୍ତର ପ୍ରଦୀପ ନାୟକ, ବଦ୍ରୀ ନାରାୟଣ ଧଳ ଓ ଜିଲ୍ଲା ଯୁବ ସଭାପତି ବିକାଶ ଶ୍ରେଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.